କାହିଁକି ରାମନାଥଙ୍କୁ ବାଛିଲା ବିଜେପି! ଜାଣନ୍ତୁ ଏହା ପଛର କିଛି କାରଣ

73

ସବୁଥର ପରି ଏଥର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା । ରାଷ୍ଟ୍ରପତି ପଦ ପାଇଁ ଏକ ଏମିତି ଚେହେରା ସାମ୍ନାକୁ ଆଣିଲେ ଯାହାର ଅନୁମାନ କେହି କରିନଥିଲେ । ତେବେ ହଠାତ୍ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ପ୍ରଥମ ପ୍ରଶ୍ନ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଭଳି ଅନେକ ବଡ ଚେହେରା ଥିବା ସତ୍ତେ୍ୱ ରାମନାଥଙ୍କୁ କାହିଁକି ଚୟନ କରାଗଲା ।

ଏବେ ନଜର ପକାନ୍ତୁ ମୋଦି ଏବଂ ଶାହାଙ୍କ ପସନ୍ଦ ପଛର କିଛିି କାରଣ ଉପରେ :

ଦଳିତ ଚେହେରାଙ୍କୁ ସୁଯୋଗ ଦେବା :
ଦଳିତ ସମୁଦାୟର ହୋଇଥିବାରୁ ରାମନାଥଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନ ଏବଂ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳିତ ସମୁଦାୟ ଯେଉଁଭଳି ଭାବରେ ବିଜେପିକୁ ସମର୍ଥନ କରିଥିଲେ ସେହି ସ୍ଥିତି ବଜାୟ ରଖିବା ସହ ଦଳିତଙ୍କ ଆହୁରି ବିଶ୍ୱାସ ଭାଜନ ହେବାକୁ ବିଜେପି ଏହି ନିଷ୍ପତି ନେଇଥିବା କୁହାଯାଉଛି । ତେଣୁ ରାମନାଥଙ୍କ ଜରିଆରେ ଦଳ ସବକା ସାଥ୍ ସବକା ବିକାଶ୍ ନାରାକୁ ଆହୁରି ତ୍ୱରାନିତ କରିପାରିବ ବୋଲି ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି ।

ବିରୋଧ କରୁଥିବା ନେତା ଦଳିତ ବିରୋଧୀ ବୋଲି ବାର୍ତ୍ତା ଯିବ:
ସବୁଠାରୁ ବଡ କଥା ହେଉଛି ରାମନାଥଙ୍କ ପ୍ରାର୍ଥୀତ୍ୱଙ୍କୁ ଯେଉଁ ରାଜନୈତିକ ଦଳ ବିରୋଧ କରିବାକୁ ନିଷ୍ପତ୍ତି ହେବ, ଏହା ଉକ୍ତ ଦଳ ପାଇଁ ମହଙ୍ଗା ପଡିବ । ଯେହେତୁ ରାମନାଥ ଦଳିତ ସମୁଦାୟର ତେଣୁ ତାଙ୍କୁ ବିରୋଧ କଲେ ଅନ୍ୟଦଳକ ଦେହରେ ଦଳିତ ବିରୋଧୀର ଦାଗ ଲାଗିପାରେ । ତେଣୁ କୌଣସି ଦଳ ବିରୋଧ କରିବା ଆଗରୁ ବହୁତ ଭାବିବାକୁ ପଡିବ ।

ଲମ୍ବା ରାଜନୈତିକ ଅଭିଜ୍ଞତା :
ଦେଖିବାକୁ ଗଲେ ରାଜନୈତିକ ଅଭିଜ୍ଞତା ବାବଦରେ ରାମନାଥଙ୍କ ପକ୍ଷ ଖୁବ୍ ମଜଭୁତ୍ । ରାମନାଥ ୧୨ ବର୍ଷ ଅର୍ଥାତ୍ ୨ ଥର ରାଜ୍ୟସଭା ସାଂସଦ ରହିସାରିଛନ୍ତି । ଏହା ସହ ବିଜେପିର ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଅଗଷ୍ଟ ୨୦୧୫ରୁ ବିହାରର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିଛନ୍ତି ।

