ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ୍ ନେଇ ବଢିଲା ଚର୍ଚ୍ଚା, ଫ୍ଲାଇଂ ସ୍କ୍ୱାର୍ଡର ଅଧିକାରୀ ତନଖି କରିଥିବା ସୂଚନା?

705

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଂଚ ବେଳେ ଯୁକ୍ତିତର୍କ, ଆଉ ଏପଟେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ହେବା ଖବର ଆସିବା ପରେ ଏବେ ଆଉ ଏକ ଖବରକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ  ସେନା ହେଲିକପ୍ଟରକୁ ଯାଂଚ କରାଯାଇଥିବା ନେଇ ଖବର ଆସିଛି । ବିଜେପି ନେତା ମଧ୍ୟ କହିଛନ୍ତି, ସେନା ହେଲିକପ୍ଟରକୁ ଯାଂଚ କରିବା ପାଇଁ ସାହସ କରାଯାଇଛି । ଘଟଣାକୁ ନେଇ ନିର୍ବାଚନ କମିସନ କିମ୍ବା ପୋଲିସ ସୂତ୍ରରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ନିର୍ବାଚନ ବେଳେ ବୋଧହୁଏ ସମସ୍ତଙ୍କ ଉପରେ ସନ୍ଦେହ ସୃଷ୍ଟି ହୁଏ । ଗତକାଲି ସମ୍ବଲପୁରରେ ଯେଉଁ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି, ତାହା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସମ୍ବଲପୁର ଆସିଥିବା ବେଳେ ତାଙ୍କ ହେଲିକପ୍ଟରକୁ ଯାଂଚ କରାଯାଇଥିବା ନେଇ ଖବର ଆସିଛି । ଏହି ଖବରକୁ ନେଇ ଏବେ ଝଡ଼ ଉଠିଛି । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରକୁ କେଉଁ ନିୟମ ବଳରେ ଯାଂଚ କରାଗଲା, ତାକୁ ନେଇ ବିଜେପି ବି ଖପ୍ପା । ବିଜେପି ନେତ୍ରୀ, ଲେଖାଶ୍ରୀ ସମାନ୍ତସିଂହାର ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସେନା ହେଲିକପ୍ଟରକୁ ମଧ୍ୟ ଯାଂଚ କରିବା ପାଇଁ ସାହସ କରିଛନ୍ତି ଫ୍ଲାଇଂ ସ୍କ୍ୱାର୍ଡ ।

ଗତକାଲି ସମ୍ବଲପୁରର ରେମେଡ୍ ଛକ ନିକଟରେ ପ୍ରାୟ ଦିନ ୧୧ଟାରେ ଅବତରଣ କରିଥିଲା ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର । ଏହା ପରେ ସିଧା ସମାବେଶରେ ଯୋଗ ଦେଇଥିଲେ ମୋଦୀ । ଚର୍ଚ୍ଚା ହେଉଛି କୁଆଡେ, ସଭା ସାରି ଫେରିବା ପରେ ହେଲିକପ୍ଟର ଯାଂଚ ପାଇଁ ପହଁଚିଥିଲେ ଫ୍ଲାଇଂ ସ୍କ୍ୱାର୍ଡର ଟିମ୍ ।   ଘଟଣାର ସତ୍ୟତା ନେଇ ସଂପୃକ୍ତ ଅଧିକାରୀମାନଙ୍କ ମତାମତ ନେବାକୁ ଆମେ ଯେତେବେଳେ ଉଦ୍ୟମ କରିଥିଲୁ, କେହି ମୁହଁ ଖୋଲିବାକୁ ରାଜି ହୋଇନଥିଲେ । ତେବେ ଏହା ଭିତରେ ଆଉ ଏକ ଖବର ସାମନାକୁ ଆସିଥିଲା ଯେ କେଉଁ ପରିସ୍ଥିତିରେ ଏହି ଯାଂଚ କରାଯାଇଥିଲା, ତା’ର ତଦନ୍ତ ପାଇଁ ସମ୍ବଲପୁରରେ ପହଁଚିଥିଲେ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ ।

ଚର୍ଚ୍ଚା ହେଉଛି, ହେଲିକପ୍ଟର ଯାଂଚ ଯୋଗୁଁ କ୍ଷୁବ୍ଧ ହୋଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ଏଥିପାଇଁ ନିର୍ବାଚନ କମିସନ ତନାଘନା କରିବା ସହ ଘଟଣାର ଯାଂଚ ପାଇଁ ସମ୍ବଲପୁରରେ ପହଁଚିଥିଲେ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ । ପ୍ରାଥମିକ ଯାଂଚ ପରେ ସଂପୃକ୍ତ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ମଧ୍ୟ ଶୁଣିବାକୁ ମିଳୁଛି ।