ଚନ୍ଦ୍ରଗ୍ରହଣରେ ଚନ୍ଦ୍ରର ରଙ୍ଗ ରକ୍ତବର୍ଣ୍ଣ କାହିଁକି ଦେଖାଯାଏ, ଜାଣନ୍ତୁ ଏହାର କାରଣ ?

47

ଆଜି ରାତି ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗହଣ । ଭାରତ ସମେତ ଦୁନିଆର ଅନେକ ଦେଶରେ ନଜର ଆସିବ ଚନ୍ଦ୍ରଗହଣ। ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଆସିଗଲେ ତାକୁ ଚନ୍ଦ୍ରଗ୍ରହଣ କୁହାଯାଏ । ପ୍ରାୟ ୧୦୩ ମିନିଟ ପର୍ଯ୍ୟନ୍ତ ରହିବ ଆଜିର ଏହି ଚନ୍ଦ୍ର ଗ୍ରହଣ । ଧୀରେ ଧୀରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିବ । ପାଖପାଖି ରାତି ୧ଟାରେ ପୃଥିବୀ ଛାୟାରେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଢ଼ାଙ୍କି ହୋଇଯିବ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ଲାଲ କାହିଁକି ଦେଖାଯାଏ ? ଚନ୍ଦ୍ର ଗ୍ରହଣ ସମୟରେ ଯେତେବେଳ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ଆସେ, ସୂର୍ଯ୍ୟର କିରଣ ଦେଖାଯାଏ ନାହିଁ । ସୂର୍ଯ୍ୟଙ୍କ କିରଣ ପୃଥିବୀରେ ଥିବା ବାୟୁମଣ୍ଡଳରେ ଗତି କଲାବେଳେ ନୀଳ ତଥା ସବୁଜ ରଙ୍ଗ ବିଚ୍ଛୁରିତ ହୋଇଥାଏ । ପୃଥିବୀର ବାତାବରଣ ଯୋଗୁଁ ସୂର୍ଯ୍ୟ କିରଣ ମୋଡ଼ି ହୋଇ ଚନ୍ଦ୍ର ଉପରେ ପଡ଼େ । ଆଉ ଏଥିପାଇଁ ଚନ୍ଦ୍ର ଲାଲ ଦେଖାଯାଏ ।

ଆଜି ରାତି ୧୦ଟା ୪୪ରୁ ଏହା ଆରମ୍ଭ ହେବ। ରାତି ୧୧ଟା ୫୪ମିନିଟ ପରେ ଆର୍ଥାତ ଆସନ୍ତା ୨୮ତାରିଖ ରାତି ୩ଟା ୪୯ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବାକୁ ମିଳିବ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧ଟାରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ୍ ପର୍ୟ୍ୟନ୍ତ, ପ୍ରାୟ ଏକ ଘଣ୍ଟା ୪୩ ମିନିଟ୍ ଧରି ଦେଖାଯିବ । ଏହି ସମୟରେ ଚନ୍ଦ୍ର ରକ୍ତବର୍ଣ୍ଣ ଧାରଣ କରିବ । ଚଳିତ ବର୍ଷ ଜାନୁଆରି ମାସରେ ୪୫ ମିନିଟ୍ ପାଇଁ ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯାଇଥିଲା । ଏହି ଚନ୍ଦ୍ର ଗ୍ରହଣ ରାଜ୍ୟର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ ।

ଅପରାହ୍ନ ୨ଟା୫୪ ମିନିଟରୁ ପାକତ୍ୟାଗ ଓ ଦେବ ନୀତି ନିଷିଦ୍ଧ ରହିବ। ରାତି ୧୧ଟା ୫୩ ମିନିଟ୍ ୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ ଏବଂ ରାତି ୧ ଘଣ୍ଟା ୧୫ ସେକେଣ୍ଡରେ ପୂର୍ଣ୍ଣଗ୍ରାସ ଆରମ୍ଭ ହୋଇ ୨ଟା୪୩ ମିନିଟ୍ ୧୧ ସେକେଣ୍ଡରେ ପୂର୍ଣ୍ଣଗ୍ରାସ ଶେଷ ହେବ । ପୂର୍ଣ୍ଣଗ୍ରାସ ସରିବା ପରେ ରାତି ୩ଟା ୪୯ ମିନିଟ୍ ୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ଅନୁଷ୍ଠିତ ହେବ ବୋଲି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟୋର୍ତିବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ କହିଛନ୍ତି । ତେବେ ଅନ୍ୟ ଦେବାଳୟରେ ସର୍ବମୋକ୍ଷ ପରେ ଦେବ ନୀତି କରାଯିବାର ବିଧି ଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଏହାର ସ୍ୱତନ୍ତ୍ରତା ରହିଛି । ଗ୍ରହଣ ସ୍ପର୍ଶ ପରେ ଓ ଗ୍ରହଣ ଲାଗିଥିବା ସମୟରେ କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ ।

