କୃଷି ଋଣ ଛାଡ ଠାରୁ କାହିଁକି ଭଲ ‘କାଳିଆ’ ଯୋଜନା ? ଜାଣନ୍ତୁ ଏହି ଯୋଜନାରେ ଚାଷୀଙ୍କୁ ଅଧିକ କଣ ମିଳିବ ଫାଇଦା

2,222

କନକ ବ୍ୟୁରୋ : କୃଷକଙ୍କ ପାଇଁ କାଳିଆ ସ୍କିମର ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ନବୀନ ସରକାର । ଏହି ସ୍କିମରେ ଚାଷୀ ସ୍ୱତନ୍ତ୍ର ଆର୍ଥିକ ସହାୟତା ସହ ଜୀବନବୀମା ଓ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପାଇପାରିବେ । ଆଉ ଚାଷୀଙ୍କ ପାଇଁ ଏହି କାଳିଆ ଯୋଜନା ମାଧ୍ୟମରେ ଭଣ୍ଡାର ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ କୃଷି ଋଣ ଛାଡ ହୋଇଥିବା ବେଳେ ଓଡିଶାରେ କାହିଁକି କୃଷି ଋଣ ଛାଡ କରାଗଲାନି ତାହା ଏବେ ଏକ ବଡ ପ୍ରଶ୍ନ ଭାବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । କିନ୍ତୁ ସବୁଠୁ ବଡ କଥା ହେଲା କୃଷି ଋଣ ଛାଡ ଠାରୁ କାଳିଆ ଯୋଜନାରେ ଅଧିକ ଲାଭ ପାଇପାରିବେ ଚାଷୀ । କୃଷି ଋଣ ଛାଡ ହୋଇଥିଲେ କେବଳ ଋଣ ଖିଲାପୀ ଚାଷୀ ଉପକୃତ ହୋଇଥାନ୍ତେ କିନ୍ତୁ ଏହି କାଳିଆ ଯୋଜନା ଦ୍ୱାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଲାଭ ପାଇପାରିବେ । ରାଜ୍ୟର ସମସ୍ତ ଚାଷୀ ଭାଇ ମାନଙ୍କୁ ଖୁସି କରିବାକୁ ଏହି କାଳିଆ ଯୋଜନାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କାହିଁକି କୃଷି ଋଣ ଛାଡ କରାଗଲା ନାହିଁ ସେ ବାବଦରେ ମଧ୍ୟ ସ୍ପଷ୍ଟ ଉତ୍ତର ରଖିଛନ୍ତି ରାଜ୍ୟ ସରକାର ।

କୃଷି ଋଣ ଛାଡ ଠାରୁ କାଳିଆ ଯୋଜନା କାହିଁକି ଭଲ ?

ରିପୋର୍ଟ ଅନୁଯାୟୀ, ଏବେ ରାଜ୍ୟରେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୨୦ ଲକ୍ଷ ପରିବାର ଫସଲ ଋଣ ନେଇଥାନ୍ତି । ଅଥାର୍ତ ବଳକା ୧୨ ଲକ୍ଷ ଚାଷୀ ପରିବାର ଫସଲ ପାଇଁ ଋଣ ନେଇନଥାନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଋଣ ନେଇଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ୬୦ ପ୍ରତିଶତ ନିୟମିତ ଭାବେ ଋଣ ପରିଶୋଧ କରିଥାନ୍ତି ଓ ପରେ ପୁର୍ନବାର ଚାଷ ପାଇଁ ପୁଣିଥରେ ଋଣ ନେଇଥାନ୍ତି । କିନ୍ତୁ ବଳକା ୪୦ ପ୍ରତିଶତ ଅଥାର୍ତ ୮ ଲକ୍ଷ ଚାଷୀ ଇଚ୍ଛାକୃତ ହେଉ ଅବା ବାଧ୍ୟବାଧକତାରେ ଋଣଖିଲାପ କରିଥାନ୍ତି । ଅଥାର୍ତ ଏମାନେ ଫସଲ ହାନି ଯୋଗୁଁ ଋଣ ଦେଇନଥାନ୍ତି କିମ୍ବା ଯୋଜାନବଦ୍ଧ ଭାବେ ଋଣଖିଲାପ କରିଥାନ୍ତି ।

