‘ଡର୍ କୋ ଭଗାଓ ଭାଗେ’ ! ବିଜୁ ବାବୁଙ୍କ ଏହି ପଦେ କଥାରେ ଆଇଏଏସ ଚାକିରି ଛାଡି ରାଜନୀତିକୁ ଆସିଥିଲେ ଭାଗେ ଗୋବର୍ଦ୍ଧନ । 

314

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଆଇଏଏସ୍ ଭଳି ସୁରକ୍ଷିତ ଚାକିରି ଓ ସମ୍ମାନଜନକ ପଦପଦବୀ ଛାଡ଼ି ନିର୍ବାଚନ ରାଜନୀତିକୁ ଲମ୍ଫ ଦେବା ପାଇଁ ସାହସ କରିପାରୁ ନଥିଲେ ସେ । ମନରେ ଅନେକ ଆଶଙ୍କା, ଅନେକ ଭୟ । ନିଜର ପ୍ରିୟ ନେତା ବିଜୁବାବୁଙ୍କ ପଦେ କଥା କିନ୍ତୁ ତାଙ୍କର ସବୁ ଦ୍ବିଧାର ଅନ୍ତ ଘଟାଇଥିଲା । ବିଜୁବାବୁ ତାଙ୍କ ସ୍ବଭାବସୁଲଭ ଭଙ୍ଗୀରେ ତତ୍କାଳୀନ ଆଇଏଏସ୍ ଅଫିସର ଭାଗେ ଗୋବର୍ଦ୍ଧନଙ୍କୁ କହିଥିଲେ, ନିଜ ଭାଗ୍ୟ ନିଜ ହାତରେ ଗଢ଼ିବାକୁ । ‘ଡର୍ କୋ ଭଗାଓ ଭାଗେ’ । ବାସ୍, ଭାଗେ ଗୋବର୍ଦ୍ଧନ ତା’ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

୧୯୩୪ ଅକ୍ଟୋବର ୩୧ ତାରିଖରେ ଜନ୍ମ ନେଇଥିବା ଲକ୍ଷ୍ମଣ ଭାଗେଙ୍କ ପୁତ୍ର ଗୋବର୍ଦ୍ଧନ ଭାଗେ ୧୯୬୩ ମସିହାରେ ସର୍ବଭାରତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର୍)ରେ ଯୋଗଦେଇଥିଲେ । ଦୀର୍ଘ ୨୦ ବର୍ଷ କାଳ ଓଡ଼ିଶା ସରକାରଙ୍କର ବିଭିନ୍ନ ଉଚ୍ଚ ପଦବୀରେ ସଫଳତାର ସହ କାର‌୍ୟ୍ୟ କରିଥିବା ଗୋବର୍ଦ୍ଧନ ହଠାତ୍ ଦିନେ ନିଷ୍ପତ୍ତି ନେଲେ ଆଇଏଏସ୍ ଛାଡ଼ି ରାଜନୀତିରେ ଯୋଗଦେବା ପାଇଁ । ୧୯୮୪ ମସିହା ନଭେମ୍ବର ୧ ତାରିଖରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁବାବୁଙ୍କ ନେତୃତ୍ଵରେ ଜନତା ଦଳରେ ଯୋଗଦେଲେ ।

ଏହା ଥିଲା ଭାରତୀୟ ରାଜନୀତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତ । ସେ ଚାକିରି ଛାଡ଼ିବାର ପୂର୍ବଦିନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଆତତାୟୀର ଗୁଳିରେ ମୃତ୍ୟୁବରଣ କରିଥାନ୍ତି । ଏଣୁ ୧୯୮୪ ଡ଼ିସେମ୍ବର ଲୋକସଭା ନିର୍ବାଚନ ବେଳକୁ ସାରା ଦେଶରେ କଂଗ୍ରେସ ସପକ୍ଷରେ ସହାନୁଭୂତିର ହାୱା ବହୁଥାଏ । ଏହି ସମୟରେ ସେ ଜନତା ଦଳର ଟିକେଟରେ ମୟୂରଭଂଜ ଲୋକସଭା ଆସନରୁ ପ୍ରତିଦ୍ଵନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ସିଦ୍ଧଲାଲ ମୁର୍ମୁଙ୍କ ଠାରୁ ପ୍ରାୟ ୭୦ ହଜାର ଭୋଟରେ ପରାଜିତ ହେଲେ ।

