ଖରା ବର୍ଷାରେ ସୀମାରେ ରହି ଅନେକ ଅସୁବିଧାର ସାମ୍ମା କରି ଯେତେବେଳେ ଜଣେ ଯବାନ୍ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଏ ସେତେବେଳେ ସରକାର ସହିଦଙ୍କ ପରିବାରକୁ ସମ୍ପୁର୍ଣ୍ଣ ସାହାଯ୍ୟ ଏବଂ ସହଯୋଗ କରିବା ପାଇଁ ପ୍ରତିଜ୍ଞାବଦ୍ଧ ଥା’ନ୍ତି । କିନ୍ତୁ ସତରେ କ’ଣ ସରକାର ସହିଦଙ୍କ ସମ୍ମାନ କରନ୍ତି? ଏଭଳି ଏକ ପ୍ରଶ୍ନବାଚୀ ଠିଆ ହୋଇଛି ଝାରଖଣ୍ଡ ରାଜ୍ୟରେ ।

ଝାରଖଣ୍ଡର ଗୀରିଡିହ ଗ୍ରାମରେ ଜଣେ ବିଏସଏଫ୍ ସହୀଦ୍ ଯବାନଙ୍କ ପତ୍ନୀ ଏବଂ ତାଙ୍କ ସହ ହୋଇଥିବା ଅନ୍ୟାୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଏସଏଫ୍ ଯବାନ ସୀତାରାମ ଉପାଧ୍ୟାୟ ଡ୍ୟୁଟି ସମୟରେ ବୀରଗତି ପ୍ରାପ୍ତ କରିଥିଲେ । ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ କୁନି ଝିଅ । ଝିଅଙ୍କ ପ୍ରତିପୋଷଣ ଏବଂ ଶିକ୍ଷା ପାଇଁ ସ୍ତ୍ରୀ ରଶ୍ମି ଉପାଧ୍ୟାୟ ଡେପୁଟି କମିଶନର ଅଫିସରେ ପହଞ୍ଚିଥିଲେ । ଡେପୁଟି କମିଶନର ତାଙ୍କୁ କହିଥିଲେ ଯେ ଯଦି ସେ ଜିଲ୍ଲା ପ୍ରଶାସନ ଠାରୁ ଚାକିରୀ ଏବଂ ଅନ୍ୟ ସୁବିଧା ପାଇବାକୁ ଚାହୁଁଛନ୍ତି ତେବେ ଡ୍ୟୁଟି ସମୟରେ ସ୍ୱାମୀଙ୍କ ଜୀବନ ଯିବା ନେଇ ପ୍ରମାଣ କରି ଦେଖାନ୍ତୁ । ଏତିକି ନୁହଁ ସେ କହିଥିଲେ ଯେ ବିଏସଏଫର ପ୍ରମାଣପତ୍ରରେ ମୃତ୍ୟୁ ତାରିଖ ଏବଂ କେଉଁଠାରେ,କେତେବେଳେ ମୃତ୍ୟୁ ହୋଇ ଥିଲା ତାହା ମଧ୍ୟ ଦର୍ଶାଇବାକୁ ହେବ ।

ଯବାନଙ୍କ ଭାଇଙ୍କ କହିବାନୁସାରେ ବିଏସଏଫ ତରଫରୁ ମଧ୍ୟ ତାଙ୍କୁ ଏ ଯାଏଁ କୌଣସି ସୁବିଧା ପ୍ରାପ୍ତ ହୋଇନାହିଁ । ଭାଇଙ୍କ ସହିଦ୍ ହେବାର ଖବର ଦେବାକୁ ଜଣେ ଯବାନ୍ ଆସିଥିଲେ ଏବଂ ଗୋଟିଏ ଫୋନ୍ ନମ୍ବର ଦେଇ ଚାଲିଯାଇଥିଲେ । ନମ୍ବର ଡାଏଲ୍ କରିବାରୁ ସହିଦଙ୍କ ୟୁନିଫର୍ମ,ମୋବାଇଲ୍ ଫୋନ୍ ଏବଂ ଅନ୍ୟ ସାମଗ୍ରୀ ଆସିବା ପାଇଁ ୧୦ ଦିନ ସମୟ ଲାଗିବାକୁ ଉପରୋକ୍ତ ଅଧିକାରୀ କହିଥିଲେ କିନ୍ତୁ ମୃତ୍ୟୁର ୧ ମାସ ବିତି ଯାଇଥିଲେ ମଧ୍ୟ ବିଏସଏଫ୍ ତରଫରୁ ମଧ୍ୟ କିଛି ସୁଚନା ମିଳିନାହିଁ ।