ବିଧାୟକଙ୍କ ଦରମା ବଢ଼ିଲା ହେଲେ କୃଷିଋଣ ଛାଡ କେବେ ! କେଉଁଠି ରହୁଛି ସମସ୍ୟା ! ସରକାରୀ ଉଦାସୀନତା ନା ଜନପ୍ରତିନିଧୀଙ୍କ ଆନ୍ତରିକତାରେ ଅଭାବ

56

କନକ ବ୍ୟୁରୋ : ବିଧାୟକଙ୍କ ଦରମା ବଢ଼ିଲା । ହେଲେ ଚାଷୀଙ୍କ ପାଇଁ ଋଣ ଛାଡ କଲାବେଳକୁ ରାଜ୍ୟ ରାଜକୋଷ ଉପରେ ବୋଝ ପଡୁଛି । ରାଜ୍ୟ ସରକାରଙ୍କ ଏଭଳି ଯୁକ୍ତିିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ରାଚ୍ୟର ଚାଷୀ ।

ହିସାବ କହୁଛି ରାଜ୍ୟ ଜନସଂଖ୍ୟାର ପ୍ରାୟ ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ହେଲେ ଚଷାପୁଅର ଦୁଃଖ ବୁଝିବାକୁ ସରକାରଙ୍କ ତର ନାହିଁ । ଗୋଟିଏ ପଟେ ଚାଷ ଓ ଚାଷୀର ଉନ୍ନତି ପାଇଁ କେନ୍ଦ୍ର ଉପରେ ରାଗ ସୁଝାଉଛନ୍ତି ରାଜ୍ୟ ସରକାର, ସେପଟେ କିନ୍ତୁ କେନ୍ଦ୍ର କହୁଛି ରାଜ୍ୟ ଛାଡ କରନ୍ତୁ କୃଷୠଣ ।

ଗତକାଲି ସବୁଦଳର ବିଧାୟକ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ । ମିଳିମିଶି ଏକା ସାଙ୍ଗେ କହିଲେ ବିଧାୟକଙ୍କ ଦରମା ଓ ଭତ୍ତାରେ ବୃଦ୍ଧି ହେଉ । ବାସ କିଛି ସମୟର ବ୍ୟବଧାନ ପରେ କ୍ୟାବିନେଟ ନିଷ୍ପତି ନେଲା ଦରମା ବଢ଼ିବ । ଖାଲି ବଢ଼ିଲାନି, ବିଧାୟକଙ୍କ ଦରମା ବଢ଼ି ଲକ୍ଷେ ଟଙ୍କା ହେଲା । ହେଲେ ଏହି ବର୍ଦ୍ଧିିତ ଦରମା ଯେ ରାଜ୍ୟ ରାଜକୋଷ ଉପରେ ଭାରୀ ପଡିବ, ଏକଥାକୁ ଭୁଲିଗଲେ ।

ବିଧାୟକଙ୍କ ଯୁକ୍ତି, ଦରମା ନ ବଢ଼ିଲେ ଜନତାଙ୍କ ସେବା କରି ହେଉନି । ଆଉ ମନ୍ତ୍ରୀ ତ ତହୁଁ ବଳି । କହୁ କହୁ କହିଲେଣି ସମସ୍ତଙ୍କର ଦରମା ବଢ଼ୁଛି ତେଣୁ ଆମର ବଢ଼ିଲା । ହେଲେ କୃଷିଋଣ ଛାଡ କଥା ପଚାରିବା ବେଳକୁ ସମସ୍ତଙ୍କର ମୁହଁଚୁପ । ମାପିଚୁପି ବୟାନ ଦେଉଛନ୍ତି ଉଭୟ ଶାସକ ଓ ବିରୋଧୀ ।