ଏଭଳି ସ୍ଥ୍ିତିରେ ଯଦି କୃଷି ଋଣ ଛାଡ କରାଯାଇଥାନ୍ତା ତେବେ କେବଳ ଏହି ୮ ଲକ୍ଷ ଚାଷୀ ଏହାର ଫାଇଦା ପାଇପାରିଥାନ୍ତେ । କିନ୍ତୁ କୌଣସି ଭାଗ ଚାଷୀ କିମ୍ବା ଭୂମିହୀନ କୃଷି ଶ୍ରମିକଙ୍କୁ କୃଷି ଋଣ ଛାଡର ଫାଇଦା ମିଳିନଥାନ୍ତା । ତେଣୁ ଏଭଳି ସ୍ଥିତିରେ କୃଷି ଋଣ ଛାଡକୁ ଗୁରୁତ୍ୱ ନଦେଇ ରାଜ୍ୟର ସମସ୍ତ କୃଷକଙ୍କ ସ୍ୱାର୍ଥକୁ ଦେଖି କାଳିଆ ଯୋଜନାର ଘୋଷଣା କରାଯାଇଛି । କାରଣ ଏହାଦ୍ୱାରା ୯୨ ପ୍ରତିଶତ ଚାଷୀ ଉଭୟ ରଣୀ ଓ ଅଣ-ଋଣୀ ଚାଷୀ, ଭାଗ ଚାଷୀ, ଭୂମିହୀନ କୃଷି ଶ୍ରମିକ ଫାଇଦା ପାଇପାରିବେ ।

ଏହାଛଡା ଏହି ଯୋଜନାର ବୃଦ୍ଧାବସ୍ଥା, ରୋଗ, ଅକ୍ଷମତା ପାଇଁ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁନଥିବା ଚାଷୀଙ୍କୁ ମାସିକ ଭତ୍ତା ଭଳି ସ୍ୱତନ୍ତ୍ର ସହାୟତା ମଧ୍ୟ ପାଇପାରିବେ । ଗ୍ରାମପଞ୍ଚାୟତ ସ୍ତରରେ ଏଭଳି ଚାଷୀଙ୍କୁ ଚିହ୍ନଟ କରାଯାଇ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ମଧ୍ୟ ଦିଆଯିବ । ଏହାଦ୍ୱାରା ସାରା ରାଜ୍ୟରେ ୧୦ ଲକ୍ଷ ଚାଷୀ ପରିବାର ଉପକୃତ ହୋଇପାରିବେ ।

କୃଷି ଋଣ ଛାଡ ଠାରୁ କାଳିଆ ଯୋଜନା ଚାଷୀଙ୍କ ପାଇଁ ଏଥିପାଇଁ ଭଲ କାରଣ ଏହାଦ୍ୱାରା ଭୂମିହୀନ ଚାଷୀ ପରିବାରକୁ ଫୋକସରେ ରଖାଯାଇଛି । ପୂର୍ବରୁ ଅନେକ କୃଷି ବିକାଶ ଯୋଜନାରେ ଭୂମିହୀନ ଚାଷୀ ପରିବାର ପାଇଁ ବିଶେଷ ସୁବିଧା ଉପଲବ୍ଧ ନଥିଲା । କିନ୍ତୁ କାଳିଆ ଯୋଜନା ଦ୍ୱାରା ୧୦ ଲକ୍ଷ ଭୂମିହୀନ ପରିବାର ଫାଇଦା ପାଇପାରିବେ । ଆଉ ଏଥିପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଛଡା କାଳିଆ ଯୋଜନାରେ କୃଷକ ମାନେ ଜୀବନ ବୀମା ଓ ଦୁର୍ଘଟଣା ବୀମାର ଲାଭ ଉଠାଇପାରିବେ । କିନ୍ତୁ କୃଷି ଋଣ ଛାଡ ହୋଇଥିଲେ ଏହିସବୁ ସୁବିଧାରୁ ବଞ୍ଚିତ ହୋଇଥାନ୍ତେ ଚାଷୀ ଭାଇ । ତେଣୁ ଚାଷୀଙ୍କ ସବୁ ଦାବିକୁ ଦୃଷ୍ଟିରେ ରଖି ଏହି କାଳିଆ ଯୋଜନାର ଘୋଷଣା କରିଛନ୍ତି ନବୀନ ।