ନିର୍ବାଚନ ପୂର୍ବରୁ ନେତାଙ୍କୁ ନେଇ ବଡ଼ ତଥ୍ୟ ! ବାର୍ଷିକ ଆୟରେ ପତ୍ନୀମାନେ ଅଧିକ ଧନୀ, ତାଲିକାରେ ଆଗୁଆ ବିଜେପି ନେତା ।

93

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ରାଜ୍ୟରେ ୧୫ ବର୍ଷ ଧରି ଶାସନ କରୁଥିବା ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଜୋରସୋର ଉଦ୍ୟମ କରିଛି। ସେହିଭଳି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଚତୁର୍ଥ ଥର ପାଇଁ ଶାସନ କ୍ଷମତା ହାସଲ ଲାଗି ସବୁ ଶକ୍ତି ଲଗାଇଛନ୍ତି। ନିର୍ବାଚନକୁ ନେଇ ନେତାମାନେ ଦିନରାତି ଏକ କରିଦେଇଥିବା ବେଳେ ଏବେ ସେମାନଙ୍କ ସମ୍ପର୍କରେ ଏକ ନୂଆ କଥା ସାମ୍ନାକୁ ଆସିଛି। ବଡ଼ ନେତା ଭାବେ ରାଜ୍ୟରେ ନାଁ କମାଇଥିବା ପ୍ରମୁଖ ନେତା ସେମାନଙ୍କ ପତ୍ନୀଙ୍କ ଆୟ ଶକ୍ତି ତୁଳନାରେ ପଛୁଆ ଥିବା ଜଣାପଡ଼ିଛି। ଏହି ପ୍ରସଙ୍ଗ ଏବେ ରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ ରାଜ୍ୟରେ ଅଧାରୁ ଅଧିକ ନେତାଙ୍କ ଆୟ ସେମାନଙ୍କ ପତ୍ନୀଙ୍କ ତୁଳନାରେ ଢେର କମ୍। ଏମାନଙ୍କ ପତ୍ନୀଙ୍କ ପର୍ସ ଅଧିକ ଭାରୀ ବୋଲି ସେମାନେ ଖୋଦ ଦର୍ଶାଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ବି ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଶିବରାଜଙ୍କ ସତ୍ୟପାଠରେ ଦର୍ଶାଯାଇଛି ଯେ ତାଙ୍କ ପତ୍ନୀ ସାଧନା ସିଂହଙ୍କ ବାର୍ଷିକ ଆୟ ୩୭.୯୪ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କ ନିଜର ବାର୍ଷିକ ଆୟ ପରିମାଣ ୧୯.୭ ଲକ୍ଷ ଟଙ୍କା। ପୂର୍ବ ନିର୍ବାଚନ ବେଳେ ଶିବରାଜ ଦର୍ଶାଇଥିଲେ ଯେ ଟିକସ ଦେବା ପରେ ତାଙ୍କ ଆୟ ୧୭.୧୨ ଲକ୍ଷ ଟଙ୍କା ହୋଇଥିଲା ବେଳେ ପତ୍ନୀ ସାଧନାଙ୍କ ଆୟ ୨୦.୫୦ ଲକ୍ଷ ଟଙ୍କା ଥିଲା। ସେହିଭଳି ମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କ ପତ୍ନୀ ସରୋଜ ସିଂହଙ୍କ ବାର୍ଷିକ ଆୟ ୪.୫ କୋଟି ଟଙ୍କା ହୋଇଥିବା ବେଳେ ସିଂହଙ୍କ ଆୟ ୯୭ ଲକ୍ଷ ଟଙ୍କା। ମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ମଧ୍ୟ ସମାନ କଥା ଦର୍ଶାଇଛନ୍ତି। ଶୁକ୍ଳାଙ୍କ ସତ୍ୟପାଠରେ ତାଙ୍କ ବାର୍ଷିକ ଆୟ ୬.୬ ଲକ୍ଷ ଟଙ୍କା ଦର୍ଶାଯାଇଥିବା ବେଳେ ପତ୍ନୀ ସୁନୀତାଙ୍କ ଆୟ ୨୬.୪୪ ଲକ୍ଷ ଟଙ୍କା ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ୨୦୧୩ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମନ୍ତ୍ରୀ ସଞ୍ଜୟ ପାଠକଙ୍କ ବାର୍ଷିକ ଆୟ ୮୫ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କ ପତ୍ନୀ ନିଧି ୧.୪ କୋଟି ଟଙ୍କା ଆୟ କରିଥିବା ସତ୍ୟପାଠରେ ଦର୍ଶାଯାଇଛି। କଂଗ୍ରେସ ନେତାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। କଂଗ୍ରେସର ବରିଷ୍ଠ ନେତା ସୁରେଶ ପଚୌରି ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ବାର୍ଷିକ ଆୟ ୧୯.୯୯ ଲକ୍ଷ ଟଙ୍କା ହୋଇଥିବା ବେଳେ ପତ୍ନୀ ଡା. ସୁପର୍ଣ୍ଣା ଶର୍ମାଙ୍କ ଆୟ ୨୨.୬୧ ଲକ୍ଷ ଟଙ୍କା। ରାଜ୍ୟ କଂଗ୍ରେସର କାର‌୍ୟ୍ୟକାରୀ ଅଧ୍ୟକ୍ଷ ଜିତୁ ପଟୱାରୀଙ୍କ ସତ୍ୟପାଠ ମୁତାବକ, ପତ୍ନୀ ରେଣୁକାଙ୍କ ବାର୍ଷିକ ଆୟ ୧୭.୫ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କ ନିଜସ୍ବ ଆୟ ୧୫ ଲକ୍ଷ ଟଙ୍କା ହେବ। ପୂର୍ବ ମନ୍ତ୍ରୀ ତଥା ୪ ଥର ବିଧାୟକ ବାଲା ବଚ୍ଚନଙ୍କ ବାର୍ଷିକ ଆୟ ୭.୨ ଲକ୍ଷ ଟଙ୍କା ହୋଇଥିବା ବେଳେ ପତ୍ନୀ ପ୍ରବୀଣା ବଚ୍ଚନଙ୍କ ଆୟ ୧୦.୩୨ ଲକ୍ଷ ଟଙ୍କା ବୋଲି ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି। ମଧ୍ୟପ୍ରଦେଶ ବିଧାନସଭା ଆସନ ସଂଖ୍ୟା ୨୩୦ ଥିବା ବେଳେ ଏଠାରେ ଗୋଟିଏ ପର‌୍ୟ୍ୟାୟରେ ନଭେମ୍ବର ୨୮ରେ ନିର୍ବାଚନ ଅନୁଷ୍ଠିତ ହୋଇ ଡିସେମ୍ବର ୧୧ରେ ଫଳ ପ୍ରକାଶ ପାଇବ।