ଭୁବନେଶ୍ୱରରେ ଅପରାଜିତାଙ୍କ ଅଫିସ : ଖୁବଶୀଘ୍ର ଆରମ୍ଭ ହେବ ପଲିଟିକାଲ୍ ଇନିଂସ!

ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପରେ କୃତଜ୍ଞତା ଜଣାଇଲେ ଅପରାଜିତା

490

କନକ ବ୍ୟୁରୋ: ପ୍ରଶାସକରୁ ରାଜନେତା ବନିବାକୁ ଯାଉଥିବା ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଅପରାଜିତା ଷଡଙ୍ଗୀଙ୍କ ଅଫିସ । ଭୁବନେଶ୍ୱରରେ ସେ ଏକ ଅଫିସ ଖୋଲି ସେଠାକୁ ମଝିରେ ମଝିରେ ଯାଉଛନ୍ତି । ଏହି ଅଫିସ ଫୁଲ୍ ଦମରେ କାର୍ଯ୍ୟକ୍ଷମ ହୋଇନାହିଁ ସତ, ତେବେ ନୂଆ କ୍ୟାରିୟର ପାଇଁ ଫୁଲ ଦମରେ ସେ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି । ସେପଟେ ତାଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏ ନେଇ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପରାଜିତା ।  ବିଜେପିରେ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି, ତାକୁ ଆହୁରି ଖୋରାକ ଯୋଗାଇଛି ଅପରାଜିତାଙ୍କ ଟ୍ୱିଟ୍ ।

ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଚର୍ଚ୍ଚା ଯେତିକି ବଢୁଛି, ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ସ୍ୱେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବା ନେଇ ଟ୍ୱିଟ୍ କରି ଜଣାଇଛନ୍ତି ଅପରାଜିତା । ନିଜ ଟୁଇଟର ପେଜରେ ଗତକାଲି ଅପରାଜିତା ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ଅନୁମତି ଥିବା ନିର୍ଦ୍ଦେଶନାମା ମୋତେ ଆଜି ମିଳିଛି । ମୋର ଆବେଦନକୁ ଗ୍ରହଣ କରିବା ସହ ଅନୁମତି ଦେଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଆଗକୁ ସକରାତ୍ମକ ଉତ୍ସାହ ଓ ନୂଆ ଆଶା ସହ ମୁଁ ପରବର୍ତ୍ତୀ ଯାତ୍ରା କରିବି । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା କାମନା କରୁଛି ।’

ଏବେ ଭୁବନେଶ୍ୱରରେ ଅଛନ୍ତି ଅପରାଜିତା । ନୂଆପଲ୍ଲୀରେ ମଧ୍ୟ ସେ ଏକ ଅଫିସ ଖୋଲିଛନ୍ତି । ଅଫିସ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଅଳ୍ପ କିଛି ସମୟ ସେଠାରେ କଟାଉଛନ୍ତି ଅପରାଜିତା । ସୂଚନା ମିଳୁଛି, ଖୁବଶୀଘ୍ର ଫୁଲ ଦମ୍ରେ କାମ କରିବ ଏହି ଅଫିସ । ସେପଟେ ଅପରାଜିତାଙ୍କୁ ନେଇ ଉଷୁମ ହେବାରେ ଲାଗିଛି ରାଜ୍ୟ ରାଜନୀତି ।

ତେବେ ଚର୍ଚ୍ଚା ହେଉଛି ବିଜେପିରେ ଯୋଗ ଦେଇ ରାଜ୍ୟ ରାଜନୀତିରେ ଏକ ବଡ ଭୂମିକାରେ ଆସିବାକୁ ଯାଉଛନ୍ତି ଏହି ପ୍ରଶାସନିକ ଅଧିକାରୀ । ଯେଉଁ ଲୋକପ୍ରିୟତା ପ୍ରଶାସନିକ ଜୀବନରେ ସେ ହାସଲ କରିଥିଲେ, ଠିକ ସେଭଳି ରାଜନୈତିକ ସ୍ତରରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଓଡିଶାରେ ବିଜେପି ନୂଆ ଏକ ଫର୍ମୁଲା ସହ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଅପରାଜିତା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି । ତେବେ ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି ଅପରାଜିତା ।