‘ହୀରାମୟ’ ହାର୍ଦ୍ଦିକ: ହାତରୁ ମୁଣ୍ଡ ଯାଏଁ ହୀରାରେ ଚମକୁଛନ୍ତି ଭାରାତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ହୀରାରେ ପ୍ରସ୍ତୁତ ଏକ ବଲ୍ ଏବଂ ବ୍ୟାଟକୁ ଚେନରେ ପିନ୍ଧିଛନ୍ତି ହାର୍ଦ୍ଦିକ । ଚେନରେ ଲାଗିଥିବା ଏହି ହୀରା ବଲ ଓ ବ୍ୟାଟଟି ବେଶ୍ ଆକର୍ଷଣୀୟ ହୋଇଛି ।

560

କନକ ବ୍ୟୁରୋ: ବିଶ୍ୱକପ କ୍ରିକେଟରେ ନିଜେ ଚମକିବା ପରେ ଏବେ ହାର୍ଦ୍ଦିକଙ୍କ ଦେହରେ ଚମକୁଛି ହୀରା । କ୍ରିକେଟ ପଡିଆରେ ଜଣେ ଅଲରାଉଣ୍ଡର ଭାବେ ସଫଳ ପ୍ରଦର୍ଶନ କରିବା ପରେ ଅଫ ଫିଲ୍ଡରେ ମଧ୍ୟ ହାର୍ଦ୍ଦିକ ହୀରାରେ ଚମକୁଛନ୍ତି । ବିସିସିଆଇ ଦ୍ୱାରା ଜାରି ହୋଇଥିବା ଏକ ଭିଡିଓରେ ହୀରାର ରାଜ୍ ଖୋଲିଛନ୍ତି ହାର୍ଦ୍ଦିକ । ଏହି ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା ହୀରା ପ୍ରତି ଥିବା ତାଙ୍କ ଆକର୍ଷଣ ବିଷୟରେ କହିଛନ୍ତି । ହୀରାରେ ପ୍ରସ୍ତୁତ ଏକ ବଲ୍ ଏବଂ ବ୍ୟାଟକୁ ଚେନରେ ପିନ୍ଧିଛନ୍ତି ହାର୍ଦ୍ଦିକ । ଚେନରେ ଲାଗିଥିବା ଏହି ହୀରା ବଲ ଓ ବ୍ୟାଟଟି ବେଶ୍ ଆକର୍ଷଣୀୟ ହୋଇଛି । ନିଜର ସହଯୋଗୀ ଚହଲଙ୍କୁ ହାର୍ଦ୍ଦିକ କହିଛନ୍ତି କି, ବିଶ୍ୱକପ ପାଇଁ ହୀରାରେ ଏସବୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ।

କେବଳ ଲକେଟ୍ ନୁହେଁ ବରଂ ହାର୍ଦ୍ଦିକ ପିନ୍ଧିଥିବା ଚେନ୍, ଘଂଟା ଏବଂ ମୁଦି ମଧ୍ୟ ହୀରାରେ ପ୍ରସ୍ତୁତ ହୋଇଛି । ହାର୍ଦ୍ଦିକ କହିଛନ୍ତି ୨୦୧୯ ବିଶ୍ୱକପ ପାଇଁ ସେ ଏସବୁ ହିରା ସାମଗ୍ରୀ ସ୍ୱତନ୍ତ୍ର ଭାବେ ତିଆରି କରିଛନ୍ତି । ହାର୍ଦ୍ଦିକଙ୍କ ଡାଇମଣ୍ଡ ପ୍ରତି ଅହେତୁକ ଦୁର୍ବଳତା ରହିଛି । ଏବଂ ଏହା ଏହି ଦୃଶ୍ୟକୁ ଦେଖିବା ପରେ ହିଁ ସ୍ପଷ୍ଟ ବାରି ହୋଇପଡୁଛି । ଭାରତୀୟ ଟିମ୍ ତଥା ଆନ୍ତର୍ଜାତୀୟ କ୍ରିକେଟ୍ ଜଗତର ୟୁଥ୍ ଆଇକନ୍ ଭାବେ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି ହାର୍ଦ୍ଦିକ । ଯୁବ କ୍ରୀକେଟର ସହ ବିଭିନ୍ନ ବିଜ୍ଞାପନରେ ମଧ୍ୟ ହାର୍ଦ୍ଦିକ ନଜର ଆସୁଛନ୍ତି ।

ବିସିସିଆଇ ପକ୍ଷରୁ ଜାରି ହୋଇଥିବା ହାର୍ଦ୍ଦିକଙ୍କ ଏହି ଭିଡିଓକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଏହି ଭିଡିଓରେ ହାର୍ଦ୍ଦିକଙ୍କୁ ଇଂଟରଭ୍ୟୁ କରିଛନ୍ତି ୟୁଜବେନ୍ଦ୍ର ଚହଲ । ଆଉ ଚହଲଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ହାର୍ଦ୍ଦିକ । ୨୦୧୯ ବିଶ୍ୱକପରେ ଏ ଯାଏଁ ହାର୍ଦ୍ଦିକ ୮୯ ରନ ସ୍କୋର କରିବା ସହିତ ୨ଟି ୱିକେଟ ନେଇଛନ୍ତି ।