ଚାଷୀ ଋଣ ଛାଡ ପ୍ରସଙ୍ଗରେ ବିଜେପିକୁ ଘେରିଲା କଂଗ୍ରେସ ! ରାହୁଲ କହିଲେ, ଋଣ ଛାଡ ନହେବା ଯାଏଁ ମୋଦିଙ୍କୁ ଶାନ୍ତିରେ ଶୋଇବାକୁ ଦେବେନାହିଁ ।

149

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ । ଏହି ତିନୋଟି ରାଜ୍ୟରେ ନିଜ ପତିଆରା ଜାହିର କରିବା ପରେ ଏବେ ଚର୍ଚ୍ଚାରେ ରହିଛି କଂଗ୍ରେସ । ଶାସନ ଗାଦି ସମ୍ଭାଳିବାର କିଛିଟା ସମୟ ପରେ ବଡ ଘୋଷଣା କରିଥିଲା କଂଗ୍ରେସ । କୃଷକଙ୍କ ରୁଣ ଛାଡ କରିବା ସହ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି । ଯେଉଁ ପ୍ରସଙ୍ଗକୁ କେନ୍ଦ୍ର କରି ମୋଦି ସରକାର ୨୦୧୪ ନିର୍ବାଚନରେ ବଡ ସଫଳତା ପାଇ ଶାସନ ଗାଦିରେ ବସିଥିଲେ, ସେହି ପ୍ରସଙ୍ଗ ନେଇ ଏବେ ବିଜେପିକୁ ଟାର୍ଗେଟ କରିଛନ୍ତି ।

କୃଷିଋଣ ଛାଡ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ବଡ ବୟାନ ଦେବା ସହ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର କିଛି ପୁଂଜିପତିଙ୍କ ପାଇଁ କାମ କରୁଛନ୍ତି । ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି । ନରେନ୍ଦ୍ର ମୋଦି ଦେଶର କୃଷକଙ୍କ ଋଣଛାଡ ନ କରିବା ଯାଏଁ ବିରୋଧୀ ଦଳ ସଂଗ୍ରାମ କରିବ ଓ ଏଥିପାଇଁ  ଚାପ ପକାଯିବ । ମୋଦି ସରକାର ଚାଷୀଙ୍କ ଋଣ ଛାଡ ନକରିବା ପର୍ଯ୍ୟନ୍ତ ତାଙ୍କୁ ଶାନ୍ତିରେ ଶୋଇବାକୁ ଦେବୁନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡରେ ନୂଆ ସରକାର ଗଠନର ୨୪ଘଂଟା ମଧ୍ୟରେ ଉଭୟ ରାଜ୍ୟରେ କୃଷି ଋଣ ଛାଡ ହୋଇଥିବା ସେ କହିଛନ୍ତି । ଏହାସହ ରାଜସ୍ଥାନରେ ବି କୃଷିଋଣ ଛାଡ ହେବ ବୋଲି ସେ ସଙ୍କେତ ଦେଇଛନ୍ତି ।

Comments are closed.