କଟକରେ କ’ଣ କହିବେ ମୋଦି ? ୪ ବର୍ଷର ହିସାବ ଦେବେ ନା ନବୀନଙ୍କୁ ଟାର୍ଗେଟ କରିବେ

28

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚା ଆରମ୍ଭ ହୋଇଛି । କଣ ରହିବ ମୋଦିଙ୍କ ଆଭିମୁଖ୍ୟ । ମୋଦି, ନବୀନଙ୍କୁ କିମ୍ବା ବିଜେଡିକୁ ଟାର୍ଗେଟ କରିବେ କି? ନା କେବଳ ୪ ବର୍ଷର ହିସାବ ଦେଇ ଫେରିଯିବେ । ଏହାକୁ ନେଇ ଏବେ ବିଜେପି ଶିବିରରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

modi୪ବର୍ଷର ସଫଳତା ବଖାଣିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦି, ନବୀନ ପଟ୍ଟନାୟକ ଓ ବିଜେଡି ସରକାର ସଂପର୍କରେ କ’ଣ ମନ୍ତବ୍ୟ ରଖିବେ? କେବଳ ନିଜ ସରକାରର ହିସାବ ଦେବେ ନା’ ନବୀନ ସରକାରଙ୍କୁ ବି ହିସାବ ମାଗିବେ । ଓଡ଼ିଶା ବିଜେପିକୁ ସୁହାଇଲା ଭଳି ବୟାନ ରଖି, ନବୀନ ସରକାରକୁ କାଠଗଡ଼ାରେ ଠିଆ କରିବେ ନା’ ରକ୍ଷଣାତ୍ମକ ଢ଼ଙ୍ଗରେ ଭାଷଣ ରଖିିବେ । କଟକରେ କ’ଣ ରହିବ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ?

ଏହି ସବୁ ପ୍ରଶ୍ନ ଏଇଥି ପାଇଁ ଗୁରୁତ୍ୱ ରଖୁଛି, କାରଣ ମୋଦି ଓ ବିଜେପି ବିରୋଧରେ ଯେତେବେଳେ ବିଜେପି ବିରୋଧୀ ଶକ୍ତିମାନେ ମେଳି ବାନ୍ଧୁଛନ୍ତି, ୨୦୧୯ ନିର୍ବାଚନ ପୂର୍ବରୁ ଯେତେବେଳେ ଦେଶର ରାଜନୈତିକ ସମୀକରଣ କଡ ଲେଉଟାଉଛି ବୋଲି ଚର୍ଚ୍ଚା ହେଉଛି, ସେତେବେଳେ ନବୀନ ଓ ବିଜେଡିକୁ ନେଇ ବିଜେପିର ଅଭିମୁଖ୍ୟ କ’ଣ ରହିଛି, ମୋଦିଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରିବ ବୋଲି ଏକ ପ୍ରକାର ଚର୍ଚ୍ଚା ହେଉଛି ।

ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱର କଥା କହୁଥିବା ବିଜେଡି, କର୍ଣ୍ଣାଟକରେ ହୋଇଥିବା ବିଜେପି ବିରୋଧୀ ମେଳିଠାରୁ ନିଜକୁ ଦୂରେଇ ରଖିଛନ୍ତି । ଆଉ ଏହି ଘଟଣା ଅଧିକ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇ ଦେଇଛି । ନବୀନ ଯେତେବେଳେ ବିଜେପି ବିରୋଧୀ ମେଂଟଠାରୁ ନିଜକୁ ଦୂରେଇ ରଖୁଛନ୍ତି, ମୋଦି ନବୀନଙ୍କୁ ଅସନ୍ତୁଷ୍ଟ କଲା ଭଳି ବୟାନ ଓଡ଼ିଶାରେ ଦେବେ ନା ନାହିଁ, ତାହା ଆକଳନ କରିବା ବି ହୁଏତ ବର୍ତମାନ ପକ୍ଷେ ସମ୍ଭବ ନୁହେଁ । ଏପଟେ ବିଜେଡି ସ୍ପଷ୍ଟ କରିଛି ଯଦି ନବୀନଙ୍କୁ ଟାର୍ଗେଟ୍ କରନ୍ତି ଓଡ଼ିଶାର ଜନତା ଜବାବ୍ ଦେବେ । ହେଲେ ପିସିସି ସଭାପତି କହିଛନ୍ତି ବିଜେଡି ଓ ବିଜେପି ଭିତରେ ଭିତିରି ସଂପର୍କ ରହିଛି ।

 ୨୦୧୯ ପୂର୍ବରୁ ସାରା ଦେଶରେ ବିଜେପି ଓ ମୋଦିଙ୍କ ବିରୋଧରେ ଯେଭଳି ବିରୋଧୀ ଦଳ ଗୁଡ଼ିକ ମେଳି ବାନ୍ଧୁଛନ୍ତି ଏବଂ ସରକାର ବିରୋଧୀ ଜନମତକୁ ତୀବ୍ର ନ କରିବା ପାଇଁ ମୋଦି ନବୀନଙ୍କ ବିରୋଧରେ କହିବେ ନାହିଁ ବୋଲି ସାମ୍ବାଦିକମାନେ ମତ ରଖିଛନ୍ତି ।ଏହି ସବୁ ଅନୁମାନ ଓ ଆକଳନ ଭିତରେ ଅପେକ୍ଷା ରହିବ ଆସନ୍ତା ୨୬ ତାରିଖକୁ । କାରଣ ସେହି ଦିନ ହିଁ ସ୍ପଷ୍ଟ ହେବ ନବୀନ ଓ ବିଜେଡି ସରକାରଙ୍କୁ ନେଇ ମୋଦିଙ୍କ ଆଭିମୁଖ୍ୟ କ’ଣ?