ନିର୍ଭୟା ଦୁଷ୍କର୍ମକାରୀଙ୍କୁ ବି ନିସ୍ତାର ମିଳିବନି… ଦିଶା ପରେ ନିର୍ଭୟା ଦୋଷୀଙ୍କୁ ତୁରନ୍ତ ମିଳୁ ଦଣ୍ଡ । ବାପାମାଆ କଲେ ଦାବି

915

କନକ ବ୍ୟୁରୋ: ହାଇଦ୍ରାବାଦର ଦିଶା ଗଣଦୁଷ୍କର୍ମ ଭଳି ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଘଟିଥିଲା ନିର୍ଭୟା ଗଣଦୁଷ୍କର୍ମ ଘଟଣା । ଆଜି ହାଇଦ୍ରାବାଦ ପୁଲିସ ଅଭିଯୁକ୍ତଙ୍କୁ ଏନକାଂଉଟର କରିବା ପରେ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ନିର୍ଭୟାଙ୍କ ମାଆ । ନିର୍ଭୟାଙ୍କ ବାପା କହିଛନ୍ତି, ଯଥାଶୀଘ୍ର ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦିଆଯିବା ଉଚିତ । ଏହାରି ଭିତରେ ଦୋଷୀଙ୍କ ରାଜକ୍ଷମା ଆବେଦନ ଫାଇଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି । ଏଥିସହ ଏହି ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

୭ବର୍ଷ ହେଲା ଝିଅର ଅଭିଯୁକ୍ତ ମାନଙ୍କୁ ଫାଶୀ ଦାବି କରୁଥିବା ମାଆକୁ ଟିକିଏ ଆଶ୍ୱସ୍ତି ମିଳିଛି । ଦିଶା ଦୁଷ୍କର୍ମକାରୀଙ୍କୁ ଏନକାଉଁଟର ପରେ ପୁଲିସକୁ ସାବାସୀ ଦେଇଛନ୍ତି ନିର୍ଭୟାଙ୍କ ମାଆ । ତେବେ ପ୍ରଶ୍ନ କରିଛନ୍ତି, ଦିଶାଙ୍କୁ ନ୍ୟାୟ ମିଳିଲା, ନିର୍ଭୟାକୁ କେବେ? ବାପାଙ୍କ ମୁହଁରେ ବି ସମାନ କଥା । ତାଙ୍କ ଝିଅ ସହ ଘଟିଥିବା ଅଘଟଣ ପରେ ସେମାନେ ପ୍ରତିଦିନ ମରୁଛନ୍ତି, ହେଲେ ଅଭିଯୁକ୍ତ ଆଜି ବି ଜୀବିତ ଅଛନ୍ତି । ଯାଥାଶୀଘ୍ର ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦିଆଯାଉ ।

ଗୋଟିଏ ପଟେ ଦିଶା ଗଣଦୁଷ୍କର୍ମକାରୀ ଏନକାଉଁଟରରେ ନିଜ କୁକର୍ମର ସଜ୍ଜା ପାଇସାରିଥିବା ବେଳେ ନିର୍ଭୟା ଗଣଦୁଷ୍କର୍ମକାରୀ ଏବେ ଜେଲରେ ଅଛନ୍ତି । ୪ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି । ଶୁକ୍ରବାର ଏହି ରାଜକ୍ଷମା ଆବେଦନ ସମ୍ପର୍କିତ ଫାଇଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି । ତେବେ ଆବେଦନକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

ପୂର୍ବରୁ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଓ ଦିଲ୍ଲୀ ସରକାର ମଧ୍ୟ ଖାରଜ କରିସାରିଛନ୍ତି । ତେବେ ରାଷ୍ଟ୍ରପତି ଏହି ରାଜକ୍ଷମା ଆବେଦନକୁ ଖାରଜ କରିଦେଲେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବାର ରାସ୍ତା ଖୋଲିଯିବ । ତେବେ ମିଳିଥିବା ସୂଚନା ଅନୁସାରେ ପକ୍ସୋ ଆକ୍ଟ ଅନୁସାରେ ଦୋଷୀଙ୍କ ମାମଲା ତୁରନ୍ତ ଶେଷ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇସାରା କରିସାରିଛନ୍ତି । ଫଳରେ ୪ ଅଭିଯୁକ୍ତଙ୍କୁ ଫାଶୀ ମିଳିବା ସମ୍ଭାବନା ବଢିଯାଇଛି ।