ଓଡିଶାରେ ବ୍ୟବସାୟ କରିବା କଷ୍ଟକର ! ଇଜ ଅଫ ଡୁଇଙ୍ଗ ବିଜିନେସ୍ ତାଲିକାରେ କାହିଁକି ଓଡିଶାକୁ ମିଳିଲା ୧୪ତମ ସ୍ଥାନ, ତର୍ଜମା କରିବେ ସରକାର ।

98

କନକ ବ୍ୟୁରୋ: ବ୍ୟବସାୟ କରିବା ପାଇଁ ଦେଶରେ ସବୁଠୁ ଉକ୍ରୃଷ୍ଠ ରାଜ୍ୟର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଓଡିଶାର ସ୍ଥାନ ବହୁତ ତଳେ ୧୪ ତମ ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହାକୁନେଇ ରାଜ୍ୟ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, କମ୍ପାନୀ ଉତ୍ତମ ଫିଡବ୍ୟାକ ଦେଇନାହାନ୍ତି ଯେଉଁଥି ପାଇଁ ଏଭଳି ରେଜଲ୍ଟ ମିଳିଛି । ତେବେ ଏ ନେଇ ସମୀକ୍ଷା କରାଯିବ ଓ ସମସ୍ୟା କେଉଁଠି ରହିଲା ତାହାକୁ ମଧ୍ୟ ତର୍ଜମା କରାଯିବ ବୋଲି ଶିଳ୍ପ ସଚିବ କହିଛନ୍ତି ।


ତେବେ କେଉଁ ରାଜ୍ୟରେ ବ୍ୟବସାୟ କରିବା ସହଜ ଏବଂ ଉତ୍ତମ ବ୍ୟବସାୟିକ ବାତାବରଣ ରହିଛି , ଏ ନେଇ ବିଶ୍ୱବ୍ୟାଙ୍କ ସହାୟତାରେ ତାଲିକା ପ୍ରକାଶ କରିଥିଲା କେନ୍ଦ୍ର । ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ଆନ୍ଧ୍ରପ୍ରଦେଶ । ତେବେ ଆନ୍ଧ୍ର୍ରପ୍ରଦେଶ ୯୮.୪୨ ପ୍ରତିଶତ ସ୍କୋର କରି ତାଲିକାର ଶୀର୍ଷରେ ରହିଛି । ଏହା ପରେ ୯୮.୩୩ ପ୍ରତିଶତ ସ୍କୋର କରି ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ଏବଂ ୯୮.୦୭ ପ୍ରତିଶତ ସ୍କୋର କରି ହରିୟାଣା ରହିଛି ତୃତୀୟ ସ୍ଥାନରେ ।

ମିନିଷ୍ଟ୍ରୀ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ତରଫରୁ ଜାରି ହୋଇଥିବା ଏହି ରିପୋର୍ଟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନ ରହିଛି । ପୁର୍ବରୁ ୨୦୧୬ରେ ୧୧ତମ ସ୍ଥାନରେ ରହିଥିବା ଓଡିଶା ଚଳିତ ରିପୋର୍ଟରେ ୧୪ତମ ସ୍ଥାନକୁ ଖସିଯାଇଛି । ଓଡ଼ିଶାର ରିଫର୍ମ ଏଭିଡେନ୍ସ ସ୍କୋର ରହିଛି ୯୭.୮୩ ପ୍ରତିଶତ । ହେଲେ ଫିଡ୍ ବ୍ୟାକ୍ ସ୍କୋର ରହିଛି ମାତ୍ର ୩୯.୨ ପ୍ରତିଶତ । ମୋଟ ସ୍କୋର ହେଉଛି ୯୨.୦୯ ପ୍ରତିଶତ । ଏହାର ଅର୍ଥ ହେଉଛି ଶିଳ୍ପ ପାଇଁ ଆଗ୍ରହ ପ୍ରକାଶ ପାଉଛି । ହେଲେ ବ୍ୟବସାୟରେ ପ୍ରତିବନ୍ଧକ ରହୁଛି । ତେଣୁ ଫିଡ୍ ବ୍ୟାକ୍ ଭଲ ରହୁନାହିଁ ।