୭୯ଟଙ୍କାରେ ମିଳୁଛି ୩୧ ଟଙ୍କାର ପେଟ୍ରୋଲ ! ଜାଣନ୍ତୁ ଏହା ପଛର କାରଣ

111

କନକ ବ୍ୟୁରୋ : ହୁ ହୁ ହୋଇ ବଢ଼ୁଛି ତୈଳଦର । ପ୍ରତିଦିନ ପେଟ୍ରୋଲ ଦରରେ ପରିବର୍ତ୍ତନ ହେଉଥିବାରୁ ଲୋକଙ୍କୁ ନିର୍ଦ୍ଦିଷ୍ଟ ଗୋଟିଏ ଦରରେ ପେଟ୍ରୋଲ କିମ୍ବା ଡିଜେଲ ମିଳୁନାହିଁ । ଦ୍ୱନ୍ଦରେ ପଡୁଛନ୍ତି ଗ୍ରାହକ । ୨୦୧୪ ପରେ ଏବେ ସବୁଠୁ ଅଧିକ ଦରରେ ମିଳୁଛି ପେଟ୍ରୋଲ । ମୁମ୍ବାଇରେ ଏହାର ଦାମ ୭୯ ଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦ ରହିଛି । ଓଡିଶାରେ ବି ଏହି ଦାମ ପରିବର୍ତ୍ତିତ ରହୁଥିଲେ ବି ୬୮ରୁ ୭୦ ମଧ୍ୟରେ ରହୁଛି । ତେବେ କାହିଁକି ବଢ଼ୁଛି ପେଟ୍ରୋଲ ଦର । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରରେ ପରିବର୍ତ୍ତନ ଗୋଟିଏ କାରଣ ନା ଏହା ପଛରେ ଆଉ କିଛି ବଡ କାରଣ ରହିଛି, ଜାଣନ୍ତୁ ।

ଆନ୍ତର୍ଜାତୀୟ ବଜାରରେ କମୁଛି ତୈଳଦର :

ଆନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦର ଯଥେଷ୍ଟ କମ୍ ଥିବା ପରିଲକ୍ଷିତ ହୋଇଛି । ଗତ ତିନିବର୍ଷରେ ଏହି ଦର ପାଖାପାଖି ୫୦ ପ୍ରତିଶତ ହ୍ରାସ ପାଇଛି । ହେଲେ ଏହି ସମୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇନି । ବରଂ ଭାରତରେ ତୈଳଦର ଏହି ସମୟରେ ବାରମ୍ବାର ବଢ଼ିଛି । ଅବଶ୍ୟ ବଢ଼ିବା ତୁଳନାରେ କମିବା ତାଲିକା ଛୋଟ । ୧୩ ସେପ୍ଟେମ୍ବର ଅର୍ଥାତ ଆଜିର ଦିନରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୦୯୩ ଟଙ୍କା ରହିଛି । ୨୦୧୪ରେ ଯାହାର ଦାମ ପ୍ରାୟ ୬ହଜାର ଟଙ୍କା ରହୁଥିଲା । ତଥାପି ୨୦୧୪ ତୁଳନାରେ ଆଜିର ଦିନରେ ଗ୍ରାହକ ଅଧିକ ଦର ଦେଇ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି । ଅର୍ଥାତ ଗତ ତିନିବର୍ଷରେ ଅଶୋଧିତ ତୈଳଦର ହ୍ରାସ ପାଇଥିଲେ ବି ଏହାର ସୁଫଳ ଭାରତୀୟ ଗ୍ରାହକଙ୍କୁ ମିଳିନାହିଁ ।

ପେଟ୍ରୋଲ ଲିଟର ପିଛା ଦର ମାତ୍ର ୩୧ ଟଙ୍କା :

ପେଟ୍ରୋଲର ଦାମ୍ ମାତ୍ର ୩୧ଟଙ୍କା । ଏହା ପଢିବା ବେଳକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ । ଆଉ ଏହା ହେଉଛି ଭାରତୀୟ ତୈଳଦର । ମାନେ ଅଶୋଧିତ ତୈଳକୁ ରିଫାଇନିଙ୍ଗ କରିବା ସହ ମୋଟ ୩୧ ଟଙ୍କା ଖର୍ଚ୍ଚ ହେଉଛି । ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଭାରତ ପେଟ୍ରୋଲିୟମ ଆନ୍ତର୍ଜାତୀୟ ବଜାରରୁ ଆସୁଥିବା ଅଶୋଧିତ ତୈଳକୁ ରିଫାଇନିଙ୍ଗ କରିଥାନ୍ତିି । ମିଡିଆ ରିପୋର୍ଟ ଅନୁସାରେ, ଏକ ଲିଟର ଅଶୋଧିତ ତୈଳ ପାଇଁ ଏହି କମ୍ପାନୀମାନେ ୨୧ ଟଙ୍କା ୫୦ ପଇସା ଭରଣା କରନ୍ତି । ଏହାପରେ ଆସେ ରିଫାଇନିଙ୍ଗ ପାର୍ଟ । ପ୍ରବେଶ ଶୁଳ୍କ, ରିଫାଇନାରୀ ପ୍ରୋସେସିଙ୍ଗ, ଲ୍ୟାଣ୍ଡିଙ୍ଗ କଷ୍ଟ ଏବଂ ଅନ୍ୟାନ୍ୟ ଶୁଳ୍କ ମିଶି ପ୍ରାୟ ୯ଟଙ୍କା ୩୪ ପଇସା ଖର୍ଚ୍ଚ ହୁଏ ଏକ ଲିଟର ତୈଳ ରିଫାଇନିଙ୍ଗ ପାଇଁ । ମାନେ ଦେଖିବାକୁ ଗଲେ ଗୋଟିଏ ଲିଟର ପେଟ୍ରୋଲ ପାଇଁ ପ୍ରାୟ ୩୧ ଟଙ୍କା ହିଁ ଖର୍ଚ୍ଚ ହେଉଛି । କିନ୍ତୁ ଏହାପରେ ବି ଜଣେ ଗ୍ରାହକକୁ ପେଟ୍ରୋଲ ଲିଟର ପିଛା ୬୮ରୁ ୭୯ ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ପଡୁଛି ।

କାହିଁକି ମିଳୁନି ଫାଇଦା :

୩୧ଟଙ୍କାରେ ପ୍ରସ୍ତୁତ ହେଉଛି ପେଟ୍ରୋଲ ହେଲେ ବିକ୍ରି ହେଉଛି ୬୮ରୁ ୭୯ ଟଙ୍କାରେ । କିନ୍ତୁ କାହିଁକି । ଏତେ ବଡ ତଫାତ ପଛରେ କଣ କାରଣ ଥାଇପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଆଧାରରେ ପେଟ୍ରୋଲ ଦର ବୃଦ୍ଧି ପଛରେ କେବଳ ଗୋଟିଏ କାରଣ ତାହା ହେଉଛି ଟିକସ । ମାନେ ଗ୍ରାହକଙ୍କୁ ପ୍ରାୟ ୪୮ ଟଙ୍କା ଟିକସ ଦେବାକୁ ପଡୁଛି । ୩୧ ଟଙ୍କାରେ ତ ପେଟ୍ରୋଲ ପ୍ରସ୍ତୁତ ହୋଇ ଯାଉଛି କିନ୍ତୁ ଭାରତ ସରକାରଙ୍କ ବିଭିନ୍ନ କର ବା ଟିକସ ଲାଗିବା ପରେ ଏହାର ଦାମ ଏତେ ଉଚ୍ଚା ହୋଇଯାଉଛି । ଯାହା ସିଧାସଳଖ ଗ୍ରାହକଙ୍କୁ ଭରଣା କରିବାକୁ ପଡୁଛି । ୨୦୧୪ରୁ ଆଜି ଯାଏଁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୨୬ ପ୍ରତିଶତ ଓ ଡିଜେଳ ଉପରେ ୩୭୪ ପ୍ରତିଶତ ବର୍ଦ୍ଧିତ ଏକ୍ସାଇଜ ଡ୍ୟୁଟି ନେଉଛନ୍ତି । ଯାହାକି ଗ୍ରାହକଙ୍କୁ ଦେବାକୁ ପଡୁଛି ।

ଚାଲାକ ସରକାର, ବିରୋଧୀ ନାଚାର :

