ଧର୍ମେନ୍ଦ୍ରଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା ! ନବୀନଙ୍କୁ ଚେକ୍ ଦେବାକୁ ପ୍ରୟାସ

48

କନକ ବ୍ୟୁରୋ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା । ତିନିବର୍ଷ କାଳ ରାଷ୍ଟ୍ରମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରି ମୋଦିଙ୍କ ଗୁଡବୁକରେ ଥିବା ଧର୍ମେନ୍ଦ୍ରଙ୍କ ଉପରେ ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ । ୪ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଦି ଯେ ଧର୍ମେନ୍ଦ୍ରଙ୍କ ଉପରେ ଅଧିକ ବିଶ୍ୱାସ ଓ ଭରସା ରଖିଛନ୍ତି ତାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ଆଜିର ଶପଥଗ୍ରହଣ ଉତ୍ସବରେ । କାରଣ ଶପଥଗ୍ରହଣ ଉତ୍ସବରେ ପ୍ରଥମେ ଶପଥ ନେବାକୁ ଆସିଥିଲେ ଧର୍ମେନ୍ଦ୍ର । ରାଷ୍ଟ୍ରଭାଷା ହିନ୍ଦୀରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ସେ ।

ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ଚେହେରା । ଆଗାମୀ ନିର୍ବାଚନ ପାଇଁ ସେ ଓଡିଶାରେ ବିଜେପିର ମଙ୍ଗ ଧରିବା ଏକ ପ୍ରକାର ଥୟ । ତେବେ ତାଙ୍କ ଉପରେ ମୋଦିଙ୍କ ଭରସା ପୁଣି ଥରେ ପ୍ରତିଫଳିତ ହୋଇଛି । ରାଷ୍ଟ୍ରମନ୍ତ୍ରୀ ପାହ୍ୟାରୁ କ୍ୟାବିନେଟ ପ୍ରମୋସନ ମିଳିଛି ଧର୍ମେନ୍ଦ୍ରଙ୍କୁ । ଆସନ୍ତାବର୍ଷ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରୁଛି ତଥାପି ମୋଦି ଦେଇଛନ୍ତି ପଦୋନ୍ନତି ।

ପେଟ୍ରୋଲିୟମ ମନ୍ତ୍ରୀ ଭାବେ ମୋଦି ସରକାରଙ୍କୁ ବେଶ ଲୋକପ୍ରିୟ କରାଇପାରିଛନ୍ତି ଏହି ଓଡିଆ ନେତା । ଖାସ କରି ଉଜ୍ଜ୍ୱଳା ଯୋଜନାରେ ଗରୀବ ମହିଳାଙ୍କ ଘରେ ଗ୍ୟାସ ପହଂଚାଇବା ଥିଲା ମୋଦି ସରକାରଙ୍କର ଏକ ବଡ ଉପଲବ୍ଧି, ଯାହାକୁ ସଫଳତାର ସହ ରୁପାୟନ କରିଥିଲେ ଧର୍ମେନ୍ଦ୍ର । ତେଣୁ ଉଭୟ ମୋଦି ଓ ଅମିତ ଶାହାଙ୍କ ବେଶ ବିଶ୍ୱସ୍ତ ଧର୍ମେନ୍ଦ୍ର । ସେହିଭଳି ପେଟ୍ରୋଲିୟମ କ୍ଷେତ୍ରରେ ପାରଦର୍ଶିତା ଆଣି ମଧ୍ୟ ଜାତୀୟ ସ୍ତରରେ ବେଶ କାଟତି ହାସଲ କରିଛନ୍ତି ସେ ।

କେବଳ ନିଜ ବିଭାଗ ନୁହେଁ ସାଙ୍ଗଠନିକ କ୍ଷେତ୍ରରେ ବେଶ ପାରଙ୍ଗମ ଧର୍ମେନ୍ଦ୍ର । ତାଙ୍କରି ନେତୃତ୍ୱରେ ଦଳ ପଞ୍ଚାୟତ ନିର୍ବାଚନରେ ଦଳ ପଞ୍ଚାୟତ ନିର୍ବାଚନରେ ଆଶା ଠୁ ଅଧିକ ସଫଳତା ପାଇଛି । ସାରା ରାଜ୍ୟରେ ଦଳର ପ୍ରଭାବ ବିସ୍ତାର କରିବାର ଦାୟିତ୍ୱ ତାଙ୍କରି କାନ୍ଧରେ । ତେଣୁ ତାଙ୍କୁ କ୍ୟାବିନେଟ ପାହ୍ୟା ଦେଇ ନବୀନଙ୍କୁ ଚେକମେଟ ଦେବାକୁ ପ୍ରୟାସ କରାଯାଇଛି । ରାଷ୍ଟ୍ରମନ୍ତ୍ରୀ ଅପେକ୍ଷା କ୍ୟାବିନେଟ ମନ୍ତ୍ରୀ ଭାବେ ଦଳୀୟ କର୍ମୀଙ୍କ ଉପରେ ତାଙ୍କର ଅଧିକ ପ୍ରଭାବ ରହିବ । ତେଣୁ ବିଜେଡିକୁ ମୁକାବିଲା କରିବା ଏକ ପ୍ରକାର ସହଜ ହେବ ଭାଜପା ପାଇଁ ।

