କାହିଁକି ଟିଟୋକୁ ମିଳୁଥିଲା ସ୍ଥାନୀୟ ଲୋକଙ୍କ ସମର୍ଥନ? ଖୋଲିବ ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ପେଡି ।

19

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ପୃଷ୍ଠା ଖୋଲିବ ସ୍ୱତନ୍ତ୍ର ଟାକ୍ସ ଫୋର୍ସ । କେଉଁ କେଉଁ ଅପରାଧ ସହ ସେ ଜଡିତ, ତା’ ଗ୍ୟାଙ୍ଗର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ସବୁର ହେବ ଛାନଭିନ । ସବୁଠୁ ବଡ଼ କଥା ହେଉଛି, ଅଣ୍ଡରୱାର୍ଲ୍ଡ ସହ ତା’ର ସଂପର୍କ ଥିବା ନେଇ ମଧ୍ୟ ସଂଦେହ କରୁଛି ପୋଲିସ । ସେପଟେ ଟିଟୋ ସଂପର୍କରେ ଆସୁଛି ଅନେକ ରୋଚକ ତଥ୍ୟ । ଲୋକଙ୍କୁ ଛୋଟ ମୋଟ ସାହାଯ୍ୟର ହାତ ବଢ଼ାଇ ରବିନ୍ ହୁଡ୍ ଭଳି ଇମେଜ ସୃଷ୍ଟି କରି ସ୍ଥାନୀୟ ଅଂଚଳରେ ସମର୍ଥନ ବୃଦ୍ଧି କରୁଥିଲା ଟିଟୋ ।ତେବେ ଡନ୍ ଏବେ ପୋଲିସର କବଜାରେ । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ସ୍ପେଶାଲ ଟାକ୍ସ ଫୋର୍ସର ଗୁଳିରେ ଘାଇଲା ଗ୍ୟାଙ୍ଗଷ୍ଟର୍ ଟିଟୋ । ଟିଟୋର ଅପରାଧିକ ସାମ୍ରାଜ୍ୟ ସଂପର୍କରେ ଆରମ୍ଭ ହୋଇଛି ଖୋଳତାଡ଼ । ତା’ ନାଁରେ ରହିଛି ହତ୍ୟା, ଅପହରଣ, ଦାଦାବଟି, ଟେଣ୍ଡର ଫିକ୍ସିଂ ଭଳି ୫୦ରୁ ଅଧିକ ଅନେକ ମାମଲା ।

କୁହାଯାଏ, କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ଟିଟୋର ରହିଛି ବିଶାଳ ନେଟୱର୍କ । କୋଲକାତାରେ ରହିଛି ତାର ବେଆଇନ କାରବାର । ଅପହରଣ, ହତ୍ୟା, ଟେଣ୍ଡର ଫିକ୍ସିଂ ସହ ଅଣ୍ଡର ୱାର୍ଲ୍ଡର କନେକସନ୍ ନେଇ ମଧ୍ୟ ସନ୍ଦେହ କରୁଛି ପୋଲିସ । ଅଣ୍ଡର ୱାର୍ଲ୍ଡର ବଡ଼ ବଡ଼ ଅପରାଧୀ ସହ ଲିଙ୍କ୍ ସଂପର୍କରେ ତଦନ୍ତ କରିବ ପୋଲିସ । ସୟଦ ଉସମାନ ଅଲୀ-ଟିଟୋର ଅପରାଧ ଜୀବନ ଆରମ୍ଭ ହୁଏ କେନ୍ଦ୍ରାପଡ଼ାରେ । ଛୋଟ ଛୋଟ ଚୋରିରୁ ତିଆରି ହୁଏ ଅପରାଧର ବିଶାଳ ସାମ୍ରାଜ୍ୟ । କେନ୍ଦ୍ରାପଡ଼ାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଂଚଳରୁ ଅପରାଧୀଙ୍କୁ ଏକାଠି କରି ଗ୍ୟାଙ୍ଗର କଳେବର ବୃଦ୍ଧି କରେ, ଆଉ ବନିଯାଏ ଟିଟୋ ଭାଇ ।

ଅପହରଣ କରି ଟଙ୍କା ଆଦାୟ, ଦାଦାବଟି ଅସୁଲ ଓ ଟେଣ୍ଡର ଫିକ୍ସି କରି କୋଟି କୋଟି ଟଙ୍କାର ମାଲିକ ଟିଟୋ, ଅପରାଧ ଦୁନିଆରେ ଯେମିତି ଥିଲା ଦୁର୍ଦ୍ଦାନ୍ତ, ଲୋକ ସମର୍ଥନ ଯୋଗାଡିବାରେ ସେମିତି ଥିଲା ମାହିର । ସ୍ଥାନୀୟ ଲୋକଙ୍କୁ ସହାୟତା ଦେଇ ନିଜର ରବିନ୍ ହୁଡ୍ ଇମେଜ୍ ସୃଷ୍ଟି ପାଇଁ କରୁଥିଲା ଉଦ୍ୟମ । ସ୍ୱେଚ୍ଛାସେବୀ ସଂଗଠନ ଗଢି ବେଶ କିଛି ଅନୁଗାମୀ ଯୋଗାଡ କରିଛି ଟିଟୋ । ଛୋଟ ମୋଟ ସାହାଯ୍ୟ କରି ଏହି ଗ୍ୟାଙ୍ଗଷ୍ଟର ବନିଯାଏ ଟିଟୋ ଭାଇ । ପୋଲିସ ଓ ପ୍ରଶାସନର ଅନେକ କର୍ମଚାରୀଙ୍କ ସହ ମଧ୍ୟ ଟିଟୋର ଥିଲା ଭଲ ସଂପର୍କ । ଫଳରେ ଅନେକ ସମୟରେ କେନ୍ଦ୍ରାପଡ଼ାରେ ରହିଥିଲେ ବି ପୋଲିସ ସୂଚନା ପାଇବା ଆଗରୁ ପୋଲିସର ଗତିବିଧି ସଂପର୍କରେ ତାକୁ ମିଳି ଯାଇଥାଏ ସବୁ ସୂଚନା । ତେଣୁ ବର୍ଷ ବର୍ଷ ଧରି ପୋଲିସ ପହଁଚି ପାରୁନଥିଲା ତା’ ନିକଟରେ ।