ସ୍ୱାମୀଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ । ବଲାଙ୍ଗୀରରେ ସ୍ୱାମୀଙ୍କ ପାଇଁ ପ୍ରଚାର କଲେ ରାଜପରିବାରର ବୋହୂ, ପତି ଅନନ୍ତଙ୍କ ପାଇଁ ପ୍ରଚାର ମୈଦାନରେ ଅଭିନେତ୍ରୀ ପତ୍ନୀ ବିଦୁସ୍ମିତା

327

କନକ ବ୍ୟୁରୋ : ପତିଙ୍କ ପାଇଁ ପତ୍ନୀଙ୍କ ପ୍ରଚାର । ଗାଁ ଗାଁ ବୁଲୁଛନ୍ତି, ଘର ଘର ଯାଇ ଭୋଟ୍ ମାଗୁଛନ୍ତି । କିଛି ଏଭଳି ଢଙ୍ଗରେ ବଲାଙ୍ଗୀର ରାଜ ପରିବାରର ବୋହୂଙ୍କୁ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଲୋକସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପାଇଁ ପତ୍ନୀ ମେଘନା କୁମାରୀ ଏବଂ ବିଧାନସଭା ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓଙ୍କ ପାଇଁ ଅଦ୍ରେଜା କୁମାରୀ ଭୋଟ ମାଗିଛନ୍ତି । ଆଉ ଏପଟେ ବିଜେପି ବିଧାନସଭା ପ୍ରାର୍ଥୀ ଅନନ୍ତ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବିଦୁସ୍ମିତା ।

ଗାଁ ଦାଣ୍ଡରେ ବୁୁଲିବୁଲି ଭୋଟ୍ ମାଗୁଛନ୍ତି ବଲାଙ୍ଗୀର ରାଜ୍ ପରିବାରର ବୋହୂ । ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କ ପାଇଁ ଘରକୁ ଘର ଯାଇ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି ମେଘନା କୁମାରୀ । ସେହିପରି ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଥିବା ଅର୍କେଶ ନାରାୟଣ ସିଂଦେଓଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ଅର୍କେଶଙ୍କ ପତ୍ନୀ ଅଦ୍ରେଜା କୁମାରୀ ।

କଳିକେଶଙ୍କ ପାଇଁ ମେଘନା କୁମାରୀ ସୋନପୁର ଏବଂ ଟିଟିଲାଗଡ଼ ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିବା ବେଳେ ଅର୍କେଶଙ୍କ ପାଇଁ ବଲାଙ୍ଗିର ବିଧାନସଭା କ୍ଷେତ୍ରର ବିଭିନ୍ନ ଗାଁରେ ପ୍ରଚାର କରିଛନ୍ତି ଅଦ୍ରେଜା କୁମାରୀ । ଆଉ ଏପଟେ ଦୁଇ ପୁଅଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ରାଜ ମାତା ତଥା ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂହଦେଓଙ୍କ ପତ୍ନୀ ବିଜୟ ଲକ୍ଷ୍ମୀ ଦେବୀ ।

ଅନ୍ୟପଟେ ପ୍ରଚାର ମଇଦାନରେ ସ୍ୱାମୀଙ୍କ ପାଇଁ ଭୋଟ ମାଗିଛନ୍ତିି ଅଭିନେତ୍ରୀ ବିଦୁସ୍ମିତା । ସ୍ୱାମୀ ଅନନ୍ତ ଦାସ ବଲାଙ୍ଗୀର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ବିଦୁସ୍ମିତା । ବାଇକ ରାଲିରେ ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ସହ ପ୍ରଚାର କରିଛନ୍ତି ବିଦୁସ୍ମିତା ।

ବିଜେଡି ଓ ବିଜେପିର ଏହି ନିର୍ବାଚନୀ ରଣନୀତିକୁ କାଉଂଟର କରିବା ଦିଗରେ ପଛରେ ନାହିଁନ୍ତି କଂଗ୍ରେସ ପ୍ରାର୍ଥୀ । ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ନରସିଂହ ମିଶ୍ର, ପରିବାରର ଦୁଇ ବୋହୂଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଦେଖିବାର କଥା ଘରର ବୋହୂମାନଙ୍କ ଏହି ପ୍ରଚାର କେତେ ଫଳପ୍ରଦ ହେଉଛି ।