କ୍ଷମତାକୁ ଆସିବା ପାଇଁ ଲୋଭର ପେଡି ଖୋଲିଲେ ରାହୁଲ? ପଶ୍ଚିମରେ ପୋତିଲେ ଚାଷୀ, ଗରିବ ଓ ଆଦିବାସୀଙ୍କ ଭୋଟବ୍ୟାଙ୍କ ମଞ୍ଜି

291

କନକ ବ୍ୟୁରୋ : ଓଡିଶା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୩ଟି ବଡ ଘୋଷଣା । ଆଉ ରାହୁଲ ଗାନ୍ଧିଙ୍କ ଏହି ଘୋଷଣା ସହ ଗରିବ, ଚାଷୀ ଓ ଆଦିବାସୀଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଦଳ । ଗୋଟିଏ ଗୁଳିରେ ଏକା ଥରକେ ୩ଟି ଶିକାର କରିବାକୁ ଭୁଲି ନାହାନ୍ତି କଂଗ୍ରେସ ହାଇକମାଣ୍ଡ । ଓଡିଶାର ଯେଉଁ ମାନଙ୍କ ହାତରେ ସର୍ବାଧିକ ଭୋଟବ୍ୟାଙ୍କ ରହିଛି ସେମାନଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଯାହା କଂଗ୍ରେସକୁ ନିର୍ବାଚନରେ ଫାଇଦା ଦେବ ବୋଲି କୁହାଯାଉଛି । ଗରିବ, ଚାଷୀ ଓ ଆଦିବାସୀଙ୍କୁ ଲକ୍ଷ୍ୟ କରି ରାହୁଲ ଗାନ୍ଧି ଯେଉଁ ପ୍ରତିଶୃତିର ମଞ୍ଜି ବୁଣିଛନ୍ତି ତାହା କଂଗ୍ରେସକୁ ୨୦୧୯ ନିର୍ବାଚନୀ ରେସରେ ଗୋଟିଏ ପାଦ ଆଗରେ ରଖିଛି ।

ପଶ୍ଚିମ ଓଡିଶାରେ ରାହୁଲ ଗାନ୍ଧି ଆଦିବାସୀ, ଗରିବ ଓ ଚାଷୀଙ୍କୁ ନିର୍ବାଚନୀ ଥୋପ ଦେଇଛନ୍ତି । ଖାସକରି ଓଡିଶାରେ କଂଗ୍ରେସ ସରକାରକୁ ଆସିଲେ କୃଷି ଋଣ ଛାଡ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା ହେବ ବୋଲି ଘୋଷଣା କରି ଚାଷୀଙ୍କ ମନ ଜିଣିବାକୁ କଂଗ୍ରେସ ହାଇକମାଣ୍ଡ ଚେଷ୍ଟା କରିଥିବା ବେଳେ ଗରିବଙ୍କୁ ସର୍ବନିମ୍ନ ଆୟର ଉପହାର ଦେବାକୁ ପ୍ରତିଶୃତି ଦେଇଛନ୍ତି ରାହୁଲ । ଏହାବାଦ ପଶ୍ଚିମ ଓଡିଶାର ଭୋଟବ୍ୟାଙ୍କ ହାତେଇବାକୁ ରାହୁଲ ଖେଳିଛନ୍ତି ଆଦିବାସୀ କାର୍ଡ । କଂଗ୍ରେସ ସରକାର ଆସିଲେ ଆଦିବାସୀଙ୍କ ଜମି ରକ୍ଷା କରିବା ସହ ବିନା ଅନୁମତିରେ ଆଦିବାସୀଙ୍କ ଜମି ନିଆଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଆଉ ରାହୁଲଙ୍କ ଏଭଳି ପ୍ରତିଶୃତିର ପେଡି ଆଗାମୀ ନିର୍ବାଚନରେ କଂଗ୍ରେସକୁ ସୁହାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଚାଷୀଙ୍କ ପ୍ରସଙ୍ଗକୁ ଏବେ ଆକ୍ଟିଭ ମୋଡରେ ରହିଛି କଂଗ୍ରେସ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପାଇଁ କଂଗ୍ରେସ ଯେଉଁ ଋଣନୀତି ଆପଣାଇଥିଲା ତାହାର ରିପିଟ ଓଡିଶାରେ କରିବାକୁ ଘୋଷଣା କରିଛନ୍ତି ରାହୁଲ । ଖାସକରି ଏହି ୩ ରାଜ୍ୟରେ ସରକାରକୁ ଆସିବା ପରେ ଯେଉଁଭଳି ଭାବେ କୃଷି ଋଣ ଛାଡ କରାଯାଇଥିଲା ଠିକ୍ ସେହିଭଳି ଓଡିଶାରେ ମଧ୍ୟ ସମାନ ଫର୍ମୁଲା ଆପଣାଇବାକୁ ଘୋଷଣା କରିଛନ୍ତି ରାହୁଲ । ସରକାରକୁ ଆସିବାର ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ ହେବ ଓ ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରି ଚାଷୀକୂଳକୁ ଖୁସି କରିବାକୁ ଜୋରଦାର ପ୍ରୟାସ କରିଛନ୍ତି ରାହୁଲ । ଯେହେତୁ ଓଡିଶାରେ ଚାଷୀଙ୍କ ଭୋଟବ୍ୟାଙ୍କ ଅଧିକ ରହିଛି ତେଣୁ ରାହୁଲଙ୍କ ଏହି ଘୋଷଣା କଂଗ୍ରେସ ଦଳ ପାଇଁ ୨୦୧୯ରେ ଗେମଚେଞ୍ଜର ହୋଇପାରେ ।

କେବଳ ଚାଷୀ ନୁହେଁ ଗରିବଙ୍କ ଭୋଟବ୍ୟାଙ୍କ ହାତେଇବାକୁ ମଧ୍ୟ ୟୁନିଭରସାଲ ବେସିକ ଇନକମ୍ ଫର୍ମୁଲାକୁ ମଧ୍ୟ ସାମ୍ନାକୁ ଆଣିଛନ୍ତି ରାହୁଲ । ଏହାମାଧ୍ୟମରେ ଦେଶରେ ଥିବା ଗରିବଙ୍କୁ ନିଜ ସପକ୍ଷକୁ ନେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କଂଗ୍ରେସ । ଗରିବଙ୍କୁ ସର୍ବନିମ୍ନ ଆୟ ଦେବାକୁ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ରାହୁଲ । ରାହୁଲଙ୍କ ଏହି ଘୋଷଣା କେବଳ ଗରିବଙ୍କୁ ଖୁସି କରିନାହିଁ ବରଂ କଂଗ୍ରେସକୁ ନିର୍ବାଚନୀ ରେସରେ ଫ୍ରଣ୍ଟଫୁଟରେ ଛିଡା କରାଇଛି ।

ଚାଷୀ ଓ ଗରିବଙ୍କ ବାଦ୍ ପଶ୍ଚିମ ଓଡିଶା ଗଡ ସଜାଡିବା ପାଇଁ ଆଦିବାସୀ କାର୍ଡ ଖେଳିଛନ୍ତି ରାହୁଲ । ଆଦିବାସୀଙ୍କୁ ହକ୍ ଫେରାଇଦେବାକୁ ଅଣ୍ଟା ଭିଡିଛନ୍ତି ଖୋଦ୍ କଂଗ୍ରେସ କମାଣ୍ଡର । ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର । ଏହା ଉପରେ ଆଦିବାସୀଙ୍କୁ ହକ୍ ଦେଇଥିଲା କଂଗ୍ରେସ । କିନ୍ତୁ ଶିଳ୍ପ ନାଁରେ ଆଦିବାସୀଙ୍କ ବିନା ଅନୁମତିରେ ଯେଉଁ ଜମି ନିଆଯାଇଛି କିନ୍ତୁ ଅବ୍ୟବୃହତ ହୋଇ ପଡି ରହିଛି ତାହାକୁ ଫେରାଇଦେବାକୁ କଂଗ୍ରେସ ନିଷ୍ପତି ନେଇଛି । କଂଗ୍ରେସ ସରକାର ଆସିଲେ, ଆଦିବାସୀ ଚାଷୀଙ୍କୁ ବଜାର ଦର ଠାରୁ ୪ ଗୁଣା ଅଧିକ ଅର୍ଥ ଦେଇ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରାଯିବ । ସେମାନଙ୍କ ବିନା ସମ୍ମତିରେ ଜମି ନିଆଯିବନି । ଯଦି ଜମି ନିଆଗଲା ତେବେ ୫ ବର୍ଷ ଭିତରେ ଶିଳ୍ପ ସ୍ଥାପନ ହେବ । ଆଉ ଯଦି ଏହି ସମୟ ମଧ୍ୟରେ ଶିଳ୍ପାନୁଷ୍ଠାନ ହେଲାନାହିଁ, ତେବେ ସେହି ଜମି ସିଧା ଆଦିବାସୀ ଓ ଚାଷୀଙ୍କୁ ଫେରାଇ ଦିଆଯିବ । ଛତିଶଗଡ ଓ ମଧ୍ୟପ୍ରଦେଶରେ ଆଦିବାସୀଙ୍କୁ ଜମି ଫେରା କାମ ଆରମ୍ଭ ହୋଇଥିବା ବେଳେ ଓଡିଶାରେ କଂଗ୍ରେସ ସରକାର ଆସିଲେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ରାହୁଲ ।

ରାହୁଲଙ୍କ ଏହି ଘୋଷଣା ରାଜ୍ୟ କଂଗ୍ରେସ ପାଇଁ ବଡ ବ୍ରହ୍ମାସ୍ତ୍ର ଭାବେ ଉଭା ହେବାକୁ ଯାଉଛି । କାରଣ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ରାହୁଲଙ୍କ ଏହି ଘୋଷଣା ରାଜ୍ୟର ଏହି ୩ ବର୍ଗର ଲୋକଙ୍କ  ମନ ଜିଣିବ ବୋଲି ଚର୍ଚ୍ଚା ହେଉଛି । ଯାହା କଂଗ୍ରେସକୁ ବେଶ ଫାଇଦା ମଧ୍ୟ ଦେବ କାରଣ ରାଜ୍ୟରେ ଗରିବ, ଚାଷୀ ଓ ଆଦିବାସୀଙ୍କ ବଡ ଭୋଟ ବ୍ୟାଙ୍କ ରହିଛି । ତେବେ ରାହୁଲଙ୍କ ଏହି ପ୍ରତିଶୃତିର ପେଡି ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିପାରୁଛି ଓ ଏହି ୩ ବର୍ଗର ଲୋକଙ୍କୁ କେତେ ଆକୃଷ୍ଟ କରି ପାରୁଛି ତାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହୋଇଯିବ ।