ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଅଟଳ ରାହୁଲ ଗାନ୍ଧି : ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ମଧ୍ୟବର୍ତ୍ତୀକାଳୀନ ସଭାପତି ଚୟନ କରିପାରେ କଂଗ୍ରେସ

373

କନକ ବ୍ୟୁରୋ : କଂଗ୍ରେସରେ ଖୁବଶୀଘ୍ର ନିଯୁକ୍ତ ହୋଇପାରନ୍ତି ଅନ୍ତରୀଣ ସଭାପତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏ ନେଇ ଦଳ ଭିତରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେଇ ଜିଦରେ ଅଟଳ ଅଛନ୍ତି ରାହୁଲ ଗାନ୍ଧି । ଯଦି ସେ ନିଜ ଜିଦରେ ଅଟଳ ରହନ୍ତି ତାହାହେଲେ ଜଣେ ବରିଷ୍ଠ ନେତାଙ୍କୁ ସଭାପତି କରାଯାଇପାରେ । ଏହାହେଲେ ନିଷ୍ପତି ନେବା ସମୟରେ ଦଳର ବରିଷ୍ଠ ନେତାଙ୍କ ବୈଠକରେ ସେ ସଭାପତିତ୍ୱ କରିପାରିବେ । ଏ ନେଇ ଦଳ ଖୁବଶୀଘ୍ର ନିଷ୍ପତି ନେଇପାରେ ।

source : CNBC TV18

ରାହୁଲ ଗାନ୍ଧିଙ୍କୁ ମନାଇବା ପାଇଁ ଉଦ୍ୟମ ଚାଲିଥିଲେ ବି ଏହା ଫଳପ୍ରଦ ହୋଇପାରିନାହିଁ । ତେଣୁ ଖୁବଶୀଘ୍ର ଦଳର ବରିଷ୍ଠ ନେତା ଏ.କେ ଆଣ୍ଟୋନୀ ଓ ଅନ୍ୟ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଭେଟିପାରନ୍ତି । ଲୋକସଭାରେ କଂଗ୍ରେସ ନେତା କିଏ ହେବ ସେ ନିଷ୍ପତି ଆସନ୍ତା ସପ୍ତାହରେ ହୋଇଯିବ । ରାହୁଲ ଗାନ୍ଧିଙ୍କୁ ଏହି ପଦ ନେବାକୁ ଚାପ ପଢିବାରେ ଲାଗିଛି । ଆସନ୍ତା ୧୭ ତାରିଖରେ ପାର୍ଲାମେଂଟ ଅଧିବେଶନ ଆରମ୍ଭ ହେଉଛି । ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି । ଏଭଳିସ୍ଥଳେ ରାହୁଲ ଲୋକସଭାରେ କଂଗ୍ରେସ ନେତା ହେବା ସମ୍ଭାବନା ରହିଛି । ଏ ନେଇ ଖୁବଶୀଘ୍ର ଚିତ୍ର ସ୍ପଷ୍ଟ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।