ଓଡିଶାର ଚାଷ ଉପରେ ସବୁବେଳେ ଦାଉ ସାଧେ ପ୍ରକୃତି । କେତେବେଳେ ମରୁଡି ତ ପୁଣି କେତେବେଳେ ବନ୍ୟା। ଏମିତି ପ୍ରାକୃତିକ ବିପର୍ଯ୍ୟୟ ଭାଙ୍ଗିଦିଏ ରାଜ୍ୟର ଚଷାପୁଅର ଅଣ୍ଟା । ଖରା, ବର୍ଷା, ଶୀତ, କାକରକୁ ଖାତିର ନକରି, ମାଟି ସହ ମାଟି ହୋଇ ଖଟି ଖଟି ଖାଦ୍ୟଶସ୍ୟ ଉତ୍ପାଦନ କରେ ଚାଷୀ । ଚାଷୀ, କ୍ଷୁଦ୍ର ଚାଷୀ, ଭାଗଚାଷୀ, ନାମମାତ୍ର ଚାଷୀ ଭଳି ବିଭିନ୍ନ ନାମକରଣ ଦ୍ୱାରା କେବଳ ଚାଷୀର ପ୍ରକାର ଭେଦରେ ପରିବର୍ତ୍ତନ ଆସିଛି ସିନା ହେଲେ ତାଙ୍କର ଜୀବନଶୈଳୀରେ ସେଭଳି କିଛି ପରିବର୍ତ୍ତନ ଆସିନି ।

ଏକ୍ସପର୍ଟ କମିଟି ତଥ୍ୟ ଅନୁସାରେ ରାଜ୍ୟର ଗ୍ରାମାଞ୍ଚଳରେ ୨୦୦୪-୦୫ରେ ୪୬.୮୦ ପ୍ରତିଶତ ଲୋକ ବିପିଏଲ ତାଲିକାରେ ଥିବା ବେଳେ ତେନ୍ଦୁଲୁକର କମିଟି ରିପୋର୍ଟ ଆଧାରରେ ୨୦୧୧-୧୨ ରେ ଏହି ସଂଖ୍ୟା ୩୫.୬୯ ପ୍ରତିଶତ ରହିଛି । ତେଣୁ ବିଭିନ୍ନ ସମୟରେ ଋଣ ନେଇ ସୁଝି ପାରୁନଥିବାରୁ କୃଷିଋଣ ଛାଡ ପାଇଁ ଦାବୀ ହୋଇଆସୁଛି ।

ବିଗତ ଦିନମାନଙ୍କରେ ଓଡିିଶାରେ ଚାଷୀ ଆତ୍ମହତ୍ୟା ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି । ଉପାନ୍ତରୁ ଉପକୂଳ ବିଭିନ୍ନ ଜିଲ୍ଳାରେ ଏହା ଏକ ବ୍ୟାଧି ଭଳି ବ୍ୟାପୁଛି । ସମବାୟ ସମିତି , ଜାତୀୟ କରଣ ବ୍ୟାଙ୍କର ଋଣ ଓ କରଜ କରି ଚାଷ କରେ ଚାଷୀ । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ କାରଣରୁ ଫସଲ ଅମଳ ଠିକରେ ହୋଇ ପାରେ ନାହିଁ ।

ଏମିତିକି ବଜାର ସମସ୍ୟା ବି ଅନ୍ୟତମ ବଡ ସମସ୍ୟା । ଶୀତଳଭଣ୍ଡାର ନଥିବାରୁ ଅମଳ ଫସଲ ରଖିବା ସମ୍ଭବ ହୁଏନାହିଁ । ତେଣୁ କମ୍ ଦରରେ ଫସଲ ବିକ୍ରି କରିବାକୁ ବାଧ୍ୟ ହୁଏ ଚାଷୀ । ଏଥିପାଇଁ ଅନେକ ଥର ଫସଲ ନଷ୍ଟର ଉଦାହରଣ ଦେଖିବାକୁ ମିଳିଛି । କେତେବେଳେ ଟମାଟୋ ରାସ୍ତା ଢ଼ାଳିବାର ଚିତ୍ର ସାମ୍ନାକୁ ଆସିଛି ତ କେତେବେଳେ ମାଗଣାରେ ବାଇଗଣ ବାଣ୍ଟିବାର ଚିତ୍ର ବି ଦେଖିଛି ସାରା ରାଜ୍ୟ । ତଥାପି ନିଦ ଭାଙ୍ଗିନି ସରକାରଙ୍କର ।

