ଅବସର ନେବେ କି ଧୋନି ? କ୍ୟାପଟେନ କୋହଲିଙ୍କ ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ।

1,076

କନକ ବ୍ୟୁରୋ : କ୍ରିକେଟକୁ ବାଏ ବାଏ କରିବେ କି କ୍ୟାପଟେନ କୁଲ୍? କ୍ୟାପଟେନ କୋହଲିଙ୍କ ଏକ ଟ୍ୱିଟ୍ ପରେ ଏବେ ସୋସିଆଲ ମିଡିଆରେ ଧୋନୀଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି ବୋଲି କ୍ରିକେଟ ପ୍ରଂଶସକ ମାନେ ଜୋରଦାର ଆଲୋଚନା କରୁଛନ୍ତି । ଯାହା ମାହିଙ୍କ ଫ୍ୟାନଙ୍କ ହାର୍ଟବିଟ୍ ବଢାଇଦେଇଛି ।

କୋହଲି ଆଜି ସକାଳେ ଏକ ମ୍ୟାଚର ଫଟୋ ସେୟାର କରିଥିଲେ । ଯେଉଁଥିରେ ଧୋନିଙ୍କ ସାମ୍ନାରେ ସେ ଆଣ୍ଠେଇ ବସିଥିବାର ନଜର ଆସିଥିଲେ । ଆଉ ଏହି ଟ୍ୱିଟରେ କୋହଲି ଯାହା ଲେଖିଥିଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କ୍ୟାପସନରେ କୋହଲି ଲେଖିଥିଲେ, ଏହି ମ୍ୟାଚକୁ କେବେ ଭୁଲି ପାରିବି ନାହିଁ । ଏହା ମୋ ସ୍ମରଣୀୟ ରାତି । ଏହି ମ୍ୟାଚରେ ଧୋନି ମୋତେ ଫିଟନେସ ଟେଷ୍ଟରେ ଦୌଡାଇବା ଭଳି ଦଉଡାଇଥିଲେ । ଏହି ଟ୍ୱିଟରେ ଧୋନିଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି କୋହଲି ।

କୋହଲି ଟ୍ୱିଟ୍ କରିଥିବା ଫଟୋଟି ୨୦୧୬ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ କ୍ୱାର୍ଟର ଫାଇନାଲର । ଏହି ମ୍ୟାଚରେ ଧୋନି ଅଧିନାୟକ ଥିବା ବେଳେ ଭାରତ ଏହି ମ୍ୟାଚକୁ ୬ ୱିକେଟରେ ବାଜି ମାରି ନେଇଥିଲା । ଏହି ମ୍ୟାଚରେ କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ବିଜୟର ହିରୋ ସାଜିଥିଲେ । ଏହି ମ୍ୟାଚରେ ଉଭୟ ଧୋନି-କୋହଲିଙ୍କ ମଧ୍ୟରେ ୬୭ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା ।

ତେବେ ବିଶ୍ୱକପ୍ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପରାଜୟ ବରଣ କରିବା ପରେ ଧୋନିଙ୍କ ସନ୍ୟାସ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରୁ ନିଜେ ଓହରି ଯାଇଥିଲେ ଧୋନି ।