କ୍ରିକେଟରୁ ସନ୍ୟାସ ନେବେ,ରାଜନୀତିରେ ଏଣ୍ଟ୍ରି କରିବେ ମାହି ? ଧୋନୀଙ୍କୁ ନେଇ ବିଜେପି ନେତା ଦେଲେ ବଡ ସଂକେତ ।

3,028

ସେମିଫାଇନାଲରେ ପରାସ୍ତ ହେବା ପରେ ବିଶ୍ୱକପରୁ ଟିମ୍ ଇଣ୍ଡିଆ ବାଦ୍ ପଡିଛି । ଆଉ ଏହାସହ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ମଧ୍ୟ ବଢି ଚାଲିଛି । କିନ୍ତୁ ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । କ୍ରିକେଟରୁ ଅବସର ନେବା ପରେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ଧୋନୀ । ବିଜେପିରେ ଦେଖିବାକୁ ମିଳିପାରେ ମାହିଙ୍କ ସେକେଣ୍ଡ ଇନିଂସ । ପୂର୍ବ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶୱାନଙ୍କ କହିବା ଅନୁଯାୟୀ ଖୁବଶୀଘ୍ର ଧୋନୀ କ୍ରିକେଟକୁ ଅଲବିଦା କହି ବିଜେପିର ସଦସ୍ୟତା ଗ୍ରହଣ କରିବେ । ଏଥିପାଇଁ ଧୋନୀଙ୍କ ସହ ଅନେକ ଥର ଆଲୋଚନା ହୋଇସାରିଥିବା କହିଛନ୍ତି ସଞ୍ଜୟ ।

ଜାତୀୟ ଗଣମାଧ୍ୟମକୁ ସଞ୍ଜୟ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଧୋନୀ କ୍ରିକେଟ ଜରିଆରେ ଦେଶ ପାଇଁ ବହୁତ ସେବା କରି ଆସିଛନ୍ତି । କିନ୍ତୁ ଏବେ କ୍ରିକେଟରୁ ସନ୍ୟାସ ନେଇ ସମାଜସେବା ଓ ଦେଶ ସେବା ପାଇଁ ରାଜନୀତିକୁ ଆସିବା ଆବଶ୍ୟକ । ଧୋନୀଙ୍କ ସହ ଏ ବାବଦରେ ବହୁ ବାର ଆଲୋଚନା ହୋଇଛି । କେବଳ ଧୋନୀଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା କରାଯାଇଛି ।

ଧୋନୀଙ୍କୁ ରାଜନୀତିରେ ଏଣ୍ଟ୍ରି କରିବା ପୂର୍ବରୁ କ୍ରିକେଟରୁ ଅବସର ନେବାକୁ ପଡିବ । ପୂର୍ବରୁ ଧୋନୀ ଟି-୨୦ ଓ ଟେଷ୍ଟ ଫର୍ମାଟରୁ ଅବସର ନେଇ ସାରିଥିବା ବେଳେ ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି । ତେଣୁ ଦିନିକିଆ କ୍ରିକେଟକୁ ଅଲବିଦା କହିବା ପରେ ଧୋନୀ ରାଜନୀତିରେ ନୂଆ ଇନିଂସ ଖେଳିପାରନ୍ତି । ଏହାପୂର୍ବରୁ ବିଜେପିରେ ଅନେକ କ୍ରିକେଟର ସାମିଲ ହୋଇଛନ୍ତି । ପଞ୍ଚାବର କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ ପୂର୍ବରୁ ବିଜେପିରେ ସାମିଲ ହେବା ସହ ପଲିଟିକ୍ସରେ ଏଣ୍ଟ୍ରି ମାରିଥିଲେ । ସେହିଭଳି ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର । ପରେ ଗମ୍ଭୀରଙ୍କୁ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଥିଲା ଦଳ । ଆଉ ଗମ୍ଭୀର ମଧ୍ୟ ବିଜୟ ହୋଇ ରାଜନୀତିରେ ନୂଆ କ୍ୟାରିୟର ଆରମ୍ଭ କରିଛନ୍ତି ।