ସଙ୍ଗରୋଧରେ ଥିଲେ ସ୍ୱାମୀ, ଘରୁ ଫେରାର ହେଲା ସ୍ତ୍ରୀ । ବାହାର ପଟୁ କବାଟ କିଳିଲେ, ତାଲା ଠୁଙ୍କି ପ୍ରେମିକ ସହ ଛୁ ମାରିଲେ… ସଙ୍ଗରୋଧକୁ ନେଇ ଆସିଲା ସ୍ୱାମୀ-ସ୍ତ୍ରୀ ସମ୍ପର୍କର ସାଙ୍ଘାତିକ କାହାଣୀ…

ସ୍ୱାମୀଙ୍କ ସଙ୍ଗରୋଧର ସୁଯୋଗ ନେଇ ସ୍ତ୍ରୀ ରଚିଥିଲା ଫେରାର ହେବାର ଫାଶ । ଉପର ମହଲାରେ ସ୍ୱାମୀ ଏକା ରହୁଥିବାରୁ ତାର ଫାଇଦା ଉଠାଇଥିଲା ସ୍ତ୍ରୀ ଆଉ ସ୍ୱାମୀଙ୍କୁ ବାହାର ପଟୁ କବାଟ ଦେଇ ସ୍ତ୍ରୀ ନିଜ ପ୍ରମିକ ସହ ଫେରାର ହୋଇଥିଲା ।

12,631

କନକ ବ୍ୟୁରୋ: ସଙ୍ଗରୋଧର ସାଙ୍ଘାତିକ କାହାଣୀ । କ୍ୱାରେଣ୍ଟାଇନରେ ସ୍ୱାମୀ, ଘରୁ ଫେରାର ସ୍ତ୍ରୀ । ସ୍ୱାମୀକୁ ତାଲା ଠୁଙ୍କି ପ୍ରେମିକ ସହ ଛୁ ମାରିଲା ପତ୍ନୀ । କ୍ୱାରେଣ୍ଟାଇନକୁ ନେଇ ସାରା ଦେଶରୁ ସବୁଦିନ କିଛି ନା କିଛି ଖବର ଆସୁଛି । କେଉଁଠି ସଙ୍ଗରୋଧ କେନ୍ଦ୍ରରେ ଲୋକେ ସମସ୍ୟାରେ ଯୁଝି ହେଉଛନ୍ତି ତ ପୁଣି କେଉଁଠି ଖାଦ୍ୟର ଖୁଣ ବାହାର କରି ଲୋକେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଗଣ୍ଡଗୋଳ କରୁଛନ୍ତି ଆଉ କେଉଁଠି ଫେରନ୍ତା ଶ୍ରମିକ ଘରକୁ ଲୁଚି ପଳାଉଛନ୍ତି । ତେବେ କରୋନା ବେଳେ ସଙ୍ଗରୋଧକୁ ନେଇ ଆସିଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କର ସାଙ୍ଘାତିକ କାହାଣୀ…

ମଧ୍ୟପ୍ରଦେଶର ୫୦ ବର୍ଷୀୟ ଜଣେ ଶ୍ରମିକ ଗତ ୧୯ ତାରିଖ ଦିନ ନିଜ ଗାଁ ଛତରପୁର ମୁଣ୍ଡେରୀକୁ ଫେରିଥିଲେ । ଦିଲ୍ଲୀର ଏକ ନିର୍ମାଣ କମ୍ପାନୀରେ କାମ କରୁଥିବା ବେଳେ ନିଜ ପରିବାର ସହ ସେ ପ୍ରାୟ ଦେଢ ବର୍ଷରୁ ଅଧିକ ସେଠାରେ ରହିଥିଲେ । ହେଲେ ନିଜ ପିଲାଙ୍କୁ ନେଇ କିଛି ଦିନ ହେବ ସ୍ତ୍ରୀ ଘରକୁ ଫେରି ଗାଁରେ ରହୁଥିଲେ ।

ତେବେ ଲକଡାଉନ ପାଇଁ କାମଧନ୍ଦା ବନ୍ଦ ଥିବାରୁ ସ୍ୱାମୀ ଜଣଙ୍କ ଶ୍ରମିକ ଟ୍ରେନରେ ଘରକୁ ଫେରିଥିଲେ ଆଉ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଉପର ମହଲାରେ ସ୍ୱାମୀ ସଙ୍ଗରୋଧରେ ଥିବାରୁ ତାଙ୍କ ସ୍ତ୍ରୀ ଏବଂ ୩ ଜଣ ପିଲା ତଳ ଘରେ ରହୁଥିଲେ । ତେବେ ଠିକ ଏହି ସମୟରେ ସ୍ୱାମୀଙ୍କ ସଙ୍ଗରୋଧର ସୁଯୋଗ ନେଇ ସ୍ତ୍ରୀ ରଚିଥିଲା ଫେରାର ହେବାର ଫାଶ । ଉପର ମହଲାରେ ସ୍ୱାମୀ ଏକା ରହୁଥିବାରୁ ତାର ଫାଇଦା ଉଠାଇଥିଲା ସ୍ତ୍ରୀ ଆଉ ସ୍ୱାମୀଙ୍କୁ ବାହାର ପଟୁ କବାଟ ଦେଇ ସ୍ତ୍ରୀ ନିଜ ପ୍ରମିକ ସହ ଫେରାର ହୋଇଥିଲା ।

କବାଟ ଫିଟାଇ କଳେ ବଳେ କୌଶଳେ ସ୍ୱାମୀ ଘର ଭିତରୁ ବାହାରକୁ ଆସିଥିଲେ ସତ ହେଲେ ଘରେ ତାଙ୍କ ସ୍ତ୍ରୀ ଆଉ ୩ ପିଲା ନଥିବା ସେ ଦେଖିବାକୁ ପାଇଥିଲେ । ପରେ ନିଜ ସ୍ତ୍ରୀକୁ ଖୋଜିବାକୁ ସ୍ୱାମୀ ଜଣଙ୍କ ବାହାରକୁ ବାହାରିଥିଲେ । ଡହଡହ ଖରାରେ ମୁଣ୍ଡରେ ଗାମୁଛା ପକାଇ ଗାଁରେ ଘର ଘର ବୁଲି ସ୍ତ୍ରୀଙ୍କୁ ଖୋଜିବା ପରେ ନିରାଶ ହୋଇଥିଲେ ସ୍ୱାମୀ ଜଣଙ୍କ । ଶେଷରେ ବାଧ୍ୟ ହୋଇ ପ୍ରେମିକ ସହ ଘରୁ ପଳାଇ ଯାଇଥିବା ନିଜ ୪୬ ବର୍ଷୀୟ ସ୍ତ୍ରୀ ନାଁରେ ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ । ତେବେ କରୋନା ବେଳେ ମଧ୍ୟପ୍ରଦେଶରୁ ଆସିଥିବା ଏ କ୍ୱାରେଣ୍ଟାଇନର କରୁଣ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି…