ପୁରୀରୁ ଲଢିବେ କି ପ୍ରଧାନମନ୍ତ୍ରୀ? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତରରେ କଣ କହିଲେ ମୋଦି 

1,174

କନକ ବ୍ୟୁରୋ : ପୁରୀରୁ ଲଢିବେ କି ମୋଦି । ଦୀର୍ଘ ଦିନ ଧରି ରାଜ୍ୟ ଓ ଜାତୀୟ ରାଜନୀତିରେ ଏଭଳି ଏକ ଚର୍ଚ୍ଚା ହୋଇଆସୁଥିଲା । ତେବେ ନୂଆବର୍ଷର ପ୍ରଥମ ଦିନରେ ପୁରୀ ନିର୍ବାଚନ ଲଢିବା ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଖୋଦ୍ ମୋଦି । ନ୍ୟୁଜ୍ ଏଜେନ୍ସି ଏଏନଆଇକୁୁ ଦେଇଥିବା ସାକ୍ଷାତକାରରେ ଏନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । ପୁରୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ କି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୋଦି କହିଛନ୍ତି, ଏହା ଗଣମାଧ୍ୟମର ଏକ ପରିକଳ୍ପନା । ଏଭଳି ଚର୍ଚ୍ଚା କେବଳ ଗଣମାଧ୍ୟମରେ ହିଁ ଚାଲୁଛି । ତେବେ ପୁରୀରୁ ନିର୍ବାଚନ ଲଢିବେ କି ନାହିଁ ତାହାର ସ୍ପଷ୍ଟ ସଂକେତ ଦେଇନାହାନ୍ତି ମୋଦି । ତେଣୁ ପୁରୀରୁ ମୋଦି ପ୍ରାର୍ଥୀ ହେବେ କି ନାହିଁ ସେନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହାପୂର୍ବରୁ ମୋଦିଙ୍କୁ ପୁରୀରୁ ପ୍ରାର୍ଥୀ କରିବାକୁ ରାଜ୍ୟ ବିଜେପି ମଧ୍ୟ ପ୍ରସ୍ତାବ ଦେଇସାରିଛି । ମୋଦିଙ୍କୁ ପୁରୀରୁ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଦେବା ପଛରେ ମଧ୍ୟ ବଡ କାରଣ ଲୁଚି ରହିଛି । ଯଦି ମୋଦି ପୁରୀରୁ ପ୍ରାର୍ଥୀ ହୁଅନ୍ତି ତେବେ ଅଧିକ ଲାଭ ରାଜ୍ୟ ବିଜେପିକୁ ମିଳିବ । ବିଜେପିର ମିଶନ ୧୨୦କୁ ମୋଦିଙ୍କ ପ୍ରାର୍ଥୀତ୍ୱ ପାୱାର ଦେବା ସହ ଲୋକସଭା ଆସନରେ ବିଜେଡିର ଏକଚାଟିଆ ବିଜୟରେ ମଧ୍ୟ ବ୍ରେକ ଲଗାଇବ ବୋଲି ବିଜେପି ଆଶା ବାନ୍ଧିଛି ।

ଏହାପୂର୍ବରୁ ମଧ୍ୟ ବାରଣାସୀ ଆସନରୁ ପ୍ରାର୍ଥୀ ହୋଇଥିଲେ ମୋଦି । ଯାହାର ଫାଇଦା ୨୦୧୪ରେ ବିଜେପିକୁ ମିଳିଥିଲା । ପୂରା ଉତ୍ତର ଭାରତରେ ମୋଦି ଲହର ଖେଳି ଯାଇଥିଲା । ଉତ୍ତରପ୍ରଦେଶର ୮୦ଟି ଆସନରୁ ୭୧ଟି ଆସନରେ ବାଜିମାତ୍ କରିଥିଲା ବିଜେପି । ତେଣୁ ଏହି ଫର୍ମୁଲାକୁ ଓଡିଶାରେ ଲାଗୁ କରିବାକୁ ଯୋଜନା କରୁଛି ରାଜ୍ୟ ବିଜେପି ।

ଅନ୍ୟପଟେ ହିନ୍ଦୀଭାଷୀ ଅଞ୍ଚଳରେ ପଦ୍ମ ଝଡିଯିବା ପରେ ଏବେ ବିଜେପି ଲୁକ୍ ଇଷ୍ଟ ଅଭିଯାନ ଆରମ୍ଭ କରିଛି । ଅଥାର୍ତ ପୂର୍ବ ଭାରତରେ ଗେରୁଆ ବାନା ଉଡାଇବା ପାଇଁ ମୋଦିଙ୍କୁ ପୁରୀରୁ ପ୍ରାର୍ଥୀ କରିବା ନେଇ ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି । ଖାସକରି ବିଜେପିର ଫୋକସରେ ରହିଛି ଓଡିଶା ଓ ପଶ୍ଚିମବଙ୍ଗ । କିନ୍ତୁ ଏଠାରେ ଆଞ୍ଚଳିକ ଦଳ ସରକାରରେ ଥିବାରୁ ବିଜେପି ଏଠାରେ ଜିତିବାକୁ ଦୀର୍ଘବର୍ଷ ଧଣି ସଂଘର୍ଷ କରି ଆସୁଛି । ତେଣୁ ପୂର୍ବ ଭାରତରେ ବିଜୟ ପାଇଁ ମୋଦିଙ୍କୁ ସାମ୍ନାକୁ ଆଣିବାକୁ ବିଜେପି କସରତ କରୁଥିବା ଚର୍ଚ୍ଚା ହେଉଛି । ଏହାଛଡା ମୋଦି ପୁରୀରୁ ପ୍ରାର୍ଥୀ ହେଲେ ଏଠାରେ କିଛି ଲୋକସଭା ଆସନରେ ମଧ୍ୟ ପଦ୍ମ ଫୁଟିବ ବୋଲି ଆକଳନ କରାଯାଉଛି । ତେବେ ମୋଦିଙ୍କ ମୁହଁରୁ ଏନେଇ ସ୍ପଷ୍ଟ ସଂକେତ ନ ମିଳିବା ଏହି ଚର୍ଚ୍ଚାକୁ ଆହୁରି ସସପେନ୍ସ ଘେରକୁ ଟାଣି ନେଇଛି ।