ପୁଅ ଓ ପ୍ରତିଦ୍ୱନ୍ଦିତାର ଦୋଛକିରେ ଦାମ । କହିଲେ, ବିଜେପି ପାଇଁ ପାରାଦୀପରେ ପ୍ରଚାର କରିବେ, କିନ୍ତୁ ସମ୍ବିତଙ୍କୁ ନେଇ ସସପେନ୍ସରେ ରଖିଲେ ।

418

କନକ ବ୍ୟୁରୋ : ପାରାଦୀପରୁ ବିଜେଡି ଟିକେଟ ଘୋଷଣା ପରେ ଏବେ ଦ୍ୱନ୍ଦ୍ୱରେ ପଡିଛନ୍ତି ଦାମ । କାରଣ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ପାରାଦୀପରୁ ପ୍ରାର୍ଥୀ କରିବା ପରେ ଦାମ କଣ କରିବେ ତାହାକୁ ନେଇ ଏବେ ଅକଳରେ ପଡିଛନ୍ତି । ପାର୍ଟି ପାଇଁ ପ୍ରଚାର କରିବେ କିନ୍ତୁ ପୁଅ ବିରୋଧରେ ପ୍ରଚାର କରିବେନି ବୋଲି ବୁଲେଇ ବଙ୍କେଇ କହିଛନ୍ତି ଦାମ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟ ରାଜନୀତିର ପୋଖତ ଖେଳାଳି ଦାମୋଦର ରାଉତ ବିଜେପିରୁ ବାଲିକୁଦା-ଏରସମା ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ପାରାଦୀପରୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବରୁ ପାରାଦୀପ ଆସନରୁ ଲଢି ଜିତି ଆସୁଥିଲେ ଦାମ । ତେବେ ବିଜେଡିରୁ ବିଦା ହେବା ପରେ କ୍ୟାମ୍ପ ବଦଳାଇବା ସହ ଲଢିବା ପାଇଁ ନିଜ ନିର୍ବାଚନମଣ୍ଡଳୀ ମଧ୍ୟ ପରିବର୍ତ୍ତନ କରିଥିଲେ ଦାମ । ଆଉ ଏହି ଆସନରୁ ଯେତେବେଳେ ଏବେ ପୁଅ ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି ସେତେବେଳେ ଦାମଙ୍କ ପାଇଁ ଅଡୁଆ ବଢିଛି । କାରଣ ପାରାଦୀପରେ ଦାମଙ୍କ ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ତେଣୁ ଦାମଙ୍କ ଏହି ଭୋଟ ବିଜେପି ଆଡକୁ ଢଳିବ ନା ପୁଅ ସମ୍ବିତଙ୍କ ଖାତାକୁ ଆସିବ ତାହା ଦାମଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ।

ଏହାଛଡା ଅନ୍ୟ କ୍ୟାମ୍ପରେ ଥିବା କାରଣରୁ ପୁଅ ସମ୍ବିତଙ୍କ ବିରୋଧରେ ଦାମ ପ୍ରଚାର କରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ତେବେ ଦାମ ଏହାର ଉତ୍ତର ଦେବାକୁ ଯାଇ କହିଛନ୍ତି, ମୁଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବି । ମୁଁ ଅନ୍ୟ ପ୍ରାର୍ଥୀଙ୍କ ବିଷୟରେ କାହିଁକି କହିବି । ମୁଁ ଏତେ ଅବିବେକୀ ନୁହେଁ ଯେ ଗୋଟିଏ ଦଳର ପ୍ରାର୍ଥୀ ହୋଇ ଅନ୍ୟ ଦଳ ପାଇଁ ପ୍ରଚାର କରିବି । ଏଭଳି କହି ଦାମ ପୁଅ ବିରୋଧରେ ପ୍ରଚାର କରିବେ କି ନାହିଁ ତାହାକୁ ସସପେନ୍ସରେ ରଖିଛନ୍ତି । ଯଦି ଦାମ ପୁଅ ବିରୋଧରେ ପ୍ରଚାର କରନ୍ତି ତେବେ ରାଜ୍ୟ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହେବ । ଗୋଟିଏ ପଟେ ନବୀନ ସରକାରକୁ ହଟାଇବାକୁ ଦାମ ଆହ୍ୱାନ ଦେଉଥିବା ବେଳେ ପୁଅ ପାରାଦୀପରେ ବିଜେଡି ଟିକେଟରୁ ଲଢୁଥିବାରୁ ଦାମ ଚୁପ ରହିବେ ନା ନିଜ ଆଭିମୁଖ୍ୟରେ ଅଟଳ ରହିବେ ତାହା ଦେଖିବା ବାକି ରହିଲା ।