ବଦଳିବେ ଏସପି ଓ କଲେକ୍ଟର । ତିନିଦିନିଆ ଆଇପିଏସ ସମ୍ମିଳନୀ ସରିବା ପରେ ହେବ ଅଦଳବଦଳ ।

୩ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିଲେ ବଦଳିବେ ଅଧିକାରୀ ।

260

ନିର୍ବାଚନ ପୂର୍ବରୁ ଆଇଏଏସ ଏବଂ ଆଇପିଏସ ସ୍ତରରେ ହେବ ବଡ ଅଦଳବଦଳ । ଜିଲ୍ଲା ସ୍ତରରେ ଯେଉଁ ଅଧିକାରୀ ମାନେ ୩ ବର୍ଷରୁ ଅଧିକ ସମୟ ଦାୟିତ୍ୱରେ ଅଛନ୍ତି କିମ୍ବା ୩୧ ମେ ୨୦୧୯ ସୁଦ୍ଧା ଯେଉଁ ମାନଙ୍କର ଜିଲ୍ଲା ସ୍ତରରେ ୩ ବର୍ଷ ପୂରଣ ହେଉଛି ସେମାନଙ୍କ କ୍ଷେତ୍ରରେ ଅଦଳ ବଦଳ କରିବାକୁ ନିର୍ବାଚନ କମିଶନଙ୍କ ତରଫରୁ ନିର୍ଦ୍ଦେଶ ଆସିବା ପରେ ତ୍ୱରାନ୍ୱିତ ହୋଇଛି ପ୍ରକ୍ରିୟା ।

() ଏହି ପ୍ରକ୍ରିୟାରେ ଅନେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି ବଦଳିବେ । କିଛି ଜିଲ୍ଲାର ଏସପିଙ୍କ କାର୍ଯ୍ୟକାଳ ସରୁଥିବାରୁ ସେଠି ନୂଆ ନିଯୁକ୍ତି ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସବୁଠାରୁ ବଡ ତଥା ଶେଷ ଅଦଳବଦଳ ।

 

() ନିର୍ବାଚନ ସହ ସିଧାସଳଖ ଜଡିତ ଥିବା ଅଧିକାରୀଙ୍କ କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ତହସିଲଦାର, ବିଡିଓ ଓ ଅନ୍ୟ ଅଧିକାରୀ ଯେଉଁମାନେ ନିର୍ବାଚନ ସହ ସିଧାସଳଖ ଭାବେ ଜଡିତ ହେବେ ସେମାନଙ୍କ କ୍ଷେତ୍ରରେ ସରକାର ପଦକ୍ଷେପ ନେବେ ।

() ଅନ୍ୟପକ୍ଷରେ ସଚିବଙ୍କ କ୍ଷେତ୍ରରେ ମଧ୍ୟ ଏକ ଅଦଳ ବଦଳ ହେବାର ସମ୍ଭାବନା ରହିଥିବା ଜଣାପଡିଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଜଣେ ଲେଖାଏଁ ଅଧିକାରୀ ରହିଥିବାରୁ ସେଠାରେ ମଧ୍ୟ ଏକ ପରିବର୍ତ୍ତନର ଆଭାସ ମିଳୁଛି । ଅଶୋକ ତ୍ରିପାଠୀ ଉଭୟ ରାଜ୍ୟ ଉନ୍ନୟନ କମିଶନର ଓ ଗୃହ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ନିର୍ବାଚନ ସମୟରେ ଗୃହ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଉନ୍ନୟନ କମିଶନର ମଧ୍ୟ ଏକ ଗୁରୁ ଦାୟିତ୍ୱ । ସେହିଭଳି ଏକାଧିକ ଦାୟିତ୍ୱରେ ଥିବା କିଛି ଅଧିକାରୀଙ୍କ କ୍ଷେତ୍ରରେ ଛୋଟ ଅଦଳ ବଦଳ ହୋଇପାରେ ବୋଲି ସୂଚନା ମିଳୁଛି ।

() ତିନି ଦିନିଆ ପୋଲିସ ସମ୍ମିଳନୀ ଆଜି ସରିବା ପରେ ଆଇପିଏସ ସ୍ତରରେ ଅଦଳ ବଦଳ ଓ ଏହା ପରେ ପରେ ଆଇଏଏସ ସ୍ତରରେ ଅଦଳ ବଦଳ ହେବ ବୋଲି ଜଣାପଡିଛି । ସେହିଭଳି ଜିଲ୍ଲା ସ୍ତରରେ ଅନ୍ୟ ଅଧିକାରୀ ମାନଙ୍କର ମଧ୍ୟ ଅଦଳ ବଦଳ ସପ୍ତାହକ ଭିତରେ ସରିବ ବୋଲି ଅନୁମାନ କରାଯାଉଛି ।