ତାଳଚେରରୁ ବଲାଙ୍ଗୀର: ପ୍ରଥମେ ବର୍ଷିଥିଲେ ପରେ ବଦଳିଗଲେ ମୋଦି, ଦ୍ୱନ୍ଦରେ ଗେରୁଆ ଦଳ ।

ନବୀନଙ୍କ ବିରୋଧରେ କଥା ଶୁଣିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର କର୍ମୀଙ୍କୁ ରାଜ୍ୟ ବିଜେପି ନେତା ସାଉଣ୍ଟି ଆଣୁଥିବାବେଳେ ନବୀନଙ୍କ ପ୍ରତି ମୋଦିଙ୍କର ଏତେ ନରମ ଆଭିମୁଖ୍ୟ ସେମାନଙ୍କୁ ହତଚକିତ କରିଥିଲା ।

448

କନକ ବ୍ୟୁରୋ: ବିଜେପିର ଫୋକସ୍ ଓଡ଼ିଶା । ଆଉ ଏହି ମିଶନକୁ ପୂରଣ କରିବା ପାଇଁ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ବିଜେପିକୁ ବଳ ଦେବା ପାଇଁ ଓଡ଼ିଶା ଆସୁଛନ୍ତି ହେଲେ ପୂର୍ବରୁ ମୋଦିଙ୍କ ସ୍ୱର ଏବଂ ବର୍ତ୍ତମାନର ସ୍ୱର ଭିତରେ ଆକାଶ ପାତାଳ ଫରକ ନଜର ଆସିଛି । ଏକପରିକି ତାଳଚେର,ଝାରସୁଗୁଡ଼ା ଖୋର୍ଦ୍ଧା, ବାରିପଦା ଗସ୍ତ ଠାରୁ ଆରମ୍ଭ କରି ଆଜିର ବଲାଙ୍ଗୀର ସମାବେଶରେ ନବୀନଙ୍କ ପ୍ରତି ମୋଦିଙ୍କ ଆଭିମୂଖ୍ୟ ଏମିତି ପରିବର୍ତ୍ତନ ବିଜେପି କ୍ୟାମ୍ପକୁ ଦ୍ୱନ୍ଦରେ ପକାଇଛି । କାରଣ ନବୀନଙ୍କ ବିରୋଧରେ କଥା ଶୁଣିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର କର୍ମୀଙ୍କୁ ରାଜ୍ୟ ବିଜେପି ନେତା ସାଉଣ୍ଟି ଆଣୁଥିବାବେଳେ ନବୀନଙ୍କ ପ୍ରତି ମୋଦିଙ୍କର ଏତେ ନରମ ଆଭିମୁଖ୍ୟ ସେମାନଙ୍କୁ ହତଚକିତ କରିଥିଲା । ପଢ଼ନ୍ତୁ ତାଳଚେରରୁ ବଲାଙ୍ଗୀର ଯାଏଁ ନବୀନଙ୍କ ବିରୋଧରେ କ’ଣ କହିଛନ୍ତି ମୋଦି ଏବଂ କାହିଁକ ଏ ପରିବର୍ତ୍ତନ?

ତାଳଚେରରେ ନବୀନଙ୍କୁ ସିଧା ନିଶାନା-

ଗତ ସେପ୍ଟେମ୍ବର ୨୨ ତାରିଖରେ ତାଳଚେରରେ ମୋଦି କହିଥିଲେ, ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନି। ନବୀନ ବାବୁ କାହିଁକି ବୁଝିପାରୁନାହାନ୍ତି ମୁଁ ବୁଝିପାରୁନି। ଏ ଖୋଲା ସଭାରେ ନବୀନ ବାବୁଙ୍କୁ ପୁଣି ଥରେ କହୁଛି। ନବୀନ ବାବୁ ଯୋଜନାରେ ସାମିଲ ହୁଅନ୍ତୁ, ଗରିବଙ୍କୁ ଲାଭ ଦିଅନ୍ତୁ। ଓଡ଼ିଶାରେ ସ୍ୱାସ୍ଥ୍ୟସେବା କଥା କାହାକୁ ଅଛପା ନୁହେଁ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଛି, ନବୀନ ଓଡ଼ିଶାରେ ସ୍ୱଚ୍ଛତାକୁ ପ୍ରାଥମିକତା ଦିଅନ୍ତୁ । ସେହିପରି ରାଜ୍ୟ ସରକାର କେଜି ପ୍ରତି ୧ ଟଙ୍କା ଦରରେ ଦେଉଥିବା ଚାଉଳର ବି ଗୁମର ଖୋଲିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ,“କେନ୍ଦ୍ର ଚାଉଳ କେଜି ପିଛା ୨୫ରୁ ୩୦ ଟଙ୍କା ଦେଉଛି। ଅର୍ଥାତ୍ ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି ସେଥିପାଇଁ କେନ୍ଦ୍ର କେଜି ପିଛା ୨୫/୩୦ ଟଙ୍କା ଦେଉଛି। ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଦେଉଛି।

