ସବୁ ବିଧାୟକ କଂଗ୍ରେସରେ ଥିବେ ତ ଟିକେଟ ନେଇ ନିର୍ବାଚନ ଲଢିବାକୁ? ୨୦୧୯ ପୂର୍ବରୁ ଦଳବଦଳର ଜୋରଦାର ଚର୍ଚ୍ଚା ।

32

କନକ ବ୍ୟୁରୋ : ପାଖାପାଖି ୫୦ ଟିକେଟ ଚୂଡାନ୍ତ କରିଦେଲା କଂଗ୍ରେସ । ରାଜ୍ୟ ସ୍ତରୀୟ ସ୍କ୍ରିନିଂ କମିଟିରେ ନାଁ ପାଶ୍ ହେବା ପରେ ଏବେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓ ହାଇକମାଣ୍ଡଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା । କୁହାଗଲା, ସମସ୍ତ ବିଧାୟକଙ୍କୁ ଦଳ ଟିକେଟ ଦେବ । ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସବୁ ନେତା ଟିକେଟ ପାଇବେ ।

ହେଲେ ରାଜନୈତିକ ଗଳିରେ ଚାଲିଥିବା ଚର୍ଚ୍ଚା ଅନୁସାରେ, କଂଗ୍ରେସରେ ସବୁ ବିଧାୟକ ଥିବେ ଯେ ଟିକେଟ ନେବେ । ଏହି ଉକ୍ତିର ମର୍ମ ହେଲା, ୨୦୧୯ ପୂର୍ବରୁ କଂଗ୍ରେସର ଅନେକ ବିଧାୟକ ଦଳ ଛାଡି ଅନ୍ୟ ଦଳକୁ ଡେଇଁବେ । ସୂଚନା ଅନୁସାରେ, କିଛି ବିଧାୟକଙ୍କୁ ଶାସକ ବିଜେଡି ଗ୍ରୀନ ସିଗନାଲ ଦେଇ ସାରିଛି । ଖାଲି ସମୟକୁ ଅପେକ୍ଷା କରାଯାଇଛି ।

ରାଜ୍ୟ ରାଜନୀତିରେ ଦଳବଦଳ କିଛି ନୂଆ କଥା ନୁହେଁ । ନିର୍ବାଚନ ଆସିଲେ ଏହି ଧାରା ଆହୁରି ଜୋରଦାର ହେବ । ହେଲେ କଂଗ୍ରେସ ଯେଉଁ ନେତାମାନଙ୍କୁ ଭରସା କରି ରହିଛି ଟିକେଟ ଦେଇ ନିର୍ବାଚନ ଲଢିବ ବୋଲି, ଶେଷ ମୁହୁର୍ତ୍ତରେ ସେମାନେ ଅନ୍ୟ ଦଳରୁ ଟିକେଟ ନେଇ ଲଢିବେ । ଏଭଳି କ୍ଷେତ୍ରରେ କଂଗ୍ରେସର କଣ ହେବ?

ଚର୍ଚ୍ଚା ଚାଲିଛି, ପଶ୍ଚିମ ଓଡିଶାର, ଦକ୍ଷିଣ ଓଡିଶା ଏବଂ ଉପକୂଳ ଓଡିଶାର ବିଧାୟକ ମାନେ ଏହି ରେସରେ ଅଛନ୍ତି । ପଶ୍ଚିମ ଓଡିଶାର ବିଧାୟକଙ୍କର ଟିକେଟ ନିଶ୍ଚିତ ନେଇ କୁଆଡେ କୁହାସରିଛି । ଉପକୂଳ ଓଡିଶାର ବିଧାୟକ ନିଜ ପୁରୁଣା ଲିଙ୍କ ଜରିଆରେ ଶାସକ ଦଳକୁ ଆସିବାକୁ ପ୍ରୟାସ କରୁଛନ୍ତି । ଆଉ ଦକ୍ଷିଣ ଓଡିଶାର କିଛି ବିଧାୟକଙ୍କୁ ଧରି ଅଙ୍କ କଷୁଛି ବିଜେଡି । ଅଙ୍କ ଯଦି ସୁହାଇଲା, ତେବେ ସେମାନଙ୍କୁ ତୁରନ୍ତ ଆଣି ଦଳରେ ମିଶାଇ ଦିଆଯିବ ।

କୁହାଯାଉଛି, ଏଭଳି କ୍ଷେତ୍ରରେ କଂଗ୍ରେସ ହିଁ ସବୁଠାରୁ ଅଧିକ ଅସୁବିଧାରେ ପଡିବ । କାରଣ, ଯାହାକୁ ଟିକେଟ ଦେବାକୁ ଦଳ ମନସ୍ଥ କରିଛି, ସେମାନେ ହିଁ ଦଳ ଠାରୁ ଦୂରେଇ ଗଲେ, ନେତା ଖୋଜିବା ପାଇଁ ସବୁଠାରୁ ବଡ ଆହ୍ୱାନ ହେବ । ଦେଖାଯାଉ, କଂଗ୍ରେସରୁ କିଏ କେଉଁ ଦଳକୁ ଡେଉଁଛି, ଆଉ ଟିକେଟ ତାଲିକାରେ କାହା ନାଁ ଯୋଡି ହେଉଛି ।