କାହିଁକି ସ୍ନାନ ମଣ୍ଡପରେ ମହାପ୍ରଭୁ ହୁଅନ୍ତି ଗଜାନନ ବେଶ ? ଆସନ୍ତୁ ଜାଣିବା ଏହାର ରହସ୍ୟ

158

ପ୍ରତିବର୍ଷ ଜ୍ୟେଷ୍ଠମାସ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଏ । ଏହା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ସ୍ନାମମଣ୍ଡପରେ ପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରି ଲକ୍ଷାଧିକ ଭକ୍ତ ଆତ୍ମସନ୍ତୋଷ ଲାଭ କରନ୍ତି । ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ପ୍ରଭୁଙ୍କୁ ଜଳଲାଗି ପରେ ଶ୍ରୀଜୀଉଙ୍କୁ ଗଜାନନ ବେଶ କରାଯାଏ । ଗୋପାଳତୀର୍ଥ ଓ ରାଘବଦାସ ମଠ ବେସ ସାମଗ୍ରୀ ଯୋଗାଇଥାନ୍ତି । ଭିତରଚ୍ଛ , ତଳିଚ୍ଛ,ପୁଷ୍ପାଳକ ଓ ଖୁଣ୍ଟିଆ ସେବକ ତିନିବାଡ଼ରେ ଗଜାନନ ବେଶ କରନ୍ତି ।

ଗବେଷକଙ୍କ ମତ ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମହା ଗାଣପତ୍ୟ ସଂପ୍ରଦାୟର ପଣ୍ଡିତ ଗଣପତି ଭଟ୍ଟ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ପ୍ରଭୁ ଗଣେଶଙ୍କର ସେ ସେ ଜଣେ ପରମ ଭକ୍ତ । ସ୍ନାନ ପୂର୍ଣ୍ଣିମା ତିଥିରେ ସେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ସେଥିରୁ ତାଙ୍କୁ ସନ୍ତୋଷ ମିଳିନଥିଲା । ଗଣପତି ଭଟ୍ଟ ମନ ଦୁଃଖରେ ମହାରାଷ୍ଟ୍ର ଫେରୁଥିବା ବେଳେ ମୁକ୍ତେଶ୍ୱର ଠାରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା । ପ୍ରଭୁଙ୍କୁ ଦର୍ଶନ ପାଇଁ ସେ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ଦେଖି ସେ ଆନନ୍ଦରେ ବିଭୋର ହୋଇ ଯାଇଥିଲେ ସେବେଠାରୁ ସ୍ନାନ ପୂର୍ଣ୍ଣିମୀରେ ପ୍ରଭୁଙ୍କୁ ଗଜାନନ ବେଶ କରାଯାଇ ଆସୁଛି ।