ଝାରସୁଗୁଡ଼ାରେ ବର୍ଷିଲେ-

ଉଭୟ ତାଳଚେର ଓ ଝାରସୁଗୁଡ଼ାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସେ ତାଳଚେରରେ ସମାଲୋଚନା କରିଥିବା ବେଳେ ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କୁ ଜବରଦସ୍ତ ସମାଲୋଚନା କରିଥିଲେ। ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ କହିଥିଲେ, ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡ଼ିଶା ସରକାରର ପରିଚୟ ହେଲାଣି। ତେଣୁ ଦିଲ୍ଲୀରେ ଥାଇ ଆମକୁ ଓଡ଼ିଶା ସରକାରଙ୍କୁ ଉଠାଇବାକୁ ପଡ଼ୁଛି। ବେକାରୀ, ମାତୃଶିଶୁ ମୃତ୍ୟୁ, ଅପପୁଷ୍ଟି ସ୍ଥିତି ଗମ୍ଭୀର ରହିଛି। ଓଡ଼ିଶା ଏଯାଏ ଆୟୁଷ୍ମାନ ଭାରତରେ ସାମିଲ ହୋଇନାହିଁ। ଏହି ସଭାରେ ସେ ପିସି କଥା ଉଠାଇଥିଲେ। ମୋଦି କହିଥିଲେ,“ ଓଡ଼ିଶାରେ ଏ ପିସି ଏବେ ପରିଚିତ ନାଁ ହୋଇଯାଇଛି। ଏ ପିସି ପାଇଁ କୌଣସି ପ୍ରକାର ବିକାଶ ହୋଇପାରୁନାହିଁ। ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ଯାଏ ସବୁଠି ଘୋଟାଲା ହେଉଛି। ରାଜ୍ୟରେ ଭ୍ରଷ୍ଟତନ୍ତ୍ର ଚାଲିଛି। ଏଭଳି ସ୍ଥିତିରେ ବିକାଶ କେମିତି ସମ୍ଭବ ହେବ? ଆଉ ପରିବର୍ତ୍ତନ କଥା ଉଠାଇ କହିଥିଲେ, ବିକାଶ ପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇପାରିବ।

ଖୋର୍ଦ୍ଧାରେ ନାଁ ନନେଇ ବର୍ଷିଥିଲେ- 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୋର୍ଦ୍ଧା ଗସ୍ତରେ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ। ଦେଶରେ ସ୍ୱଚ୍ଛତା ହାର ୯୭ ପ୍ରତିଶତ ଥିବାବେଳେ ଓଡ଼ିଶା କାହିଁକି ପଛରେ ପଡ଼ିଛି। ପଛୁଆ ରାଜ୍ୟଠୁ ବି ସ୍ୱଚ୍ଛତାରେ ଓଡ଼ିଶା ପଛରେ ପଡ଼ିଛି। ଓଡ଼ିଶାବାସୀ ଦାଦନ ଖଟିବାକୁ କଣ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି? କାହିଁକି ଶିକ୍ଷକଙ୍କୁ ଦରମା ମିଳୁନାହିଁ ଓ ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ?  ଭ୍ରଷ୍ଟାଚାର ଦାନବ ଓଡ଼ିଶାରେ ଶକ୍ତିଶାଳୀ ହୋଇ ପଡିଛି। କିଏ ଏହି ଦାନବକୁ ଦାନା ପାଣି ଦେଉଛି ? ଏମିତି ଅନେକ ପ୍ରଶ୍ନ କରି ପ୍ରଧାନମନ୍ତ୍ରୀ ଆୟୋଜିତ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କିଏ ଯାହା ପାଇଁ ରାଜ୍ୟରେ ଭ୍ରଷ୍ଟାଚାର  ବଳବାନ ହୋଇଛି କହି ବିଜେଡ଼ି ସରକାରକୁ ପରୋକ୍ଷରେ ନିଶାନା କରିଥିଲେ ମୋଦି । ଆୟୁଷ୍ମାନ ଭାରତ ଯୋଜନାରେ ୬ଲକ୍ଷ ଲୋକ ଉପକୃତ ହୋଇଥିବା ବେଳେ କାହିଁକି ଓଡ଼ିଶା ଏଥିରେ ସାମିଲ ହୋଇପାରିନାହିଁ। ପଛୁଆ ବର୍ଗର ଲୋକେ ବାହାରକୁ ଗଲେ ଠିକସେ ସ୍ୱାସ୍ଥ୍ୟସେବା ପାଇ ପାରୁନାହାନ୍ତି। ପିସି ଓ ଚିଟଫଣ୍ଡକୁ ଦାନବ ସହ ତୁଳନା କରିବା ସହ ଏହା ପଛରେ କାହାର ହାତ ରହିଛି ବୋଲି ମୋଦି ପ୍ରଶ୍ନ କରିଥିଲେ ମୋଦି ।