ତେବେ ବଡ କଥା ହେଉଛି, ମିଶନ ୩୫୦କୁ ନେଇ କାମ କରୁଛନ୍ତି ଅମିତ ଶାହା । ତେଣୁ ଧର୍ମେନ୍ଦ୍ରଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିରୁ ଫ୍ରଣ୍ଟଲୁକ ଦେବା ପାଇଁ କ୍ୟାବିନେଟ ପାହ୍ୟାର ଆବଶ୍ୟକତା ଥିଲା । ଯାହାଦ୍ୱାରା ଦଳ ଓ ସଙ୍ଗଠନ ଶକ୍ତିଶାଳୀ ହେବ । ତେଣୁ ରାଜ୍ୟର ମିଶନ ୧୨୦ କୁ ସଫଳ କରିବା ପାଇଁ ଏହା ମୋଦି ଓ ଶାହାଙ୍କ ଷ୍ଟ୍ରାଟେଜୀ ବୋଲି କୁହାଯାଉଛି ।

ସେପଟେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ପରେ ରାଜ୍ୟ ବିଜେପିରେ ଖୁସିର ଲହରୀ ଖେଳିଛି । ପରସ୍ପରକୁ ମିଠା ଖୁଆଇ ବଧେଇ ଜଣାଇଛନ୍ତି ଦଳୀୟ କର୍ମୀ । ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଉତ୍ସବର ମାହୋଲ ଦେଖାଦେଇଛି । ବାଜା ବାଣ ରୋଷଣୀରେ କମ୍ପିଥିଲା ଦଳୀୟ କାର୍ଯ୍ୟାଳୟ ପରିସର । ଧର୍ମେନ୍ଦ୍ରଙ୍କୁ ପଦୋନ୍ନତି ଦେଇଥିବାରୁ ପ୍ରଧାନମନ୍ତ୍ରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ମୋଦି ଯେଉଁ ଭଳି ଚାହୁଁଛନ୍ତିି ସେହିଭଳି କାର୍ଯ୍ୟ କରିବେ । ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ସେ । ରାଜ୍ୟ ସଭାପତି ବସନ୍ତ ପଣ୍ଡା, ମହିଳା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ସମସ୍ତ ଦଳୀୟ ନେତା ଓ କର୍ମୀ ଧର୍ମେନ୍ଦ୍ରଙ୍କୁ ବଧେଇ ଜଣାଇଛନ୍ତି ।

ତେବେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ସହ ଓଡିଶାକୁ ଦୁଇଟି କ୍ୟାବିନେଟ ମନ୍ତ୍ରୀ ମିଳିଲେ । ପୂର୍ବରୁ ଜୁଏଲ ଓରାମ ଆଦିବାସୀ କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଏବେ ଧର୍ମେନ୍ଦ୍ରଙ୍କୁ ପଦୋନ୍ନତି ମଳିଛି । ପୂର୍ବରୁ ଜୁଏଲଙ୍କୁ ହଟାଯାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ମୋଦି । ୨୦୧୯ ନିର୍ବାଚନରେ ବିଜେପି କ୍ଷମତା ପାଇବାକୁ ଗେମପ୍ଲାନରେ ପରିବର୍ତ୍ତନ କରାଯାଇଛି ।

ଯଦିଓ ନିଜ ବିଭାଗରେ ଜୁଏଲ ଆଖିଦୃଶିଆ କାମ କରିଛନ୍ତି ତଥାପି ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ଅର୍ଥାତ୍ ଆଦିବାସୀ ଜନଜାତିଙ୍କ ପାଇଁ ପ୍ରୋ ଆକ୍ଟିଭ ରୋଲକୁ ଆସିପାରିନାହାନ୍ତି ଜୁଏଲ । ତଥାପି ବାଜପାୟୀଙ୍କ ଅମଳରେ ପ୍ରଥମ ଥର ପାଇଁ ଗଠିତ ହୋଇଥିବା ଏହି ମନ୍ତ୍ରାଳୟରେ ଜୁଏଲଙ୍କ ଦବଦବା ରହିଛି । ଓଡିଶାରୁ ଏକମାତ୍ର ସାଂସଦ ଭାବେ ଜିତିଥିବାରୁ ତାଙ୍କ ବାବଦରେ ମୋଦି ସକରାତ୍ମକ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ ଜଣେ ମାତ୍ର ସାଂସଦ ଥାଇ କ୍ୟାବିନେଟ ପଦ ମିଳିଥିବା ବେଳେ ଏବେ ଆଉ ଏକ କ୍ୟାବିନେଟ ପାହ୍ୟା ଓଡିଶା ବିଜେପିକୁ ଅଧିକ ଶକ୍ତିଶାଳୀ ଓ ଉତ୍ସାହିତ କରିବ ବୋଲି ଅନୁମାନ କରାଯାଉଛି ।