୧୯୭୫, ଜୁନ ୨୫ର କଳା କାହାଣୀ : ଆଜି ବି ଶୁଖିନି ୪୩ ବର୍ଷର କ୍ଷତ, ନେତା କହିଲେ ଇମରଜେନସୀ ଦୁଃଖର ଅଙ୍ଗେନିଭା କଥା

1

କନକ ବ୍ୟୁରୋ : ୧୯୭୫ ମସିହା ଜୁନ୍ ୨୫ ତାରିଖ । ଭାରତୀୟ ଗଣତନ୍ତ୍ର ପାଇଁ ଥିଲା କଳାଦିନ । ସେଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରେଡିଓରେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ରାତାରାତି ସମ୍ବିଧାନର ସମସ୍ତ ସ୍ୱାଧୀନତା ଉପରେ ଲାଗିଯାଇଥିଲା ଅଙ୍କୁଶ । ତେବେ କାହିଁକି ଦେଶରେ ଏମଜେନସି ଘୋଷଣା ହୋଇଥିଲା? ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ କେମିତି ଥିଲା ସେତେବେଳର ସ୍ଥିତି?

୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେଡିଓ ବାର୍ତ୍ତା, ଭାରତୀୟ ଗଣତନ୍ତ୍ର ଉପରେ ଥିଲା ଶକ୍ତ ପ୍ରହାର । ତାହା ଏପରି ପ୍ରହାର ଥିଲା, ୪୩ ବର୍ଷ ପରେ ବି ଅନୁଭୂତ ହୁଏ ଏହାର ଦରଜ । ଭାରତୀୟ ଗଣତନ୍ତ୍ର ଇତିହାସର ଏହା ଥିଲା କଳାଦିନ ।

ଇମରଜେନସୀ ଘୋଷଣା ପରେ ଶହ ଶହ ଦେଶଭକ୍ତଙ୍କ ବଳିଦାନ, ବର୍ଷ ବର୍ଷର ସଂଗ୍ରାମ ପରେ କଷ୍ଟଲବ୍ଧ ସ୍ୱାଧୀନତା ଉପରେ ଲାଗିଯାଇଥିଲା ଗ୍ରହଣ । ରାତାରାତି ସମ୍ବିଧରନ ପ୍ରଦତ୍ତ ସବୁ ପ୍ରକାର ସ୍ୱାଧୀନତା, ପ୍ରେସ ସ୍ୱାଧୀନତା ଉପରେ ଲାଗିଥିଲା ଅଂକୁଶ । ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ସବୁଆଡେ ନୀରବତା ଛାଇ ଯାଇଥିଲା । ଦେଶର ଶହ ଶହ ନେତା, ସାମାଜିକ କର୍ମୀ, ସାମ୍ବାଦିକ, ଟ୍ରେଡ୍ ଯୁନିୟନ ନେତାଙ୍କୁ ରାତି ଅଧରେ ଉଠାଇ ନେଇ ଜେଲର ଚାରି କାନ୍ଥ ଭିତରେ ବନ୍ଦ କରାଯାଇଥିଲା । ଖବରକାଗଜ ଅଫିସରେ ବିଦ୍ୟୁତ କାଟି ଦିଆଯାଇଥିଲା । ଖବରକାଗଜ ସଂସ୍ଥାକୁ ନିୟନ୍ତ୍ରଣ ନେଇଯାଇଥିଲେ ସରକାର ।

ଇନ୍ଦିରା ଗାନ୍ଧୀ ଇମରଜେନସୀ ଘୋଷଣା କରିଥିଲେ । ହେଲେ ଦେଶରେ ଅନ୍ଧାରୀ ଶାସନର ଭାର ଯାଇଥିଲା ସଂଜୟ ଗାନ୍ଧୀଙ୍କ ହାତରେ । ଏକଛତ୍ର ଶାସକ ଭଳି ଯାହା ମନକୁ ଆସୁଥିଲା, ତାହା କାର୍ଯ୍ୟକାରୀ କରୁଥିଲେ ସଂଜୟ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜୋର ଜବରଦସ୍ତ ପୁରୁଷ ବନ୍ଧ୍ୟାକରଣ କରାଇବା ଭଳି ଘଟଣା ଘଟିଥିଲା । ୨୧ ମାସ ଧରି ଦେଶରେ ଚାଲିଥିଲା ଅନ୍ଧାରୀ ଶାସନ ।

ଇମରଜେନସୀ ସପକ୍ଷରେ ଇନ୍ଦିରା ଗାନ୍ଧୀ ତିନିଟି କାରଣ ଦର୍ଶାଇଥିଲେ- ଦେଶର ଅଭ୍ୟନ୍ତରୀଣ ସୁରକ୍ଷା ବିପଦଗ୍ରସ୍ତ, ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ବାହ୍ୟ ଶକ୍ତିର ଉଦ୍ୟମ ଏବଂ ଦେଶର ବିକାଶରେ ଶିଥିଳତା ।

