କାହିଁକି ଖୋଲିଲାନି ରତ୍ନଭଣ୍ଡାର ! କଣ ଥିଲା ଏହା ପଛର କାରଣ ? ଅଧା ଖୋଲିଲା, ରହସ୍ୟ ବଢିଲା

32

କନକ ବ୍ୟୁରୋ : ଗତକାଲି ରତ୍ନଭଣ୍ଡାରକୁ ନେଇ ରହସ୍ୟ ଆହୁରି ବଢିଯିବା ପରେ ଏବେ ଗୋଟିଏ ପ୍ରଶ୍ନକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲିଛି । ସେ ପ୍ରଶ୍ନଟି ହେଉଛି, ଭିତର ଭଣ୍ଡାରକୁ କାହିଁକି ଖୋଲିଲେ ନାହିଁ ଯାଞ୍ଚ କମିିିଟି । ସେଠାରେ କଣ ଘଟିଥିଲା ଏବଂ କେଉଁ ପରିସ୍ଥିତିରେ ଯାଂଚ୍ କମିଟି ଏଭଳି ନିଷ୍ପତି ନେଲା, ତାହା ବର୍ତମାନ ଆଉ ଏକ ରହସ୍ୟ ବନିଯାଇଛି । କୁହାଯାଉଛି, ଦୁଇଟି କାରଣ ପାଇଁ ଭିତର ଭଣ୍ଡାର ଖୋଲିଲେ ନାହିଁ ଯାଂଚ୍ କମିଟି । ଗୋଟିଏ ହେଉଛି, ଭୟ ଏବଂ ଅନ୍ୟଟି ହେଉଛି ସେବାୟତଙ୍କ ପ୍ରବଳ ବିରୋଧ ।

ratna bhandarଭିତର ଭଣ୍ଡାରକୁ କାହିଁକି ଯାଂଚ କମିଟିର ସଦସ୍ୟମାନେ ପ୍ରବେଶ କଲେ ନାହିଁ ସେହି ପ୍ରଶ୍ନ ଏବେ ବି ପ୍ରଶ୍ନ ହୋଇ ରହି ଯାଇଛି । ବାହାରେ ବିରୋଧ ଏବଂ ଭିତରେ ଆଶା-ଆଶଙ୍କା, ଏହାରି ଭିତରେ ବାହାର ରତ୍ନଭଣ୍ଡାରର ଯାଂଚ୍ ସରିଥାଏ । ଆଉ ଠିକ୍ ଭିତର ଭଣ୍ଡାରକୁ ଅଗ୍ରସର ହେଉଥିବା ବେଳେ ଉପୁଜିଥିଲା ବଡ ଧରଣର ଦ୍ୱନ୍ଦ । କେଇ ପାଦ ଆଗରେ ଭିତର ଭଣ୍ଡାର, ସାମ୍ନାରେ ଜଉମୁଦ ମରା ହୋଇଥିବା ରତ୍ନଭଣ୍ଡାର କବାଟ । ପାଦ ଆଗକୁ ବଢ଼ିବା ଆଗରୁ ହଠାତ୍ ଅଟକି ଗଲା । ଭିତର ଭଣ୍ଡାରରେ ପ୍ରବେଶ କରିବେ କି ନାହିଁ ? ଖୋଲିବ ନା’ ନାହିଁ ଭିତର କବାଟ ? ଏହି ସବୁ ଦ୍ୱନ୍ଦ ଭିତରେ ଭଣ୍ଡାରଗୃହରେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯାଂଚ କମିଟିର ସଦସ୍ୟ ଏଏସଆଇର ଯନ୍ତ୍ରୀ- ଜିସି ମିତ୍ର ହଠାତ୍ ଝୁଂଟି ଯାଇ ପଡ଼ି ଯାଇଥିଲେ ।

