ମୋଦି ଆସିବେ, କଣ କହିବେ ? ନବୀନଙ୍କ ଉପରେ ବର୍ଷିବେ ନା ସଙ୍କଟର ସାଥୀ ଭାବି ଚୁପ୍ ରହିବେ

32

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ମୋଦିଙ୍କ ଓଡିଶା ଗସ୍ତ ଉପରେ ଏବେ ସମସ୍ତଙ୍କ ନଜର । ଓଡିଶାରେ ରାଜନୈତିକ ଉଷ୍ମତା ବଢ଼ିଯାଇଥିବାବେଳେ ମୋଦି କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବେ ତାଉପରେ ନଜର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋଦି ଟାର୍ଗେଟ କରିବେ ନାଁ ନାହିଁ ତାହା ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି । ଅନାସ୍ଥା ପ୍ରସ୍ତାବ ସମୟରେ ବିଜେଡିର ଆଭିମୁଖ୍ୟ ଓ ରାଜ୍ୟସଭା ଉପାଧକ୍ଷ ପ୍ରସଙ୍ଗରେ ଏନଡିଏ ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ ପରେ ଓଡିଶାକୁ ମୋଦିଙ୍କର ଏହା ପ୍ରଥମ ଗସ୍ତ । ତେଣୁ ଏହି ଗସ୍ତ ସମୟରେ ନବୀନଙ୍କ ପ୍ରତି କଣ ରହିବ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ, ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଦୁର୍ନୀତି ପ୍ରସଙ୍ଗକୁ ନେଇ ଯେତେବେଳେ ରାଜ୍ୟ ରାଜନୀତି ସରଗରମ୍ ରହିଛି, ଠିକ୍ ସେତିକି ବେଳେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆ ଗସ୍ତରେ ମୋଦି, ଝାରସୁଗୁଡ଼ା ଏୟାରପୋର୍ଟ ଏବଂ ୨ଟି କୋଇଲା ଖଣିର ଲୋକାର୍ପଣ ଭିତରେ, ତାଳଚେର ଏବଂ ଝାରସୁଗୁଡ଼ାରେ ଜନସଭା କାର୍ଯ୍ୟକ୍ରମ, ଓଡ଼ିଶାରେ ରାଜନୀତିର କାର୍ଡ ଖେଳିବାର ଏକ ଭରପୁର ସୁଯୋଗ ସୃଷ୍ଟି କରିଛି । ଦାମଙ୍କ ତୀରରେ ଦୁର୍ନୀତିର ବାଣ ମାରି ସରକାରକୁ ଘାଇଲା କରିବାକୁ ଉଦ୍ୟମ କରୁଥିବା ବିଜେପି ଘନଘନ ସାମ୍ବାଦିକ ସମ୍ମିଳନୀ କରୁଛି । ଏସବୁ ଭିତରେ ମୋଦିଙ୍କ ଓଡ଼ିଶା ଗସ୍ତ ସାଧାରଣରେ ଗୋଟିଏ ପ୍ରଶ୍ନ ଛିଡ଼ା କରିଛି । କ’ଣ ରହିବ ମୋଦିଙ୍କ ଆଭିମୁଖ୍ୟ ?

ଏହି ପ୍ରଶ୍ନ ଏଇଥିପାଇଁ ଗୁରୁତ୍ୱ ରଖୁଛି-କାରଣ ସଂକଟ ସମୟରେ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷ ହେଉ, ବିଜେପିକୁ ବିଜେଡି ହିଁ ସହାୟକ ହୋଇଛି । ମୋଦି ସରକାରଙ୍କ ବିରୋଧରେ ଯେତେବେଳେ ମିଳିତ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଲେ, ୱାକ୍ ଆଉଟ୍୍ କରିଥିଲା ବିଜେଡି । ଯାହା ଏନଡିଏକୁ ବଡ ବ୍ୟବଧାନରେ ଆସ୍ଥା ଭୋଟ୍ ଜିତିବାରେ ସହାୟକ ହୋଇଥିଲା । ଆଉ ଯେତେବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ ହେଲା, ବିଜେଡି, ହରିପ୍ରସାଦଙ୍କ ବଦଳରେ ହରିବଂଶକୁ ବାଛିବାର ନିଷ୍ପତି ନେଇଥିଲା ।

ଏଭଳି ସ୍ଥିତିରେ ବିଜେଡି ବିରୋଧରେ ମୋଦି ମୁହଁଖୋଲିବାକୁ ଇଚ୍ଛା ପ୍ରକାଶ କରି ପାରିବେ ତ? ଅନ୍ୟପଟେ ମିଳିତ ବିରୋଧୀ ମେଂଟ ଯେତେବେଳେ ବାରମ୍ବାର ମୋଦି ସରକାରକୁ ଆହ୍ୱାନ ଦେଉଛି । ଏହି ମେଂଟଠୁ ଦୂରେଇ ରହୁଛନ୍ତି ନବୀନ ପଟ୍ଟନାୟକ । ରାଜନୀତିର ବୟାନବାଜୀ ଭିତରେ ବଡ କଥା ହେଉଛି ମୋଦିଙ୍କ ଗସ୍ତର ଠିକ୍ ଗୋଟିଏ ଦିନ ପରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ପୁରୀରେ ହେବାକୁ ଥିବା ମହିଳା ସମାବେଶରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହା । ବିଜେପିର ତୁଙ୍ଗ ନେତାଙ୍କ ଏହି ଘନଘନ ଗସ୍ତ ପରୋକ୍ଷରେ ଦଳର ରଣନୀତି ସ୍ପଷ୍ଟ କରୁଥିବା ବେଳେ ଖୋଲାଖୋଲି ନବୀନ ସରକାରଙ୍କୁ ଆକ୍ରମଣ କରିବେ ନା ନାହିଁ ତାହା ଆଗାମୀ ୨୨ ତାରିଖରେ ସ୍ପଷ୍ଟ ହେବ ।