ଚନ୍ଦ୍ର ଗ୍ରହଣ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଅନ୍ୟ ଦେବାଳୟରେ ଚନ୍ଦ୍ର ଗ୍ରହଣ ସମୟରେ ନୀତି ବନ୍ଦ ରହୁଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଗ୍ରହଣ ସ୍ପର୍ଶ ପରେ ନୀତି ଆରମ୍ଭ ହେବ । ଆଜି ଭୋର ୫ଟା ବେଳେ ଦ୍ଵାରଫିଟା, ୫ଟା୩୦ରେ ଭିତର ଶୋଧ, ୫ଟା୪୦ରେ ମଙ୍ଗଳ ଆଳତି, ତଡପଲାଗି ୬ଟା୩୦, ଅବକାଶ ୭ଟା୩୦, ମଇଲମ ୭ଟା୩୦, ରୋଷହୋମ ୭ଟା୫୦, ବେଶ ଶେଷ ୮ଟା, ସୂର୍ଯ୍ୟପୂଜା ୮ଟା୧୫, ଦ୍ଵାରପାଳ ପୂଜା ୮ଟା୩୦, ଗୋପାଲବଲ୍ଲଭ ୯ଟା, ସକାଳଧୂପ (କେବଳ କୋଠ ଭୋଗ), ୯ଟା୩୦ରୁ ୧୦ଟା ୩୦, ମଇଲମ ଓ ବେଶ, ୧୦ଟା୪୫ରୁ ୧୧ଟା୧୫, ଭୋଗ ମଣ୍ଡପ ୯ଟା୪୦ରୁ ୧୧ଟା ୩୦, ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ୧୨ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ । ସେହିଭଳି ଦ୍ଵିତୀୟ ଭୋଗମଣ୍ଡପ ୧୨ଟା୧୦ରୁ ୨ଟା ମଧ୍ୟରେ ସରିବ । ଦକ୍ଷିଣି ଘର ଭୋଗ ୨ଟା୩୦, ମଇଲମ ଓ ତଡପଲାଗି ୨ଟା ୫୪ରେ ସରିବା ପରେ ଦେବନୀତି ବନ୍ଦ ରହିବ । ରାତି ୧୧ଟା ୫୩ ମିନିଟ୍ ୪୮ ସେକେଣ୍ଡ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ପରେ ମଇଲମ, ବେଶ ବଢି ସନ୍ଧ୍ୟା ଆଳତି ନୀତି ଅନୁଷ୍ଠିତ ହେବ । ଏହି ନୀତି ପରେ ଅନ୍ୟାନ୍ୟ ନୀତିମାନ ହେବ । ଅନ୍ୟ ଦେବାଳୟରେ କିନ୍ତୁ ୩ଟା ୪୯ ମିନିଟ୍ ୩ ସେକେଣ୍ଡ ପରେ ନୀତିପୂଜା ହୋଇପାରିବ।

ସେପଟେ ଚନ୍ଦ୍ରଗ୍ରହଣରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ନୀତିପୂଜା ପାଇଁ ସ୍ୱତନ୍ତ୍ର ନୀତି ନିଘଂଟ କରାଯାଇଛି । ଆଜି ଭୋର ୫ଟାରେ ମନ୍ଦିର ପହୁଡ ଖୋଲା ଯିବା ପରେ ମଙ୍ଗଳ ଆଳତୀ କରାଯାଇ ସକାଳ ଧୂପ କରାଯାଇଥିଲା ପରେ ସକାଳ ୭ଟାରେ ପ୍ରସିଦ୍ଧ ଖେଚୁଡି ଭୋଗ ଓ ୯ଟାରେ ପୋଳିକା ଭୋଗ ଲାଗି କରାଯାଇଥିଲା । ସକାଳ ସାଢେ ୧୦ଟାରେ ବାବାଙ୍କୁ ଯୋଗୀ ବେଶରେ ସୁସଜ୍ଜିତ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି । ମଧ୍ୟାହ୍ନ ସାଢେ ଗୋଟାଏରେ ବାବାଙ୍କୁ ଦହି ପଖାଳ ଭୋଗ ଲାଗି ହେବା ପରେ ୨ଟା ୨୦ ପହୁଡ ପଡିବ ।