ଆଇକଜୀବି ଥିବା ହେତୁ ଆଇନ ଉପରେ ଉପଯୁକ୍ତ ଜ୍ଞାନ :
କାନପୁର ୟୁନିଭର୍ସିଟିରୁ ବିକମ୍ ଏବଂ ଏଲଏଲବି କରିଥିବା ରାମନାଥ ଉଭୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ୧୬ ବର୍ଷ ଯାଏଁ କାର୍ଯ୍ୟ କରିଥିଲେ । ଆଉ ଏମିତିରେ ସମସ୍ତ ଆଇନ୍ କାନୁନ୍ ବିଷୟରେ ସବିଶେଷ ତଥ୍ୟ ତାଙ୍କ ପଥକୁ ସହଜ କରିବ ।

ସମସ୍ତଙ୍କ ସମର୍ଥନ :
ଦଳ ଯଦି ଅନ୍ୟ ବରିଷ୍ଠ ବିଜେପି ନେତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଥାନ୍ତା ତେବେ ବିପକ୍ଷ ଦଳ ନିଶ୍ଚୟ ବିରୋଧ କରିଥାନ୍ତେ । ଏହା ସହ ବିହାରରେ ରାଜ୍ୟପାଳ ଥିବା ହେତୁ ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶ କୁମାରଙ୍କ ସହ ରାମନାଥଙ୍କ ଉତ୍ତମ ସଂପର୍କ ରହିଛି । ଏପରିକି ଉତ୍ତମ ସ୍ୱଭାବ ଯୋଗୁଁ ବିପକ୍ଷର ଅନେକ ନେତାଙ୍କ ସହ ମଧ୍ୟ ରାମନାଥଙ୍କ ମଧୁର ସଂପର୍କ ରହିଛି । ତେଣୁ ରାମନାଥଙ୍କ ଚେହେରା ଦଳକୁ ଅନ୍ୟମାନଙ୍କ ସମର୍ଥନ ହାସଲ କରିବାରେ ସହାୟକ ହୋଇପାରେ ।

ଅନ୍ତଃରାଷ୍ଟ୍ରୀୟ ଅଭିଜ୍ଞତା ଏବଂ ଅନୁଭବ :
ଦୁଇ ଦୁଇ ଥର ରାଜ୍ୟସଭା ସଦସ୍ୟ ରହିଥିବା ହେତୁ ରାମନାଥ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ଏହା ସହ ସେ ଗଭର୍ଣ୍ଣର୍ସ ଅଫ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟର ସଦସ୍ୟ ଥିଲେ । ୨୦୦୨ରେ ସେ ଦୁନିଆର ସବୁଠାରୁ ବଡ ପଂଚାୟତ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ତେଣୁ ରାମନାଥଙ୍କ ଏହି ଛବି ଆଗକୁ ଦେଶ ପାଇଁ କାମରେ ଆସିବ ।

ଆଜି ଯାଏଁ କୌଣସି ବିବାଦ ଘେରକୁ ଆସିନାହାଁନ୍ତି :
ରାମନାଥ କୋବିନ୍ଦ ଜଣେ ନିର୍ବିବାଦୀୟ ନେତା ଭାବେ ବେଶ୍ ଜଣାଶୁଣା । ତାଙ୍କ ରାଜନୈତିକ କ୍ୟାରିୟର୍ ଭିତରେ ଆଜିଯାଏଁ କୌଣସି ବିବାଦ କିମ୍ବା ଦୁର୍ନୀତି ତାଙ୍କୁ ଛୁଇଁ ପାରିନାହିଁ । କାନପୁରର ଏକ ଦଳିତ ପରିବାରେ ଜନ୍ମିତ ରାମନାଥଙ୍କ ଛବି ଜଣେ ନିଷ୍ଠାବାନ୍ ବ୍ୟକ୍ତି ଭାବରେ ପରିଚିତ । ଅନେକ ସମୟରେ ସେ ଗରିବମାନଙ୍କ ପାଇଁ ସଂଘର୍ଷ ମଧ୍ୟ କରିଛନ୍ତି । ରାଜନୀତିରେ ଯେଉଁଠି ନେତା ମାନେ ହାଇକ୍ଲାସ୍ ଜୀବନ ଯାପନ କରନ୍ତି ସେଠି ରାମନାଥ କିନ୍ତୁ ସାଧରଣ ଜୀବନ ବଂଚିବାକୁ ପସନ୍ଦ କରନ୍ତି । ଏପରିକି ଗାଁରେ ଥିବା ନିଜ ପୈତୃକ ଘରକୁ ମଧ୍ୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଦାନ କରିଦେଇଛନ୍ତି । ତେଣୁ ତାଙ୍କର ଏହି ଛବି ତାଙ୍କ ରାଷ୍ଟ୍ରପତି ହେବାର ପଥକୁ ପରିଷ୍କାର କରିଦେଇଛି ।