ବାରିପଦାରେ ବଦଳିଗଲା ମୋଦିଙ୍କ ସ୍ୱର-

ଗତ ୫ ତାରିଖରେ ବର୍ଷ ଆରମ୍ଭରୁ ଓଡ଼ିଶା ଗସ୍ତରେ ଆସିଥିଲେ ମୋଦି । ଏହାକୁ ନେଇ ଗେରୁଆ କ୍ୟାମ୍ପ ଉତ୍ସାହିତ ଥିଲା । ଆଉ ନବୀନଙ୍କ ବିରୋଧରେ କଥା ଶୁଣିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର କର୍ମୀଙ୍କୁ ରାଜ୍ୟ ବିଜେପି ନେତା ସାଉଣ୍ଟି ଆଣିଥିଲେ ହେଲେ ନବୀନଙ୍କ ପ୍ରତି ମୋଦିଙ୍କର ଏତେ ନରମ ଆଭିମୁଖ୍ୟ ସେମାନଙ୍କୁ ହତଚକିତ କରିଥିଲା । କାରଣ ଖୋର୍ଦ୍ଧାରେ ଯେଉଁଭଳି ନବୀନ ସରକାରଙ୍କୁ ନିଶାନାକୁ ନେଇଥିଲେ ବାରିପଦାରେ ଏହାର ଡବଲ୍ ଧାମାକା କରିବେ ମୋଦି ବୋଲି ଅପେକ୍ଷାରେ ଥିଲା ରାଜ୍ୟ ବିଜେପି । ହେଲେ ବାରିପଦା ବିଜେପି ସଭାରେ ମୋଦିଙ୍କ କଥା ଶୁଣି ଦେହକୁ ବିନ୍ଧି ହୋଇଗଲା ଭଳି ଲାଗିଲା । ବାରିପଦାରେ ଯାହା କହିଥିଲେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା। ବରଂ ଓଡ଼ିଶାରେ ଗତ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଆସିଥିବା କଂଗ୍ରେସ ସଂପର୍କରେ କମ୍ପିଥିଲେ ପ୍ରଧାନମନ୍ତ୍ରୀ ।

ବଲାଙ୍ଗିରରେ ବଦଳିଗଲା ମୋଦିଙ୍କ ସ୍ୱର-

ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଉପକୂଳ, ପରେ ଉତ୍ତର ଓ  ଏବେ ପଶ୍ଚିମ ଓଡିଶାକୁ ଆସିଛନ୍ତି ମୋଦି । ଖାସକରି ବିଜେପି ଫୋକସରେ ଓଡିଶା ରହିଥିବା ବେଳେ ମୋଦିଙ୍କ ବାରମ୍ବାର ଓଡିଶା ଗସ୍ତ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ହେଲେ ପୁଣି ବାରିପଦା ଭଳି ବୁଲେଇ ବଙ୍କେ ପଦେ ଅଧେ କରି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ମୋଦି । ପୁରୁଣା ରେକର୍ଡ଼ିଂ ବାଜିଲା ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନା ନନେଇ ଏଠାକାର ସରକାର ଶୋଇ ରହିଛନ୍ତିକେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଟଙ୍କା ଖର୍ଚ୍ଚ କରନ୍ତୁ ଏହି ସରକାର, ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ବୋଲି କହି ଗେରୁଆ କ୍ୟାମ୍ପଙ୍କୁ ପୁଣି ନିରାଶ କରିଛନ୍ତି ମୋଦି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି ।

କିନ୍ତୁ ବଦଳୁଥିବା ପାଣିପାଗ ସହ ନବୀନଙ୍କ ବିରୋଧରେ ମୋଦିଙ୍କ ନରମ ମନୋଭାବ ବିଜେପି ପାଇଁ ସମସ୍ୟା ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିର ପାରା ସେତିକି ବଢୁଛି । ହେଲେ ଗତ କିଛି ମାସ ପୂର୍ବେ ନବୀନ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିଦେବା ଭଳି ଗର୍ଜନ ତର୍ଜନ କରିଥିବା ଛାମୁଆ ନେତାଙ୍କ ମୁହଁ ସତେ ଯେମିତି ମଳୀନ ପଡ଼ିଗଲାଣି । ନବୀନଙ୍କ ପ୍ରତି ମୋଦିଙ୍କ ଏଭଳି ମନୋଭାବ ଆଗକୁ ଆସୁଥିବା ନିର୍ବାଚନ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ରାନୈତିକ ସମୀକ୍ଷକମାନେ କହୁଛନ୍ତି ।