ବାରହା ପାଇଁ ମାଟ୍ରିକ୍‌ ପରୀକ୍ଷାର୍ଥୀ ହଟହଟା ! ଭିତରେ ଜଗିଲେ ଶିକ୍ଷକ, ବାହାରେ ବନବିଭାଗ

299

କନକ ବ୍ୟୁରୋ : ବାରହା ପାଇଁ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଛି । ପରୀକ୍ଷାକେନ୍ଦ୍ରରେ ଏକ ବାରହା ୬ଟି ଛୁଆ ଜନ୍ମ ଦେବା ଯୋଗୁ ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଭିତରେ ଶିକ୍ଷକ ଓ ବାହାରେ ବନବିଭାଗ କର୍ମଚାରୀଙ୍କୁ ଜଗି ରହିବାକୁ ପଡ଼ିଥିଲା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍‌ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠରେ ଘଟିଥିବା ଏହି ଘଟଣାରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଗତକାଲି ଏହି ବାରହା ପରୀକ୍ଷାକେନ୍ଦ୍ର ଭିତରକୁ ପଶିଯାଇଥିଲା । ବିଦ୍ୟାଳୟ ପରିସର ପ୍ରବେଶ ଫାଟକ ନିକଟରେ ୬ଟି ଶାବକ ଜନ୍ମ ଦେଇଥିଲା । ହେଲେ ବନ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିଲା । ପରୀକ୍ଷା ସମୟ ପାଖେଇଲା । ମାଟ୍ରିକ୍ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ଓ ପରିଚାଳନା ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚି ଭୟଭୀତ ହୋଇ ପଡ଼ିଥିଲେ । ଅଭିଭାବକ ମାନେ ବି ବାରହାକୁ ଦେଖି ପିଲାଙ୍କ ସୁରକ୍ଷା ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏନେଇ ସଂଗେ ସଂଗେ ସାମନ୍ତିଆପଲ୍ଲୀ ବନା‌ଞ୍ଚଳଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା ।

ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ନେତୃତ୍ବରେ ୮ଜଣ କର୍ମଚାରୀ କେନ୍ଦ୍ରକୁ ଆସିଥିଲେ । ବାରହା ଓ ଶାବକଙ୍କୁ ସ୍ଥାନାନ୍ତର ଦିଗରେ ତ ହଠାତ୍‌ କିଛି କରିପାରି ନଥିଲେ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ । ଅପରାହ୍ନ ସାଢେ ୧୨ଟାରେ ପରୀକ୍ଷା ସରିବା ପରେ ବନବିଭାଗ ତତ୍ତ୍ବାବଧାନରେ ପିଲାଙ୍କୁ ଛଡ଼ା ଯାଇଥିଲା । ବାରହା ଯେମିତି ହିଂସ୍ର ନହେବ ଏଥିପ୍ରତି ଧ୍ୟାନ ଦିଆ ଯାଇଥିଲା । ଅନ୍ୟପକ୍ଷରେ ଆଜି ରାତି ସୁଦ୍ଧା ବାରହାକୁ ସେଠାରୁ ବାହାର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ଖବର ମିଳିବା ସୁଦ୍ଧା ଶାବକଙ୍କୁ ମା’ ବାରହା ଜଗି ରହିଛି । ଏହି କେନ୍ଦ୍ରରେ ୬ଟି ହାଇସ୍କୁଲର ୩୧୨ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବାରହା ଯୋଗୁଁ ଅଭିଭାବକ ଓ ପରୀକ୍ଷାର୍ଥୀ ଆତଙ୍କିତ ହୋଇ ରହିଛନ୍ତି । ଏହି ଘଟଣାକୁ ନେଇ ଆଜି ଦିନତମାମ ଚର୍ଚ୍ଚା ଲାଗି ରହିଥିଲା ।