‘ଜିତ୍’ ଯୁଗ ଶେଷ: କ୍ୟାନସରକୁ କ୍ଲିନ ବୋଲ୍ଡ କରିଥିଲେ, କ୍ୟାରିୟରରୁ ଆଉଟ୍ ହେଲେ…

966

ସରିଲା ଜିତର ଯୁଗ । ସରିଲା ଯୁବରାଜ ରାଜୁତି । ପଡିଆରେ ଛକାଚୌକା ବର୍ଷା କରି ଦର୍ଶକଙ୍କ ଛାତିରେ, ଦର୍ଶକଙ୍କ ମନରେ ରାଜ କରୁଥିବା ଯୁବରାଜଙ୍କ ଯୁଗ ସରିଛି । ଆନ୍ତଃର୍ଜାତୀୟ କ୍ରିକେଟ ସହ ଆଇପିଏଲରୁ ଯୁବରାଜ ସିଂହ ସନ୍ୟାସ ନେବା ପରେ ତାଙ୍କୁ ନେଇ ଚାରିଆଡେ ହେଉଛି ଚର୍ଚ୍ଚା । ହଠାତ ଯୁବରାଜ କଣ ପାଇଁ କ୍ରିକେଟରୁ ଅବସର ନେଲେ ? ସନ୍ୟାସ ନେବା ପାଇଁ କାହିଁକି ନିଷ୍ପତ୍ତି ନେଲେ ଯୁବି ? ମ୍ୟାଚରୁ ବାଦ ପଡିବା ଯୋଗୁଁ ନା ଫିଟନେସ ନଥିବାରୁ କ୍ରିକେଟ କୋଳରୁ ମଥା କାଢ଼ିନେଲେ ଯୁବି? ଏମିତି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମୁଣ୍ଡରେ ବୁଲୁଛି ।

ତେବେ ୨୦୧୧ରେ ବିଶ୍ୱକପ ଜିତିଥିବା ଯୁବି ଜୀବନକୁ ବି ଜିତିଥିଲେ । ବିଶ୍ୱକପ ବେଳେ ମାରାତ୍ମକ କର୍କଟ ରୋଗ ସହ ଲଢ଼େଇ କରି ‘ମ୍ୟାନ ଫ ଦି ମ୍ୟାଚ’ ହୋଇଥିଲେ ଯୁବରାଜ । ପଡିଆରେ ପ୍ରତିପକ୍ଷ ବୋଲରର ପ୍ରତିଟି ବଲରେ ସିକ୍ସ ମାରୁଥିବା ସିକ୍ସର କିଙ୍ଗ ଜୀବନ ଯୁଦ୍ଧରେ ବି ସିକ୍ସ ମାରିଥିଲେ । ଆଉ ଦୀର୍ଘ ୨ ବର୍ଷର ସଂଘର୍ଷ ପରେ ଯୁବରାଜ ଯମ ଦୁଆରୁ ଫେରିଥିଲେ । ଆଉ ତାପରଠୁ କ୍ୟାନସର ପୀଡିତଙ୍କ ପାଇଁ ସେ ଆରମ୍ଭ କରିଥିଲେ ଲଢ଼େଇ । ବୋଧହୁଏ ସେଇଥିପାଇଁ ସେ କ୍ରିକେଟକୁ ବାଏ ବାଏ କହି ସବୁ ସମୟ ସେଇମାନଙ୍କ ପାଇଁ ଦେଇପାରନ୍ତି ବୋଲି ଅନେକ ବି ଚର୍ଚ୍ଚା କରୁଛନ୍ତି ।

ତେବେ କଣ ପାଇଁ ଯୁବରାଜ କ୍ରିକେଟ ଛାଡିଲେ, ଜାଣନ୍ତୁ କିଛିଟା କାରଣ…

ଜୀବନକୁ ଜିତିଥିବା ଯୁବରାଜ ଆଜି ହଠାତ କାହିଁକି ହାରିଗଲେ । କ୍ୟାନସରକୁ ଜିତିଥିବା ମଣିଷ କାହିଁକି କ୍ରିକେଟରୁ ଦୂରେଇଗଲେ ? ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଚର୍ଚ୍ଚାର ପରିସରକୁ ଆସିଛି କିଛିଟା କାରଣ । ବୋଧହୁଏ ନିଜ ଖରାପ ପ୍ରଦର୍ଶନ ଆଉ ଖରାପ ଫିଟନେସ ପାଇଁ ଯୁବି ଖେଳରୁ ଓହରି ଯାଇଥାଇପାରନ୍ତି । କ୍ରିକେଟ ତାଙ୍କ ପାଇଁ ସବୁକିଛି କହୁଥିବା ଯୁବରାଜ ବିଦେଶରେ ଖେଳିବାକୁ ଆଗ୍ରହୀ । ଫ୍ରିଲାନ୍ସରେ ବିଦେଶରେ ଖେଳିବାକୁ ଆଗ୍ରହ ଥିବାରୁ ସେ ବିସିସିଆଇକୁ ମଧ୍ୟ ଅନୁରୋଧ କରିଛନ୍ତି । ବୋଧହୁଏ ବିଦେଶରେ ଖେଳ ପାଇଁ ସେ ସନ୍ୟାସ ନେଇଥାଇ ପାରନ୍ତି ।

ଟିମ ଇଣ୍ଡିଆରେ ଯୁବରାଜଙ୍କ ଅନେକ ବିକଳ୍ପ ବାହାରିଲେଣି । ତାଙ୍କ ସ୍ଥାନରେ ଅନେକ ନୂଆ ମୁହଁ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଟିକେ ଅଣଦେଖା କରାଯାଇଛି । ପଡିଆରେ ପଏଣ୍ଟରେ ଛିଡା ହେଉଥିବା ଯୁବିଙ୍କୁ ଯେବେଠାରୁ ଥାର୍ଡମ୍ୟାନ ସ୍ଥାନକୁ ବଦଳି କରାଗଲାଣି ସେବେଠୁ ତାଙ୍କୁ ଦଳରେ ଏତେ ଗୁରୁତ୍ୱ ଦିଆଯାଉନଥିବା ଅନୁମାନ କରାଯାଉଥିଲା । ଆଉ ସବୁଠାରୁ ବଡ କଥା ହେଲା ୨୦୧୮ରେ ୧୬ କୋଟିରେ ବିକ୍ରି ହୋଇଥିବା ଯୁବିଙ୍କୁ ୨୦୧୯ରେ କେହି କିଣିବାକୁ ରାଜି ହୋଇନଥିଲେ । ଶେଷ ସମୟରେ ତାଙ୍କୁ ସମ୍ମାନ ଜଣାଇ ମୁମ୍ବାଇ କିଣିଥିଲା ବେସ୍ ପ୍ରାଇସରେ । ସେବେଠାରୁ ହିଁ ଯୁବରାଜ ତାଙ୍କ କ୍ୟାରିୟର କଥା ଜାଣିପାରିଥିଲେ । ୧୯ ଆଇପିଏଲ ହିଁ ତାଙ୍କ କ୍ୟାରିୟରର ଶେଷ ଆଇପିଏଲ ବୋଲି ବି ସେ ସେତେବେଳେ ଇସାରା ଦେଇଥିଲେ ଆଉ ଆଜି ଖାଲି ଆଇପିଏଲରୁ ନୁହେଁ ସମ୍ପୂର୍ଣ୍ଣ କ୍ରିକେଟରୁ ବିଦାୟ ନେଇଛନ୍ତି ସିକ୍ସର କିଙ୍ଗ ।