ଚାଷୀ ଆତ୍ମହତ୍ୟାର ବାରମ୍ବାର ରିପୋର୍ଟ ଆସିବା ପରେ କୃଷିଋଣ ଛାଡ ନେଇ ଏକ ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ସେମିତି କିଛି ହେଲାନି । ପରେ ଅନେକ ଆନ୍ଦୋଳନ ବି ହେଲା ତଥାପି ଫଳ ଶୂନ । ବିକ୍ଷୋଭ, ଆନ୍ଦୋଳନ, ଧାରଣା, ଦାବୀ ସବୁ ଯେମିତି ଚାପି ହୋଇଗଲା ସଚିବାଳୟର ଫାଇଲ ଭିତରେ । ଆଉ କିଛି ସ୍ୱର ଶବ୍ଦ ଶୁଭିଲାନି । ପୁଣିଥରେ ଗତ କିଛିଦିନ ତଳେ ଯେତେବେଳେ ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ ଶୁଭିଲା ସେତେବେଳେ ମଧ୍ୟ ଆଶା କରାଯାଉଥିଲା କୃଷିଋଣ ଛାଡ କରାଯିବ ବୋଲି ।

ଏପରିକି ଅର୍ଥନୀତିଜ୍ଞମାନେ ମତ ରଖିଲେ, ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ସପ୍ତମ ବେତନ କମିଶନ ଲାଗୁ ଏବଂ କୃଷିଋଣ ଛାଡ ଏବେ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ । ତେଣୁ ତିନିଟିରୁ ଦୁଇଟି ସମ୍ଭାବନା ସତ ହେବା ପରେ ବି କୃଷକଙ୍କ ପାଇଁ ସରକାର ଚିନ୍ତା କରିବେ ବୋଲି ଆଶା ରହିଥିଲା ।

ଅନ୍ୟଏକ ଦୃଷ୍ଟିରେ ଦେଖିବାକୁ ଗଲେ, ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାର କୃଷିଋଣ ଛାଡ କରିଥିବାର ଉଦାହରଣ ଗତ କିଛିଦିନ ମଧ୍ୟରେ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ ଗୁରୁତ୍ୱ ଦେଉଛନ୍ତି । ତେବେ କୁହାଯାଉଛି, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ କୃଷିଋଣ ଛାଡ ହୋଇପାରୁନି ।

ଗତକାଲି ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସବୁ ଦଳର ବିଧାୟକମାନେ ଏକାଠି ହୋଇ ଗୁହାରୀ କରିବା ପରେ ଏବେ ରାଜ୍ୟର କୃଷକମାନଙ୍କ ପାଇଁ ଏହା ଉପହାସ ବୋଲି ମତ ପ୍ରକାଶ ପାଉଛି । କୃଷି ରାଜ୍ୟର ଅର୍ଥନୈତିକ ମେରୁଦଣ୍ଡ ହୋଇଥିବା ସ୍ଥଳେ ସେହି କ୍ଷେତ୍ରକୁ କାହିଁକି ଅବହେଳା କରାଯାଉଛି ବୋଲି ପ୍ରଶ୍ନ ଉଠିଛି ।

ଖାଲି ସେତିକି ନୁହେଁ, ଦାମୀ ଗାଡି ଚଢ଼ୁଥିବା, ବଡ ବଡ ବଙ୍ଗଳାରେ ଜୀବନଯାନ କରୁଥିବା ବିଧାୟକଙ୍କ ଦରମା ବୃଦ୍ଧି କରି କୃଷିଋଣ ଛାଡ ଦିଗରେ କୌଣସି ପଦକ୍ଷେପ ନ ନେବା ରାଜ୍ୟର ଚାଷୀଙ୍କୁ ପ୍ରତାରଣା କରାଯାଇଥିବା ମତ ପ୍ରକାଶ ପାଇଛି । ତେବେ ସରକାର କେବେ କୃଷିଋଣ ଛାଡ ପାଇଁ ଘୋଷଣା କରୁଛନ୍ତି ତାହାକୁ ଚାହିଁ ରହିଛି ଚଷାକୂଳ ।