ମାତ୍ର ବାସ୍ତବ କଥା ଥିଲା ସଂପୂର୍ଣ୍ଣ ଅଲଗା । କ୍ଷମତା ହାତରୁ ଖସିଯିବା ଆଶଙ୍କା କରି ଜରୁରୀକାଳୀନ ସ୍ଥିତି ଆଡକୁ ଦେଶକୁ ଟାଣି ନେଇଥିଲେ । ତେବେ କାହିଁକି କ୍ଷମତା ହାତରୁ ଖସିଯିବ ବୋଲି ଭାବୁଥିଲେ ଇନ୍ଦିରା? ଆସନ୍ତୁ ଜାଣିବା ୪ଟି ପ୍ରମୁଖ କାରଣ ଉପରେ-

ଗୁଜରାଟର ନବନିର୍ମାଣ ଆନ୍ଦୋଳନ
୧୯୭୩ରେ ସ୍କୁଲ ଫି’କୁ ନେଇ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହା ସାରା ୧୯୭୫ ବେଳକୁ ସାରା ଗୁଜରାଟକୁ ବ୍ୟାପୀ ଯାଇଥିଲା । ଆନ୍ଦୋଳନ ଏତେ ବ୍ୟାପକ ହୋଇଥିଲା ଯେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରକୁ ହଟାଇ ରାଷ୍ଟ୍ରପତି ଶାସନ କରିବାକୁ ବାଧ୍ୟ ହୋଇଥିଲା ଇନ୍ଦିରା । ଇନ୍ଦିରାଙ୍କ ପ୍ରତିଷ୍ଠାରେ ଲାଗିଥିଲା ବଡ଼ ଧକ୍କା ।

ଜେପି ଆନ୍ଦୋଳନ
ଗୁଜରାଟ ପରେ ବିହାରରେ ଜନନେତା ଜୟପ୍ରକାଶ ନାରାୟଣଙ୍କ ‘ସଂପୂର୍ଣ୍ଣ କ୍ରାନ୍ତି’ ଡାକରା ସାରା ଦେଶକୁ ବିଜୁଳି ଭଳି ବ୍ୟାପୀ ଯାଇଥିଲା । ତାଙ୍କର ‘ଇନ୍ଦିରା ହଟାଓ’ ସ୍ଲୋଗାନରେ ମାତି ଉଠିଥିଲେ ଦେଶର ବିଭିନ୍ନ ବର୍ଗର ହଜାର ହଜାର ଲୋକ । ତାଙ୍କର ବିଶାଳ ସମାବେଶ ଇନ୍ଦିରାଙ୍କ ମନରେ ହୃତକମ୍ପ ସୃଷ୍ଟି କରିଥିଲା ।

ରେଳବାଇ କର୍ମଚାରୀଙ୍କ ଆନ୍ଦୋଳନ
ସେହି ସମୟରେ ଦେଶ ବ୍ୟାପୀ ରେଳବାଇ କର୍ମଚାରୀଙ୍କ ଆନ୍ଦୋଳନ ରେଳ ପରିବହନ ବ୍ୟବସ୍ଥାକୁ ଠପ୍ କରିଦେଇଥିଲା । ଯାହାର ନେତୃତ୍ୱ ନେଇଥିଲେ ଜର୍ଜ ଫର୍ଣ୍ଣାଣ୍ଡିସ୍ । ଶହ ଶହ କର୍ମଚାରୀଙ୍କୁ ଗିରଫ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ସେନା ମୁତୟନ କରିଥିଲେ ଇନ୍ଦିରା ଗାନ୍ଧୀ ।
ରାଜନାରାୟଣଙ୍କ ସପକ୍ଷରେ ରାୟ

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ରାଜନାରାୟଣଙ୍କ ସପକ୍ଷରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ । ରାୟବରେଲୀ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ । ଯାହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଇନ୍ଦିରା । ୧୯୭୫, ଜୁନ ୨୪ ତାରିଖରେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ ବି ଚୂଡାନ୍ତ ରାୟ ପୂର୍ବରୁ ଇନ୍ଦିରା ଗାନ୍ଧିଙ୍କର ପାର୍ଲାମେଂଟରେ ଭୋଟ ଦେବା ଅଧିକାର ଉପରେ ପ୍ରତିବନ୍ଧ ଲଗାଇଥିଲେ । ତା’ର ପରଦିନ ଦେଶରେ ଲାଗିଥିଲା ଇମରଜେନସୀ ।

Comments are closed.