ଯାତ୍ରୀଙ୍କର ପ୍ରଥମ ପସନ୍ଦ ପାଲଟିଲା ‘ମୋ ବସ୍’ ସେବା । ଜାଣନ୍ତୁ ଅନ୍ୟ ବସ୍ ଠାରୁ କିଭଳି ଅଲଗା ‘ମୋ ବସ୍’ ସେବା । 

ରାଜଧାନୀରେ ଆରମ୍ଭ ହେଲା ମୋ ବସ୍ ସେବା । ୯ଟି ରୁଟରେ ଗଡିବ ଶହେଟି ନୂଆ ବସ୍

429

କନକ ବ୍ୟୁରୋ : ‘ମୋ ବସ୍’ ।  ଦୀପାବଳି ପୂର୍ବରୁ ରାଜଧାନୀବାସୀଙ୍କୁ ରାଜ୍ୟ ସରକାରଙ୍କ ସବୁଠୁ ବଡ ଭେଟି । ସ୍ମାର୍ଟସିଟିରେ ଗଡିଛି ସ୍ମାର୍ଟ ବସ୍ । ମୁଖ୍ୟମନ୍ତ୍ରୀ ନିଜେ ଏହି ବସରେ ବସି ଯାତ୍ରା କରିଛନ୍ତି । ତେବେ ଟ୍ୱିନ୍ ସିଟିରେ ଚାଲୁଥିବା ସିଟି ବସ ଓ ମୋ ବସ୍ ମଧ୍ୟରେ ଏମିତି କଣ ଭିନ୍ନତା ରହିଛି ଯାହା ଯାତ୍ରୀ ମାନଙ୍କୁ ଏହି ବସରେ ଯାତ୍ରା କରିବାକୁ ଆକୃଷ୍ଟ କରୁଛି । କାରଣ ଏହି ସ୍ମାର୍ଟ ବସରେ ଏଭଳି କିଛି ବ୍ୟବସ୍ଥା ରହିଛି ଯେଉଁଥିପାଇଁ ଯାତ୍ରୀଙ୍କର ଏହା ଯାତ୍ରା ପାଇଁ ପ୍ରଥମ ପସନ୍ଦ ପାଲଟିଛି ।

ସୁରକ୍ଷା ପାଇଁ ସିସିଟିଭି, ଗରମରୁ ରକ୍ଷା ପାଇବା ପାଇଁ ଏସି, ମନୋରଞ୍ଜନ ପାଇଁ ଇଣ୍ଟରନେଟ ଏଭଳି ସୁବିଧା ପ୍ରାୟତଃ ଘରେ କିମ୍ବା ବିମାନବନ୍ଦରରେ ପାଇଥାନ୍ତି ଲୋକେ । କିନ୍ତୁ ଏବେ ବସ୍ରେ ମିଳିବ ଏଭଳି ସୁବିଧା । ତାହା ବି ପୁଣି ଭୁବନେଶ୍ୱରରେ । ଆରାମଦାୟକ ଯାତ୍ରା ପାଇଁ ଯାତ୍ରୀଙ୍କୁ ଏଭଳି ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଏଭଳି ୧୦୦ଟି ଅତ୍ୟାଧୁନିକ ବସ୍ ଚଳାଇବା ଆରମ୍ଭ କରିଛନ୍ତି ।

ଯେଉଁଥିରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି ଲଗାଯାଇଥିବା ବେଳେ ଯାତ୍ରା ସମୟରେ ୱାଇଫାଇର ମଧ୍ୟ ସୁବିଧା ମିଳିବ । ଏହାଛଡା ଗରମରୁ ରକ୍ଷା ପାଇବା ପାଇଁ ବସରେ ଏସି ମଧ୍ୟ ଲଗାଯାଇଛି । ଏସବୁ ବାଦ୍ ବସ୍ ଟିକେଟ ପାଇଁ ଯେଉଁଭଳି ଲାଇନ ଲଗାଇବାକୁ ପଡୁଥିଲା ତାହା ମଧ୍ୟ ଦେଖିବାକୁ ମିଳିବ ନାହିଁ । କାରଣ ଯାତ୍ରୀ ମାନେ ଘରେ ବସି ‘ମୋ ବସ’ ଆପ ମାଧ୍ୟମରେ ଅନଲାଇନ ଟିକେଟ ବୁକ୍ କରିପାରିବେ । ଏପରିକି ବସକୁ ଟ୍ରାକ କରିବାକୁ  ଏଥିରେ ଜିପିଏସ ମଧ୍ୟ ଲାଗିଛି । ଯାହା ଗ୍ରାହକଙ୍କୁ ଯାତ୍ରା ସମୟରେ ଏକ ଭିନ୍ନ ଅନୁଭୂତି ଦେବ ।

ସବୁଠୁ ବଡ କଥା ହେଲା, ଯାତ୍ରୀ ମାନଙ୍କୁ ଯେଉଁଭଳି ଭାବେ ପୂର୍ବରୁ ସିଟି ବସକୁ ଅପେକ୍ଷା କରି ରହିବାକୁ ପଡୁଥିଲା ତାହା ମଧ୍ୟ ଆଉ ଦେଖିବାକୁ ମିଳିବ ନାହିଁ । କାରଣ ପ୍ରତି ୧୦ ମିନିଟରେ ବସ ଷ୍ଟପରେ ହାଜର ହେବ ମୋ ବସ୍ । ଏହି ବସରେ ମହିଳା ମାନଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଚାଲିବାକୁ ଥିବା ସମସ୍ତ ବସରେ ୫୦ ପ୍ରତିଶତ ମହିଳାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏହାଛଡା ଯାତ୍ରୀ ମାନଙ୍କୁ ବସରେ ଯାତ୍ରା ସମୟରେ ଭବ୍ୟ ସ୍ୱାଗତ ମଧ୍ୟ କରାଯିବ । ଏସବୁ ବାଦ୍ ବସ ବାବଦରେ ଟିକିନିକି ସୂଚନା ଅନଲାଇନ ମାଧ୍ୟମରେ ପାଇପାରିବେ ଯାତ୍ରୀ ।

ହକି ବିଶ୍ୱକପ୍ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ମାର୍ଟ ଯାତାୟତ ବ୍ୟବସ୍ଥା ମୋ ବସ୍ । ଯାହା ସହରରେ ଯାତାୟତ ଭିଡ କମାଇବା ସହ ଯାତ୍ରୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇଦେବ । ତେଣୁ ଅଟୋ ଓ ସିଟି ବସ ଅପେକ୍ଷା ଏବେ ଯାତ୍ରୀଙ୍କର ପ୍ରଥମ ପସନ୍ଦ ପାଲଟିଛି ‘ମୋ ବସ୍’ ସେବା ।