ବାହାରକୁ ଖବର ଆସିଲା-ରତ୍ନଭଣ୍ଡାର ଗୃହରେ ଝୁଂଟି ପଡ଼ିଛନ୍ତି-ଜିସି ମିତ୍ର । ବଢ଼ିଗଲା ଘଟଣାର ଗୁରୁତ୍ୱ । ରତ୍ନଭଣ୍ଡାର ଭିତରେ କ’ଣ ଚାଲିଛି, କେହି କିଛି ବୁଝିବା ବି ସମ୍ଭବ ହେଉ ନଥିଲା । ଉତ୍ସାହ ଓ ଉକ୍ରଣ୍ଠା ଭିତରେ ସେମିତି ସମସ୍ତେ ଚାହିଁ ରହିଥାନ୍ତି ।ଅନ୍ୟପଟେ ରତ୍ନଭଣ୍ଡାରକୁ ଯାଇଥିବା ୧୫ଜଣିଆ କମିଟିର ସଦସ୍ୟମାନେ କିଛି ନିଷ୍ପତି ନେବା ପୂର୍ବରୁ ଜଣେ ସଦସ୍ୟ ଝୁଂଟି ପଡ଼ିବା ଘଟଣା, ହୁଏତ ସେମାନଙ୍କୁ ବିଚଳିତ କରି ସାରିଥାଏ । ଗୋଟିଏ ପଟେ ଲୋକକଥା ଓ କିମ୍ବଦନ୍ତୀର କାହାଣୀ, ଅନ୍ୟପଟେ ମନସ୍ଥାତ୍ୱତିକ ଚାପ । ନିଷ୍ପତି ହେଲା-ଖୋଲିବ ନାହିଁ ଭିତର ଭଣ୍ଡାର । ଟର୍ଚ୍ଚମାରି ଜାଲି କବାଟ ଭିତରୁ ଯାଞ୍ଚ କରିବାକୁ ନିଷ୍ପତି ନେଇଥିଲେ କମିଟିର ସଦସ୍ୟ ।

ଶ୍ରୀମନ୍ଦିରକୁ ପ୍ରବେଶ କରିବାର ଅଧଘଂଟାରୁ ଘଂଟାଏ ଭିତରେ ଯାଂଚ କରି ଫେରିଲେ କମିଟି ସଦସ୍ୟ । କ୍ୟାମେରା ସାମ୍ନାରେ କୁହାଗଲା-ଯାଂଚ ସରିଗଲା । ଆଉ ସେତେବେଳେ ଜଣାପଡ଼ିଲା- ଭିତର ଭଣ୍ଡାରକୁ ପ୍ରବେଶ ବି କରି ନାହାଁନ୍ତି କମିଟି ସଦସ୍ୟ । ବାହାରେ ଥାଇ ଦେଖିଛନ୍ତି ଭିତର ଭଣ୍ଡାର । ଏହା ଉପରେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି- ଗଜପତି ମହାରାଜ ଉପସ୍ଥିତ ନଥିବାରୁ ତାଲା ଖୋଲିବାକୁ ମଙ୍ଗିନଥିଲେ କମିଟି ସଦସ୍ୟ ।

ସେହିପରି ର୍ଦୁବ୍ୟବହାର ଏବଂ ଠେଲାପେଲାର ଶିକାର ହୋଇଥିବା ଟେକନିକାଲ କମିଟି ସଦସ୍ୟ ଏନ. ସି ପାଲ ମାନିଛନ୍ତି-ଶ୍ରୀମନ୍ଦିର ସୁରକ୍ଷା ପାଇଁ ଭିତର ଭଣ୍ଡାର ଖୋଲିବାକୁ ପଡ଼ିବ । ତେବେ ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ଏବଂ ବାହାରୁ ଯାଂଚ ସମ୍ଭବ ଥିବାରୁ ଭିତର ଭଣ୍ଡାର ନଖୋଲିବାକୁ ନିଷ୍ପତି ହୋଇଥିଲା ।ଏସବୁ ଭିତରେ କିନ୍ତୁ ରହସ୍ୟରେ ରହିଗଲା ରତ୍ନଭଣ୍ଡାରର ରହସ୍ୟ । ଏବେ ଦେଖିବାର କଥା ଯାଂଚ କମିଟିର ରିପୋର୍ଟ କ’ଣ କହୁଛି ଏବଂ ଏହାକୁ ନେଇ ହାଇକୋର୍ଟ କ’ଣ ନିଷ୍ପତି ନେଉଛନ୍ତି ।