ଦିନ ଥିଲା, ପେଟ୍ରୋଲ କିମ୍ବା ଡିଜେଲ ଦରରେ ସାମାନ୍ୟ ପରିବର୍ତ୍ତନକୁ ବି ବରଦାସ୍ତ କରାଯାଉନଥିଲା । ୫୦ ପଇସା କି ୧ଟଙ୍କା ବଢ଼ିଲେ କିମ୍ବା କମିଲେ ଟିଭି ଚ୍ୟାନେଲରେ ହେଡଲାଇନ୍ସ ହେଉଥିଲା । ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଖବରକୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଭାବେ ସ୍ଥାନ ଦିଆଯାଉଥିଲା । ବିରୋଧି ହଙ୍ଗାମା କରୁଥିଲେ ତୈଳଦର ବୃଦ୍ଧି ପାଇଁ । ନାରାବାଜି ହେଉଥିଲା । ହେଲେ ଆଜିର ଦିନରେ ତୈଳ ଦର ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଂଚିଗଲାଣି କିନ୍ତୁ କାହାରି ଯେମିତି ନଜର ନାହିଁ । ଏହାର ଏକମାତ୍ର କାରଣ କେନ୍ଦ୍ର ସରକାରଙ୍କ ଚାଲାକି । ୧୬ ଜୁନରେ କେନ୍ଦ୍ର ସରକାର ଡାଇନାମିକ ପ୍ରୋସେସ୍ ଆପଣାଇଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ଦିନ ତୈଳଦରରେ ପରିବର୍ତ୍ତନ ହେଉଛି । ତେଣୁ ତୈଳଦର କେତେ ବଢ଼ୁଛି ଓ କେତେ କମୁଛି ତାହା ଜାଣିବା ଏତେ ସହଜ ନୁହେଁ ।

ତୈଳଦର ଏବଂ ଓଡିଶା : 

ମୁମ୍ବାଇ ଓ ଦିଲ୍ଲୀରେ ହାଇ ପ୍ରାଇସରେ ପେଟ୍ରୋଲ କିଣାଯାଉଥିବା ବେଳେ ଓଡିଶାରେ ଏହାର ଦାମ କିଛି କମ ନାହିଁ । ବର୍ତ୍ତମାନ ଓଡିଶାର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ସର୍ବାଧିକ ୬୯ ଟଙ୍କା ରହିଛି । ଡିଜେଲ ଓ ପେଟ୍ରୋଲ ଉପରେ ରାଜ୍ୟରେ ୨୬ ପ୍ରତିଶତ ଟିକସ ପଡୁଛି । ୨୦୧୬ ଜାନୁଆରୀରେ ରାଜ୍ୟ ସରକାର ୩ ପ୍ରତିଶତ ଟିକସ ବଢ଼ାଇଥିଲେ । କ୍ୟାବିନେଟ ନିଷ୍ପତି ଅନୁସାରେ ଏହା ୨୩ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଗତ ତିନିବର୍ଷ ଭିତରେ ରାଜ୍ୟ ସରକାର ୬ ପ୍ରତିଶତ ଟିକସ ବଢ଼ାଇ ସାରିଲେଣି । କଟକରେ ପେଟ୍ରୋଲ ଲିଟର ପିଛା ୬୯.୫୧ଟଙ୍କା, ପୁରୀରେ ୬୯.୩୫ ଟଙ୍କା, ରାଉରକେଲାରେ ୬୯.୯୬ ଟଙ୍କା, ଭୁବନେଶ୍ୱରରେ ୬୯.୨୫ଟଙ୍କା ରହିଛି ।

ଏସବୁ ଭିତରେ ଦୈନନ୍ଦିନ ଜୀବନରେ ଅନ୍ୟାନ୍ୟ ସାମଗ୍ରୀ ଭଳି ପେଟ୍ରୋଲ ଓ ଡିଜେଲ ମଧ୍ୟ ମଣିଷର ଏକ ନିତ୍ୟ ବ୍ୟବହୃତ ସାମଗ୍ରୀରେ ଗଣତି ହେଉଛି । ଗୋଟିଏ ଗୋଟିଏ ମିନିଟରେ ଭିଡ ଲାଗୁଛି ପେଟ୍ରୋଲ ପମ୍ପରେ । ତଥାପି ଏହାର ଦରବୃଦ୍ଧି ସାଧାରଣ ଗ୍ରାହକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଥିବା ବେଳେ ସରକାରଙ୍କ ନୀରବତା ଆଶ୍ଚର୍ଯ୍ୟ କରିଛି । ତେବେ ଆଗକୁ ଏହାର ସମାଧାନ କେମିତି ଓ କେବେ ହେଉଛି ତାହା ଉପରେ ନଜର ।