ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ୧୦ ହଜାର ଫୁଟ୍ ଉପରେ ମଧ୍ୟ ମିଳିବ ୱାଇଫାଇ ସୁବିଧା

90

ଏବେ ଆକାଶପଥରେ ମିଳିବ ୱାଇଫାଇର ସୁବିଧା ।ତାହା ବି ପୁଣି ପ୍ରାୟ ୧୦ ହଜାର ଫୁଟ ଉପରେ । ଭାରତୀୟ ଏୟାର ସ୍ପେଶ ପକ୍ଷରୁ ଏବେ ଯାତ୍ରୀ ମାନଙ୍କୁ ବିମାନରେ ୱାଇଫାଇର ସୁବିଧା ମିଳିବ । ଟେଲିକମ୍ ମନ୍ତ୍ରାଳୟ ବିମାନ ମଧ୍ୟରେ ଇନଫ୍ଲାଇଟ କନେକ୍ଟିଭିଟି ପାଇଁ ନୂଆ ନିୟମ ଜାରି କରିଛନ୍ତି । ଏହା ପୂର୍ବରୁ ଟ୍ରାଇ ବିମାନ ମଧ୍ୟରେ ୱାଇଫାଇ ସୁବିଧା ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଥିଲେ । କିନ୍ତୁ ୱାଇଫାଇ ବ୍ୟବହାର କରିବା ସମୟରେ ଫୋନକୁ ଫ୍ଲାଇଟ ମୋଡରେ ରଖିବାକୁ ପଡିବ ।

ଟେଲିକମ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମ ଅନୁଯାୟୀ, ଏବେ ୱାଇଫାଇ ସେବା ପ୍ରଦାନ କରୁଥିବା ସଂସ୍ଥା ଏହାର ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଏହାପୂର୍ବରୁ ଲୁଥାନ୍ସା, ସିଙ୍ଗାପୁର ଏୟାରଲାଇନ୍ସ, କତର ଏଆରୱେଜ ଓ ଏମିରେଟସ ଭଳି ବିଦେଶୀ ବିମାନ କମ୍ପାନି ବିମାନ ମଧ୍ୟରେ ଯାତ୍ରୀଙ୍କୁ ମୋବାଇଲ ଇଣ୍ଟରନେଟର ସୁବିଧା ପ୍ରଦାନ କରୁଥିଲେ । କିନ୍ତୁ ଭାରତୀୟ ସୀମାରେଖା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଏହି ଏୟାରଲାଇନ୍ସକୁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିବାକୁ ପଡୁଥିଲା ।

ଏସବୁ ଭିତରେ ଭାରତୀୟ କମ୍ପାନି ସ୍ପାଇସଜେଟର କହିବା ଅନୁଯାୟୀ, ବୋଇଂ ୭୩୭ ମ୍ୟାକ୍ସ ବିମାନ ସେଟକମ ସାଟେଲାଇଟ ଜରିଆରେ ବିମାନ ମଧ୍ୟରେ ଇଣ୍ଟରନେଟ ସେବା ପ୍ରଦାନ କରିବାକୁ ସକ୍ଷମ । ତେଣୁ ଏହି ନୂଆ ନିୟମ ଆସିବା ପରେ ବିମାନ ଯାତ୍ରୀଙ୍କୁ ଯାତ୍ରା ସମୟରେ ଇଣ୍ଟରନେଟର ସୁବିଧା ମିଳିବ ।

ବିମାନରେ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋବାଇଲ ଫୋନକୁ ଫ୍ଲାଇଟ ମୋଡରେ ରଖିବାକୁ କୁହାଯାଇଥାଏ । ଯେଉଁଥିପାଇଁ ବିମାନ ଯାତ୍ରା ସମୟରେ ଇଣ୍ଟରନେଟର ବ୍ୟବହାର କରିପାରନ୍ତି ନାହିଁ ଯାତ୍ରୀ । ତେଣୁ ଏହି ନୂଆ ନିୟମ ଆସିବା ପରେ ବିମାନ ଯାତ୍ରା ସମୟରେ ସାଧାରଣ ଲୋକେ ଇଣ୍ଟରନେଟର ବ୍ୟବହାର କରିପାରିବେ ।