ମାଟି ତଳେ ତେଲ ରଖିବାର ଆଇଡିଆ ଆସିଲା କେଉଁଠୁ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

95

ଗତ ୨୭ ତାରିଖ ଦିନ କେନ୍ଦ୍ର କ୍ୟାବିନେଟରେ ମୋଦି ସରକାର ଅତିରିକ୍ତ ଭୂତଳ ତୈଳ ଜଳ ଭଣ୍ଡାର (ଏସପିଆର) ପ୍ରକଳ୍ପକୁ ମୋହର ମାରିଥିଲେ । ଯାହାକି ଓଡିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଦୁର ଠାରେ ନିର୍ମାଣ କରାଯିବ । ୬.୫ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଅତିରିକ୍ତ ଭୂତଳ ତୈଳ ଭଣ୍ଡାର ଭିତର ସୁଡଙ୍ଗରେ ଅଶୋଧିତ ତୈଳ ସଂରକ୍ଷଣ କରି ରଖାଯିବ । ତେବେ ଏହି ଅତିରିକ୍ତ ଭୂତଳ ତୈଳ ଭଣ୍ଡାର ପ୍ରତିଷ୍ଠା ହେଲେ ଜରୁରୀକାଳୀନ ସ୍ଥିତିରେ ଭାରତକୁ ୧୨ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ମଧ୍ୟ ଆଇଏସପିଆରଏଲ ପକ୍ଷରୁ ଅଶୋଧିତ ତୈଳ ସଂରକ୍ଷଣ ପାଇଁ ଭାରତର ତିନୋଟି ସ୍ଥାନରେ ୫.୩୩ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଭୂତଳ ତୈଳ ଭଣ୍ଡାର ପ୍ରତିଷ୍ଠା କରାଯାଇଛି । ସେଗୁଡିକ ହେଲା- ବିଶାଖାପାଟଣା( ୧.୩୩ ଏମଏମଟି). ମାଙ୍ଗାଲୋର ( ୧.୫ ଏମଏମଟି) ଓ ପାଦୁର ଠାରେ ଥିବା (୨.୫ ଏମଏମଟି) କ୍ଷମତା ବିଶିଷ୍ଟ ଭୂତଳ ତୈଳ ଭଣ୍ଡାର ।

କାହିଁକି ସୁଡଙ୍ଗରେ ତେଲ ସଂରକ୍ଷଣ କରୁଛି ଭାରତ?

୨୦୧୬-୧୭ ଆର୍ଥିକ ବର୍ଷର ପେଟ୍ରୋଲିୟମ ବ୍ୟବହାର ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୫.୩୩ ଏମଏମଟି କ୍ଷମତା ବିଶିଷ୍ଟ ତୈଳ ଭଣ୍ଡାରର ଅଶୋଧିତ ତୈଳ ୧୦ ଦିନ ପର୍ଯ୍ୟନ୍ତ ଭାରତର ଇନ୍ଧନ ଆବଶ୍ୟକତାକୁ ପୂରଣ କରିପାରିବ । ତେବେ ଆଉ ଦୁଇଟି ଅତିରିକ୍ତ ଭୂତଳ ତୈଳ ଭଣ୍ଡାର ଦ୍ୱାରା ଅଧିକ ୧୨ ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଆବଶ୍ୟକତାକୁ ପୂରଣ କରି ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହାସହ ହେବାକୁଥିବା ଦୁଇଟି ଅତିରିକ୍ତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହେବାରେ ସହାୟକ ହେବ ।

କେଉଁଠୁ ଆସିଲା ଏଭଳି ଆଇଡିଆ:

୧୯୯୦ ମସିହାରେ ଉପସାଗରୀୟ ଯୁଦ୍ଧ ସମୟରେ ପଶ୍ଚିମ ଏସିଆକୁ ବିଶେଷ ପ୍ରଭାବିତ କରିଲା । ସେତେବେଳେ ଭାରତ ଦେବାଳିଆ ପରିସ୍ଥିତିରେ ସମ୍ମୁଖୀନ ହେଲା । ଏବଂ ଅଶୋଧିତ ତୈଳର ମୂଲ୍ୟ ବେଲଗାମ ଭାବେ ବଢ଼ିଯାଇଥିଲା । ସେତେବେଳ ବୈଦେଶିକ ମୁଦ୍ରାସ୍ଫୀତିକୁ ୩ ସପ୍ତାହ ମଧ୍ୟରେ ସମାଧାନ କରିବା ପାଇଁ ପ୍ରୟାସ କରିଥିଲା ଭାରତ । କିନ୍ତୁ ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର କ୍ଷମତାକୁ ଆସିବା ପରେ ଅଶୋଧିତ ତୈଳ ସଂରକ୍ଷଣ ପରିକଳ୍ପନା କରିଥିଲେ । ଯାହାର ଫଳରେ ଚଳିତ ବର୍ଷ ଭାରତକୁ ମାଙ୍ଗାଲୋର ଭୂତଳ ତୈଳ ଭଣ୍ଡାର ପାଇଁ ୟୁଏଇରୁ ପ୍ରଥମ ସିପଲୋଡ ମିଳିଲା । କେବଳ ଏତିକି ନୁହେଁ ଗତ ଫେବୃୟାରୀରେ ମାଙ୍ଗାଲୋର ଭୂତଳ ତୈଳ ଭଣ୍ଡାରରେ ଅଶୋଧିତ ତୈଳ ସଂରକ୍ଷଣ ପାଇଁ ଏଡିଏନଓସି ସହିତ ଚୁକ୍ତି ସ୍ୱାକ୍ଷର କରିଛି ଆଇଏସପିଆରଏଲ ।