ଦିଲ୍ଲୀରେ ବୈଜୟନ୍ତ, ପଲ୍ଲୀରେ ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ! ବୈଜୟନ୍ତଙ୍କ ବାହାମାସ ଟିକସ ଠକେଇ ମାମଲାରେ ଧର୍ମେନ୍ଦ୍ର ଚୁପ୍ କାହିଁକି?

302

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ଆଣି ଆଜି ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତୃହରି ମହତାବ । ଦିଲ୍ଲୀରେ ବୈଜୟନ୍ତଙ୍କୁ ଦଳ ଟାର୍ଗେଟ କରିଥିବା ବେଳେ ପଲ୍ଲୀରେ ଧର୍ମେନ୍ଦ୍ର ଓ ବିଜେପିକୁ ଘେରିଛି ବିଜେଡି । ବୈଜୟନ୍ତଙ୍କ ବାହାମାସ ଟିକସ ଠକେଇ ମାମଲାରେ ବିଜେପିର ନେତୃବୃନ୍ଦ କାହିଁକି ସ୍ପଷ୍ଟ ମତ ରଖୁନାହାନ୍ତି ସେନେଇ ପ୍ରଶ୍ନ ଉଠାଇଛି ବିଜେଡି । ଖାସକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ କ୍ଷେତ୍ରରେ ସିବିଆଇ ତଦନ୍ତ, ଆୟକର ବିଭାଗ ତଦନ୍ତ କିମ୍ବା ଇଡି ତଦନ୍ତ ଦାବି କରୁଥିଲା ବେଳେ ବୈଜୟନ୍ତଙ୍କ କ୍ଷେତ୍ରରେ ସେ କାହିଁକି ନୀରବ ବୋଲି ବିଜେଡି ପ୍ରଶ୍ନ କରିଛି ।

ଆଉ ଏହି ପ୍ରସଙ୍ଗ ଉଠାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି ବିଜେଡି । ପ୍ରଥମ ଶିକାର ହୋଇଛନ୍ତି ବୈଜୟନ୍ତ ଓ ଦ୍ୱିତୀୟରେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ତେରଛା ବାଣ ମାରିଛି ବିଜେଡି । ପ୍ରଥମତଃ ଲୋକସଭାରେ ବୈଜୟନ୍ତଙ୍କୁ ଟାର୍ଗେଟ କରି ଭର୍ତ୍ତୃହରି ମାରିଥିଲେ ୩ଟି ପ୍ରଶ୍ନବାଣ । ଯାହା ରାଜ୍ୟ ରାଜନୀତିକୁ ଉଷ୍ମ କରିଥିଲା । ଆଉ ଏହାପରେ ବୈଜୟନ୍ତଙ୍କ ଟିକସ ଠକେଇ ମାମଲାରେ ଚୁପ ରହିବା ନେଇ ଧର୍ମେନ୍ଦଙ୍କୁ ମଧ୍ୟ ଦଳ ଛାଡିନଥିଲା । କେବଳ ବୈଜୟନ୍ତଙ୍କ ଟିକସ ଠକେଇ ନୁହେଁ ବରଂ ବ୍ୟାପମ ସ୍କାମର ମୁଖ୍ୟ ଖଳନାୟକ ସୁଧୀର ଶର୍ମାଠାରୁ ବିମାନ ଟିକଟ ନେବା ଏବଂ ଏ କ୍ଷେତ୍ରରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ମଧ୍ୟ ତାଙ୍କ ପାଟି ଚୁପ ରହିଥିଲା । କୁଖ୍ୟାତ ଅପରାଧି ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ଏବଂ ଏ କ୍ଷେତ୍ରରେ ସିବିଆଇ ତଦନ୍ତ ଦାବି ସମୟରେ ମଧ୍ୟ ମନ୍ତ୍ରୀ ଶ୍ରୀ ପ୍ରଧାନ ନୀରବତା ଅବଲମ୍ବନ କରିଥିଲେ । ଏଭଳି ନୀରବତାର ରହସ୍ୟ କ’ଣ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି ।

ଏଥିସହ କେନ୍ଦ୍ରର ଭାଜପା ସରକାରଙ୍କୁ ମଧ୍ୟ ସେ କଡା ସମାଲୋଚନା କରିବା ସହ କହିଛନ୍ତି ଯେ, ବୈଜୟନ୍ତଙ୍କ ଟିକସ ଠକେଇ ପ୍ରସଙ୍ଗରେ ତଦନ୍ତ କରିବାର ପୂର୍ଣ୍ଣ କ୍ଷମତା କେନ୍ଦ୍ର ସରକାରଙ୍କର ରହିଛି । କିନ୍ତୁ ଏ କ୍ଷେତ୍ରରେ କେନ୍ଦ୍ର ସରକାର କାହିଁକି ନିରବ ବୋଲି ପ୍ରଶ୍ନ କରିଛି ବିଜେଡି ।