ପୁରୀରୁ ମୋଦିଙ୍କୁ ପ୍ରାର୍ଥୀ କରିବା ପ୍ରସ୍ତାବ ଦେବ ରାଜ୍ୟ ବିଜେପି : ବସନ୍ତ ପଣ୍ଡା କହିଲେ, ଚୂଡାନ୍ତ ନିଷ୍ପତି ନେବ ସଂସଦୀୟ ବୋର୍ଡ

40

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସମସ୍ତଙ୍କ ନଜର ରହିଛି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କେଉଁଠୁ ନିର୍ବାଚନ ଲଢିବେ ? ମୋଦିଙ୍କୁ ପୁରୀରୁ ଲଢିବା ପାଇଁ ପ୍ରସ୍ତାବ ଦେବ ରାଜ୍ୟ ବିଜେପି । ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏହା ଉପରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ଏ ବାବଦରେ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତି ନେବ । ୨୦୧୪ ନିର୍ବାଚନରେ ଉତର ଭାରତରେ ବିଜେପିକୁ ଭଲ ସଫଳତା ମିଳିଥିଲା । ଏପରିକି ନରେନ୍ଦ୍ର ମୋଦି ତାଙ୍କ ପାରମ୍ପରିକ ଆସନ ଭଦଦୋରା ସହ ଉତରପ୍ରଦେଶର ବାରଣାସୀ ଆସନରୁ ଲଢିଥିଲେ ।

ବାରଣାସୀ ଆସନରେ ଲଢିବା ଫଳରେ ଉତରପ୍ରଦେଶର ବିଜେପିକୁ ସିଧା ଫାଇଦା ହୋଇଥିଲା । ରାଜ୍ୟର ମୋଟ ୮୦ ଲୋକସଭା ଆସନରୁ ବିଜେପିକୁ ମିଳିଥିଲା ୭୧ ଆସନ । ଉତର ଭାରତ ପରେ ଏବେ ବିଜେପି ଟାର୍ଗେଟରେ ରହିଛି ପୂର୍ବ ଭାରତ । ଆସମ, ତ୍ରିପୁରା ଓ ଅରୁଣାଚଳ ବିଜୟ ପରେ ଏବେ ଟାର୍ଗେଟରେ ରହିଛି ପଶ୍ଚିମବଙ୍ଗ ଓ ଓଡିଶା । ଓଡିଶାରେ ଦଳର ଆଗାମୀ ବିଧାନସଭାରେ ୧୨୦ ଆସନ ଜିତିବାକୁ ମନ୍ତ୍ର ଫୁଙ୍କିଛନ୍ତି ସଭାପତି ଅମିତ ଶାହ । ଏଭଳି ସ୍ଥଳେ ମୋଦି ପୁରୀରୁ ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କଲେ ଦଳ ଲାଭବାନ ହେବ ବୋଲି ବିଜେପି ଆକଳନ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ମୋଦିଙ୍କୁ ପୁରୀରୁ ଲଢିବା ପାଇଁ ପ୍ରସ୍ତାବ ଦେବ । ତେବେ ଏ ବାବଦରେ ଶେଷ ନିଷ୍ପତି ନେବ ବିଜେପି ସଂସଦୀୟ ବୋର୍ଡ । ତେବେ ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିଲେ ଆମେ ସ୍ୱାଗତ କରିବୁ ବୋଲି କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।