ଏକ ପକ୍ଷରେ ଆଇଏଏସ୍ ଚାକିରିରୁ ଇସ୍ତଫା ଏବଂ ଅନ୍ୟ ପକ୍ଷରେ ଜୀବନର ପ୍ରଥମ ନିର୍ବାଚନୀ ପରାଜୟ ଗୋବର୍ଦ୍ଧନଙ୍କ ପାଇଁ ଏକ ମସ୍ତବଡ଼ ଧକ୍କା ଥିଲା । ମାତ୍ର ଜୀବନସାରା ବିଭିନ୍ନ ଦୁସ୍ଥିତି ବିରୁଦ୍ଧରେ ସଂଗ୍ରାମ କରି ଆଗକୁ ବଢ଼ିଥିବା ଗୋବର୍ଦ୍ଧନ ଧୈର୍ଯ୍ୟ ହରାଇ ନଥିଲେ । ଏହାର ମାତ୍ର ୩ ମାସ ପରେ ୧୯୮୫ ବିଧାନସଭା ନିର୍ବାଚନରେ ସେ ବହଳଦା ସଂରକ୍ଷିତ ଆସନରୁ ଜନତା ଦଳ ଟିକେଟରେ ଲଢ଼ିଲେ ଏବଂ କଂଗ୍ରେସର ଶ୍ରୀ ଲକ୍ଷ୍ମଣ ମାଝିଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହେଲେ । ଏହି ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳ ସଂଖ୍ୟାଧିକ ଆସନ ଜିଣି ସରକାର ଗଠନ କରିଥିଲା । ଏଣୁ ଗୋବର୍ଦ୍ଧନଙ୍କୁ ବିରୋଧୀ ଦଳରେ ବସିବାକୁ ପଡ଼ିଲା ।

ତେବେ ୧୯୮୯ ଲୋକସଭା ନିର୍ବାଚନରେ ସେ ମୟୂରଭଞ୍ଜରୁ ପୁଣି ଲଢ଼ିଲେ ଜନତା ଦଳର ଟିକେଟରେ । ଏଥର ସେ କଂଗ୍ରେସ ଦଳର ସରସ୍ୱତୀ ହେମ୍ବ୍ରମଙ୍କୁ ୨୨ ହଜାରରୁ ଅଧିକ ଭୋଟରେ ପରାଜିତ କରି ନିର୍ବାଚିତ ହେଲେ ଏବଂ ୧୯୯୦ ଏପ୍ରିଲରେ କେନ୍ଦ୍ରରେ ଭି.ପି. ସିଂହଙ୍କ ମନ୍ତ୍ରିମଣ୍ଡଳରେ ଯୋଜନା ଓ ସମନ୍ଵୟ ବିଭାଗ ଓ ପରେ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ମାନବସମ୍ବଳ ବିଭାଗର ରାଷ୍ଟ୍ରମନ୍ତ୍ରୀ ହେଲେ । ୧୯୯୧ ଏପ୍ରିଲରେ ସେ କଂଗ୍ରେସ ଦଳରେ ଯୋଗଦେଇ ସେହି ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପୁଣିଥରେ ମୟୂରଭଂଜ ଲୋକସଭା ଆସନ ଜିତିଲେ ଏବଂ ଏହି ସଦସ୍ୟକାଳ ଭିତରେ ୩୧ ଜୁଲାଇ ୧୯୯୩ ମସିହାରେ ମୃତ୍ୟୁବରଣ କଲେ ।

ମୃତ୍ୟୁ ପର୍ଯ୍ୟନ୍ତ ମୟୂରଭଂଜ ରାଜନୀତିରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ଆଦିବାସୀ ପରିବାରରେ ଜନ୍ମିତ ଏହି ପ୍ରାକ୍ତନ ଆଇଏଏସ୍ ଅଫିସର ଭାଗେ ଗୋବର୍ଦ୍ଧନ । ପ୍ରାଶାସନିକ ଅଫିସର ହିସାବରେ ୨୦ ବର୍ଷର କାର୍ଯ୍ୟକାଳ ଭିତରେ ସେ ଯେତିକି ସଫଳତା ହାସଲ କରିଥିଲେ ମାତ୍ର ୧୦ ବର୍ଷର ରାଜନୈତିକ ଜୀବନରେ ସେ ତା’ଠାରୁ ଅଧିକ ସଫଳତା ପାଇଲେ । ନିଜ ଭାଗ୍ୟ ନିଜ ହାତରେ ଗଢ଼ିଥିଲେ ସେ ।