ବଡ଼ଦାଣ୍ଡର ଭିକାରି ବାବା ଦାସ ବଖାଣିଲେ ବ୍ୟଥା । କହିଲେ, ବଡ଼ ବୋହୂର ଜୁଲମ ସହିନପାରି ସାଜିଲି ଭିକାରି, ଶରଧାବାଲିରୁ ସିଂହଦ୍ୱାର ହାତ ପତାଇଲେ ପେଟ ପୁରୁଛି ।

988

କନକ ବ୍ୟୁରୋ: ଜୀବନ ଏକ ନାଟକ ଓ ସ୍ୱୟଂ ଭଗବାନ ଏହାର ନିର୍ଦ୍ଦେଶକ । ସେ ଯେମିତି ଯୋଉ ବାଟିରେ ନେଇଯାଆନ୍ତି ସେମିତି ଚାଲିବାକୁ ହୁଏ । ବଡଦାଣ୍ଡର ଭିକାରି ବାବା ଦାସ । ସତେ ଯେମିତି ଭଗବାନଙ୍କ ନିର୍ଦ୍ଦେଶରେ ଶ୍ରୀକ୍ଷେତ୍ରକୁ ଚାଲିଆସିଛନ୍ତି ପରିଣତ ବୟସରେ । ଭୁବନେଶ୍ୱର ଲିଗଂରାଜ ମନ୍ଦିର ନିକଟ ହାଟ ସାହିରେ ଘର ହୋଇଥିବାବେଳେ ପଚାରିଲେ ନିଜ ଠିକଣା କିଛି ଏହିଭଳି ଢଙ୍ଗରେ କୁହନ୍ତି ।…

ଜୀବନସାରା ଲିଫଟ୍ ମ୍ୟାନ ଭାବେ କିମ୍ବା ମିକ୍ସଚର ମେସିନ ଚଲାଇ ଭଲ ଦିପଇସା ରୋଜଗାର କରୁଥିଲେ । ଦିନକୁ ୧୦୦୦ରୁ ୧୫୦୦ ଯାଏଁ ରୋଜଗାର କରୁଥିବା ଏହି ବ୍ୟକ୍ତି ବଡଦାଣ୍ଡରେ କାହିଁକି ଭିକ ମାଗୁଛନ୍ତି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୩୨ ବର୍ଷ ତଳୁ ସ୍ତ୍ରୀ ଆରପାରିକୁ ଚାଲି ଯାଇଥିଲେ । ପିଲାମାନେ ବଡ ହୋଇ ବାହାସାହା ହେବା ପରେ ପରିଣତ ବୟସରେ ଅଲୋଡା ହୋଇପଡିଲେ ବାବା ଦାସ । ବଡ ବୋହୂଙ୍କ ଜୁୁଲମରେ ଘର ଛାଡିବାକୁ ପଡିଲା ।

ସତରେ କଣ ଘରର ମୂରବୀ ବୁଢା ହୋଇଗଲେ କିମ୍ବା ରୋଜଗାର କରିବାର କ୍ଷମତା ହରାଇଲେ ଅଲୋଡା ହୋଇଯାଆନ୍ତି । ଯେଉଁ ପିଲାମାନଙ୍କୁ ମଣିଷ କରିବାରେ ନିଜ ଜୀବନକୁ ତିଳତିଳ କରି ସାରିଦେଲେ, ସେମାନେ ଏମିତି ପର କରିଦିଅନ୍ତି । ୫ ମାସ ହେଲା ପୁରୀ ବଡଦାଣ୍ଡରେ ଭିକ୍ଷାବୃତି କରିବା ଭିତରେ ଯେମିତି ସବୁ ସାଂସାରିକ ମୋହ ତୁଟାଇ ସାରିଛନ୍ତି ଭିକାରି ବାବା ଦାସ ।

ଶରଧାବାଲିରୁ ସିଂହଦ୍ୱାର, ଭିକ ମାଗି ଯେଉଁ ଦୁଇ ପାଇସା ପାଆନ୍ତି ସେଥିରେ ନିଜ ପେଟ ପୋଷିବା ସହ ଦୁଇଟି ଗାଈଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି ଏହି ବଡଦାଣ୍ଡର ଭିକାରି । ଆଶ୍ଚର୍ଯ୍ୟର କଥା ହେଉଛି ବାବା ଦସଙ୍କ ପରି କହାଣୀ ବଡଦାଣ୍ଡରେ ଅନେକ ଭିକାରିଙ୍କର । ଯେଉଁ ମାନେ ପରିସ୍ଥିତିର ଦାସ । ଜୀବନସାରା ମେସିନ ପରି କାମ କରୁଥିଲେ । ଆଉ ବୟସ ବଢିବା ସହ ରୋଜଗାର କରିନପାରିବାରୁ ଦୂରେଇ ଦେଇଛନ୍ତି ସଂପର୍କୀୟ ।