ହିନ୍ଦୁ ପରମ୍ପରାରେ ଦେବା ଦେବୀଙ୍କ ପରିକ୍ରମା କରିବାର ବିଧି ରହିଛି । କେବଳ ଦେବା ଦେବୀ ନୁହେଁ ପିପଲ୍, ଓସ୍ତ ଏବଂ ତୁଳସୀ ଗଛ ସହ ନର୍ମଦା, ଗଙ୍ଗା ଆଦି ପୁନ୍ୟ ନଦୀର ମଧ୍ୟ ପରିକ୍ରମା କରାଯାଇଥାଏ । କାରଣ ସନାତନ ଧର୍ମରେ ପ୍ରକୃତି ମଧ୍ୟ ଭଗବାନଙ୍କ ରୂପ । ଏବେ ଜାଣନ୍ତୁ ଏହି ପରିକ୍ରମା ପଛର ରହସ୍ୟ ଏବଂ ଏହାର ମହତ୍ୱ ।

ପରିକ୍ରମାକୁ ସଂସ୍କୃତରେ ପ୍ରଦକ୍ଷିଣା କୁହାଯାଏ । ଏହାକୁ ଭଗବାନଙ୍କୁ ଉପାସନା କରିବାର ଏକ ମାଧ୍ୟମ ବୋଲି କୁହାଯାଇଥାଏ । ତେବେ ଋକବେଦରେ ଏହି ପ୍ରଦକ୍ଷିଣା ବା ପରିକ୍ରମା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ଋକବେଦ ଅନୁସାରେ ପ୍ରଦକ୍ଷିଣା ଶବ୍ଦକୁ ପ୍ରା ଏବଂ ଦକ୍ଷିଣା ଦୁଇ ଭାଗରେ ବିଭକ୍ତ କରାଯାଇଛି । ‘ପ୍ରା’ର ଅର୍ଥ ହେଉଛି ଆଗକୁ ବଢିବା ଏବଂ ‘ଦକ୍ଷିଣା’ର ଅର୍ଥ ହେଉଛି ଚାରି ଦିଗ ମଧ୍ୟରୁ ଦକ୍ଷିଣ ଦିଗକୁ । ଅର୍ଥାତ୍ ପରିକ୍ରମାର ଅର୍ଥ ହେଉଛି ଦକ୍ଷିଣ ଦିଗ ଆଡକୁ ବଢି ଦେବା ଦେବୀଙ୍କ ଉପାସନା କରିବା ।

ତେବେ ପ୍ରଶ୍ନ ଉଠୁଛି ପ୍ରଦକ୍ଷିଣାକୁ ଦକ୍ଷିଣ ଦିଗ ଆଡକୁ କରିବାର ନିୟମ କାହିଁକି ତିଆରି କରାଗଲା । ମାନ୍ୟତା ଅନୁସାରେ ପରିକ୍ରମା ସର୍ବଦା ଘଂଟାର କଂଟା ଚାଲିବା ଦିଗରେ କରାଯିବା ଉଚିତ୍ । ତେବେ ଏଥିରେ ମଧ୍ୟ ରହିଛି ମହତ୍ୱ । ହିନ୍ଦୁ ପରମ୍ପରା ଅନୁଯାୟୀ, ଇଶ୍ୱର ସର୍ବଦା ମଧ୍ୟ ଭାଗରେ ଉପସ୍ଥିତ ଥାଆନ୍ତି । ଏହି ସ୍ଥାନ ଇଶ୍ୱରଙ୍କୁ କେନ୍ଦ୍ରିତ ରହିବାର ଅନୁଭବ ପ୍ରଦାନ କରିଥାଏ । ଯଦି ଆମେ ଏହି ମଧ୍ୟଭାଗକୁ ଗୋଲ କରି ପରିକ୍ରମା କରିଥାଉ ତେବେ ଭକ୍ତ ଏବଂ ଏବଂ ଭଗବାନଙ୍କ ମଧ୍ୟରେ ଅନ୍ତର ଗୋଟିଏ ହିଁ ରହିଥାଏ । ଦୂରତା ନା ବଢିଥାଏ ନା କମିଥାଏ ।

ପରିକ୍ରମା କରବାର ଲାଭ :
କୌଣସି ଧାର୍ମିକ ସ୍ଥଳର ପରିକ୍ରମା ଉଭୟ ଅଧ୍ୟାତ୍ମିକ ଏବଂ ଶାରୀରିକ ଲାଭ ଦେଇଥାଏ । ବୈଜ୍ଞାନିକ ମାନଙ୍କ ମତରେ ଯେବେ ବି ବ୍ୟକ୍ତି କୌଣସି ଧାର୍ମିକ ସ୍ଥଳର ପରିକ୍ରମା କରିଥାଏ ତେବେ ସେଠାରେ ଥିବା ସକାରାତ୍ମକ ଉର୍ଜ୍ଜା ପ୍ରାପ୍ତ ହୋଇଥାଏ । ଆଉ ଏହି ଉର୍ଜ୍ଜା ଆମକୁ ଜୀବନରେ ଆଗକୁ ବଢିବାକୁ ଶକ୍ତି ପ୍ରଦାନ କରିଥାଏ ।