କାହିିଁକି ଆମ୍ବ ଟାକୁଆ ଖାଉଛନ୍ତି ଗାଁ ଲୋକେ! ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା କନକ ନ୍ୟୁଜ, ସାମ୍ନାକୁ ଆସିଲା ସତ

78

କନକ ବ୍ୟୁରୋ : କେହି ଭୋକିଲା ଶୋଇବେନି । ସଭିଙ୍କ ମୁହଁରେ ଆହାର ପହଞ୍ଚିବ । ଏଭଳି ସବୁ ନାରାଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଆଜି ବି ଲୋକ ଆମ୍ବ ଟାକୁଅ ଖାଉଛନ୍ତି । ଆଉ ଏହି ଆମ୍ବ ଟାକୁଆ ନବରଙ୍ଗପୁର ଜିଲ୍ଲାରେ ୩ଜଣଙ୍କ ଜୀବନ ନେଇଛି । ଏବେ ବି ଜଣେ ଜୀବନ ସହ ସଂଗ୍ରାମ କରୁଛନ୍ତି । କାହିଁକି ଏବଂ କେଉଁ ପରିସ୍ଥିତିରେ ମଇନାପୁରର ସାନ୍ତା ପରିବାର ଆମ୍ବ ଟାକୁଆ ଖାଇଲେ, ତାହା ପରଖିଥିଲା କନକ ନ୍ୟୁଜ ଟିମ୍ ।

ଝରିଗାଁ ବ୍ଲକର ମଇନାପୁର ଗାଁରେ ପହଂଚିବା ପୂର୍ବରୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ହିଁ କହି ଦେଉଥିଲା ଉପାନ୍ତ ଇଲାକାର ବିକାଶର ଚିତ୍ର । ରାସ୍ତା କହିଲେ ପାଦ ଚଲା ବାଟ । ମଝିରେ ମଝିରେ ଛୋଟିଆ ଛୋଟିଆ ନାଳ । ବହୁ କଷ୍ଟରେ ଗାଁରେ ପହଂଚିଥିଲା ଆମ ଟିମ୍ । ଗାଁରେ ଥିଲା ଦୁଃଖରେ ମାହୋଲ । ସାନ୍ତା ପରିବାରଙ୍କ ଘର ଅଗଣାରେ ପଡ଼ି ରହିଥିଲା ମୃତ- ଦେହ । ଆଉ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୁରା ପରିବେଶ । ଏଭଳି ପରିସ୍ଥିତିରେ ମୃତକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ପଚାରି ବୁଝିବା ଯେମିତି କଷ୍ଟ ଥିଲା, ସେମାନେ ଉତର ଦେବା ଆହୁରି ଅସାଧ୍ୟ ଥିଲା । ବହୁ କଷ୍ଟରେ ଘଟଣା ସଂପର୍କରେ କହିଥିଲେ ଅର୍ଜୁନ୍ ।

ଘରେ ମୁଖିଆ ନଥିଲେ, ବଡ ଭାଇ ଚାଷ ପାଇଁ ବିଲକୁ ଯାଇଥିଲେ । ଆଉ ମହିଳାମାନେ ରୋଷେଇ କରିବା ସମୟରେ ନଜର ପଡ଼ିଥିଲା, ଘରେ ଥିବା ଆମ୍ବ ଟାକୁଅର କୋଇଲିରୁ ପ୍ରସ୍ତୁତ ହୋଇଥିବା ଚୁନା ଉପରେ । ସେହି ଚୁନାରୁ ପିଠା ପ୍ରସ୍ତୁତ କରି ଖାଇବାର, କେଇଘଂଟା ଭିତରେ ପରିବାର ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ଆଉ ଚାହୁଁ ଚାହୁଁ ନମିତା ସାନ୍ତାଙ୍କ ଜୀବନ ଚାଲିଗଲା । ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ନଆସିବାରୁ ଘରେ ଥିବା ଟ୍ରାକ୍ଟରରେ ଅନ୍ୟ ସମସ୍ତଙ୍କୁ ଝରିଗାଁ ହସ୍ପିଟାଲ ନିଆଯାଇଥିଲା । ଝରିଆଁରୁ ନବରଙ୍ଗପୁର ହସ୍ପିଟାଲ ନିଆଯାଇଥିଲା, ସେଠି ସଦାମଣୀ ସାନ୍ତା ଏବଂ କୋରାପୁଟ ମେଡ଼ିକାଲରେ ପ୍ରମିଳା ସାନ୍ତାଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କୁନି ପୁଅ ।

ମଇନାପୁରରେ ସ୍ଥାନୀୟ ବିଡିଓ ପହଂଚି ପ୍ରାଥମିକ ସରକାରୀ ସହାୟତା ଯୋଗାଇ ଦେଇଥିବା ବେଳେ ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ସାନ୍ତା ପରିବାରକୁ ଖାଦ୍ୟ ସମାଗ୍ରୀ ମିଳୁଥିବା କହିଛନ୍ତି ।ଏବେ ପ୍ରଶ୍ନ ହେଉଛି- ଏମାନେ ଆମ୍ବ ଟାକୁଆ ଖାଇଲେ କାହିଁକି ? ଏହାର ସତ ବୁଝୁ ବୁୂଝୁ ଖାଦ୍ୟାଭ୍ୟାସ ଯୋଗୁଁ ପାରମ୍ପରିକ ଆମ୍ବ ଟାକୁଆ ଖାଉଥିବା କହିଥିଲେ ଗାଁ ଲୋକେ । ତେବେ ପ୍ରଶ୍ନ ଉଠୁଛି ଏହା ଭୋକ ନା’ ପାରମ୍ପରିକ ଅଭ୍ୟାସ ? ସାନ୍ତା ପରିବାର ଭୋକ ଉପାସରେ ରହୁନଥିଲେ । ଏମିତି କି ସରକାରୀ ଯୋଜନାରେ ତାଙ୍କୁ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଥିଲା ।କିନ୍ତୁ ଏହାପରେ ମଧ୍ୟ ଆମ୍ବ ଟାକୁଆ ଖାଇ ୩ ଜୀବନ ନିରିହ ଜୀବନ ଚାଲିଯାଇଛି । ତେଣୁ ପ୍ରଶାସନ ଏନେଇ ଲୋକମାନଙ୍କୁ ସଚେତନ କଲେ ହୁଏତ ଆମ୍ବ ଟାକୁଆ ଯୋଗୁଁ ଅନ୍ୟ କାହାର ଜୀବନ ଯିବ ନାହିଁ ।