ଆଉ ଦୁଇ ଦିନ ପରେ ସିଙ୍ଗାପୁର କ୍ୟାପେଲା ହୋଟେଲରେ ଟ୍ରମ୍ପ, କିମଙ୍କ ଭେଟ : ସେଂଟେସା ଆଇଲ୍ୟାଣ୍ଡ ଆଖପାଖ ଅଂଚଳକୁ ସିଲ୍ କଲା ପୁଲିସ୍, ସାଧାରଣ ନାଗରିକଙ୍କ ଚଳପ୍ରଚଳ ଉପରେ କଟକଣା

24

କନକ ବ୍ୟୁରୋ : ଠିକ୍ ଦୁଇ ଦିନ ପରେ ଅର୍ଥାତ ଜୁନ୍ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ଶାସକ କିମ୍ ଜଙ୍ଗଙ୍କ ମଧ୍ୟରେ ସାକ୍ଷାତ ହେବ । ସିଙ୍ଗାପୁରରେ ଏହି ବହୁପ୍ରତୀକ୍ଷିତ ଭେଟ ହେବାକୁ ଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।

ସ୍ଥାନୀୟ ସମୟ ଅନୁଯାୟୀ ସକାଳ ୯ଟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନର୍ଥ କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ ଉନଙ୍କ ମଧ୍ୟରେ ଏକ ହୋଟେଲରେ ହେବ ଐତିହାସିକ ସାକ୍ଷାତ । ପର୍ଯ୍ୟଟକଙ୍କ ଭୂସ୍ୱର୍ଗ ଭାବେ ପରିଚିତ ସିଙ୍ଗାପୁର ସହରରେ ଟ୍ରମ୍ପ୍ ଓ କିମ୍ ଜଙ୍ଗଙ୍କ ଭେଟ ପାଇଁ ସେଂଟେସା ରିସର୍ଟ ଓ କ୍ୟାପେଲା ହୋଟେଲ୍ ଚତୁଃପାଶ୍ୱର୍କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ବିଶ୍ୱର ବିଭିନ୍ନ ଦେଶର ପାଖାପାଖି ୩ ହଜାର ସାମ୍ବାଦିକ ରିପୋର୍ଟିଂ ପାଇଁ ସିଙ୍ଗାପୁର ଆସିବେ । କୁହାଯାଉଛି ଟ୍ରମ୍ପଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ବ୍ୟତୀତ ଗୋର୍ଖା ଯବାନ ବି ସୁରକ୍ଷାରେ ରହିବେ ।

ଏବେ ଆସନ୍ତୁ ଜାଣିବା ସାକ୍ଷାତ ପାଇଁ କାହିଁକିି ସିଙ୍ଗାପୁରକୁ ବଛାଗଲା?

• ଦକ୍ଷିଣ ପୂର୍ବ ଏସିଆର ଅର୍ଥନୈତିକ କେନ୍ଦ୍ର ସିଙ୍ଗାପୁର ଏକ ସୁରକ୍ଷିତ ସହର ଭାବେ ବିଶ୍ୱ ପର୍ଯ୍ୟଟକ ମହଲରେ ଖୁବ ଜଣାଶୁଣା ।

• ଶିଖର ସମ୍ମିଳନୀ ଆୟୋଜନରେ ସିଙ୍ଗାପୁର ସହରର ସଫଳତା ହାର ଅନ୍ୟ ସହରଠୁ ଅଧିକ ଓ ଅନେକ ବିଶ୍ୱନେତା, ଶାସକ ସିଙ୍ଗାପୁରଙ୍କୁ ପସନ୍ଦ କରିଥାନ୍ତି ।

• ସିଙ୍ଗାପୁରରେ ନର୍ଥ କୋରିଆର ପୂର୍ଣ୍ଣକ୍ଷମ ଦୂତାବାସ ରହିଛି ଯେଉଁ କାରଣରୁ କିମ୍ ଜଙ୍ଗ୍ ଉନଙ୍କ ପକ୍ଷରେ ସିଙ୍ଗାପୁର ଯିବା ସହଜ ।

• ୱାଶିଂଟନ୍ ସହ ସିଙ୍ଗାପୁରର କୂଟନୈତିକ ସମ୍ପର୍କ ଖୁବ ମଜବୁତ ଯେଉଁ କାରଣରୁ ଆମେରିକା ପାଇଁ ମଧ୍ୟ ସିଙ୍ଗାପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହଜ ।

ଲଗାତାର ପରମାଣୁ ପରୀକ୍ଷଣସହ ପୂର୍ବରୁ ସୁପର୍ ପାୱାର୍ ଆମେରିକାର ଶକ୍ତିକୁ ଚାଲେଂଜ୍ କରି ଆସିଛନ୍ତି କିମ୍ । କେବେ ୱାଶିଂଟନକୁ ଉଡ଼ାଇଦେବା ତ ପୁଣି କେବେ ନିଜ ଟେବୁଲରେ ପରମାଣୁ ବଟନ୍ ଥିବାର କଥା କହି ଟ୍ରମ୍ପଙ୍କୁ ବାରମ୍ବାର ଟାର୍ଗେଟ୍ କରିଛନ୍ତି କିମ୍ । ଅନ୍ୟପଟେ ଟ୍ରମ୍ପ୍ ମଧ୍ୟ କଡ଼ା ଆଭିମୁଖ୍ୟ ଦେଖାଇ ଆର୍ଥିକ କଟକଣା ଜାରି କରିବାରେ ସଫଳ ହୋଇଛନ୍ତି । ତେବେ ଏହି ତିକ୍ତତା ଦୁର ହେବ ପର୍ଯ୍ୟଟନ ନଗରୀ ସିଙ୍ଗାପୁରର ହୋଟେଲ୍ କ୍ୟାପେଲାରେ । ଯେତେବେଳେ ଦୁଇ ବିଶ୍ୱ ନେତା କ୍ୟାପେଲା ହୋଟେଲ୍ରେ ଏକାଠି ହେଉଥିବେ ଆଉ ଦୃଶ୍ୟକୁ ଚାହିଁରହିଥିବ ସାରା ବିଶ୍ୱ ।