ଆଉ କିଛି ସମୟ ପରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିବେ ଶିବସେନା-ଏନସିପି ଓ କଂଗ୍ରେସ ନେତା । ରାଜ୍ୟରେ ଦେଖାଦେଇଥିବା ପ୍ରଶାସନିକ ଅଚଳାବସ୍ଥା ନେଇ କରିବେ ଆଲୋଚନା

324

କନକ ବ୍ୟୁରୋ : ଆଉ କିଛି ସମୟ ପରେ ତିନି ଦଳର ପ୍ରତିନିଧି ଦଳ ମିଳିତ ଭାବେ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଦେଖାଦେଇଥିବା ପ୍ରଶାସନିକ ଅଚଳାବସ୍ଥା ନେଇ ରାଜ୍ୟପାଳଙ୍କ ସହ ତିନି ଦଳର ନେତା ଆଲୋଚନା କରିବେ ବୋଲି ଜଣାପଡିଛି । ସେହି କୃଷି ଓ କୃଷକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ । ସେପଟେ ଆସନ୍ତାକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶରଦ ପାୱାର ଭେଟି ପରବର୍ତୀ କାର୍ଯ୍ୟପନ୍ଥା ଚୂଡାନ୍ତ କରିବା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଆଲୋଚନା ପରେ ସରକାର ଗଠନ ନେଇ ସ୍ପଷ୍ଟ ଘୋଷଣା କରିପାରନ୍ତି ତିନି ଦଳ । ସୋନିଆ- ଶରଦଙ୍କ ଭେଟ ପୂର୍ବରୁ ତିନି ଦଳର ପ୍ରମୁଖ ନେତା ଶୁକ୍ରବାର ଏକାଠି ବସି ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମର ସୂଚୀ ପ୍ରସ୍ତୁତ କରିଛନ୍ତି । ସହମତି ଭିତିରେ ସିଏମପି – କମନ ମିନିମମ୍ ପ୍ରୋଗ୍ରାମ ସ୍ଥିର କରାଯାଇଛି ।

ତେଣୁ ମହାରାଷ୍ଟ୍ର ମହା ନାଟକରେ ଏକ ନାଟକିୟ ଅନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଶିବସେନା ସହ ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବେ । ଭିନ୍ନ ଭିନ୍ନ ବିଚାରଧାରର ଦଳ ମିଳିତ ଭାବେ ସରକାର ଗଢ଼ି ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏହି ମେଂଟ ସରକାର ରାଜ୍ୟରେ ୫ ବର୍ଷ ସ୍ଥିର ସରକାର ଦେବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ସହ ଅନ୍ୟ ଦୁଇ ଦଳରୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି । ଆସନ୍ତାକାଲି ବାଲାସାହେବ ଠାକରେଙ୍କ ଶ୍ରାଦ୍ଧ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଶିବସେନା ଘୋଷଣା କରିବ ବୋଲି ସୂଚନା ମିଳିଛି । ତେବେ ଆଜି ଦିଲ୍ଲୀରେ ବସିଥିବା କଂଗ୍ରେସ ବୈଠକରେ ସରକାର ଗଠନ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ମହାରାଷ୍ଟ୍ରର କଂଗ୍ରେସ ନେତା କହିଛନ୍ତି ।