୬ ହଜାର ଷ୍ଟେସନରେ ହେବ ୱାଇଫାଇ ବ୍ୟବସ୍ଥା ! ୮ ମାସ ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସୂଚନା ଦେଲେ ରେଳମନ୍ତ୍ରୀ ।

30

ଆଗାମୀ ୬ରୁ ୮ମାସ ମଧ୍ୟରେ ଭାରତର ପାଖାପାଖି ୬୦୦୦ ରେଲୱେ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ କରାଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ । ଫେଡେରେସନ ଅଫ୍ ଇଣ୍ଡିଆନ ଚ୍ୟାମ୍ବରର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀଜ୍ ଦ୍ୱାରା ଆୟୋଜିତ କରାଯାଇଥିବା ସ୍ମାର୍ଟ ରେଲୱେ କନକ୍ଲେଭକୁ ସମ୍ବୋନ୍ଧିତ କରିବା ଅବସରରେ ଏଭଳି ଘୋଷଣା କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ । ସେ କହିଛନ୍ତି, ତାଙ୍କର ବିଶ୍ୱାସ ରହିଛି ଯେ, ଡିଜିଟାଲ ଟେକ୍ନୋଲୋଜିର ଲାଭ ଉଠାଇବା ପାଇଁ ଏହାକୁ ଦୂରଦୁରାନ୍ତର କ୍ଷେତ୍ରରେ ବିନିଯୋଗ କରାଯିବା ଆବଶ୍ୟକ ।

ଦେଶର ପାଖାପାଖି ୬ ହଜାର ରେଲୱେ ଷ୍ଟେସନରେ ପାଖାପାଖି ୬ରୁ ୮ମାସ ଭିତରେ ୱାଇଫାଇ ସୁବିଧା ଉପଲବ୍ଧ କରାଯିବା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ । ତେବେ ଗତ ୪ବର୍ଷ ମଧ୍ୟରେ ରେଲୱେ ଷ୍ଟେସନ ଗୁଡିକରେ ବ୍ୟାପକ ଉନ୍ନତି କରାଯାଇଥିବା ରେଳମନ୍ତ୍ରୀ କହିଛନ୍ତି । ଟ୍ରେନ ଗୁଡିକ ସଠିକ ସମୟରେ ଚାଲିବା ପ୍ରସଙ୍ଗରେ ଗୋୟଲ କହିଛନ୍ତି ଯେ, ଏହି କାମରେ ପାଖାପାଖି ୭୦ ରୁ ୭୪ ପ୍ରତିଶତ ଉନ୍ନତି ଆସିଛି । ଏହି ଟ୍ରେନ ଗୁଡିକରେ ଜିପିଏସ୍ ଡିଭାଇସ୍ ଲଗାଯିବା ଯୋଜନାରେ ମଧ୍ୟ କାମ କରାଯାଉଛି । ଯାହାଦ୍ୱାରା କେଉଁ ଟ୍ରେନ କେଉଁଠାରେ ଅଛି, ତାହାର ସଠିକ ଭାବେ ଅନୁସନ୍ଧାନ କରାଯାଇପାରିବ । ସେ କହିଛନ୍ତି, ରେଳବାଇ ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ପ୍ରତି ବର୍ଷ ୨ ଅରବ ଡଲାର ସଞ୍ଚିତ କରିବ ଯାହାକୁ ଯାତ୍ରୀମାନଙ୍କ ସୁବିଧା ପାଇଁ ଉପଲବ୍ଧ କରାଯିବ ।