ମହାବଳ ମୃତ୍ୟୁ! ଶିକାରୀ ମାନିବା ପରେ ମଧ୍ୟ କାହିଁକି ମାନୁନାହାନ୍ତି ଡିଏଫଓ ?

ଅଭୟାରଣ୍ୟରେ ବିଦ୍ୟୁତ ତାର ଲଗାଇ ଫାଶ ବସାଉଥିଲେ ଶିକାରୀ କିନ୍ତୁ କେମିତି ଜାଣି ପାରୁନଥିଲା ବନବିଭାଗ ?

153

କନକ ବ୍ୟୁରୋ : ଶିକାରୀ ମାନିଲେ, ଡିଏଫଓ ମାନୁନାହାନ୍ତି । ଡେବ୍ରିଗଡ ମହାବଳ ବାଘ ମୃତ୍ୟୁ ଘଟଣାକୁ ସ୍ୱୀକାର କରୁନାହାନ୍ତି ବରଗଡ ଡିଏଫଓ ଅଭୟ ଦଳେଇ । ପ୍ରଥମେ ବିନା ତଦନ୍ତରେ ରିପୋର୍ଟ ଦେଲେ ପରେ ଜଙ୍ଗଲ ମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲେ ଯେ, ଡେବ୍ରିଗଡ ଜଙ୍ଗଲରେ ମହାବଳ ମରିନାହିଁ ବରଂ କଲରାପତରିଆ ବାଘ ମରିଛି । ଯାହାକୁ ନେଇ ସାରା ରାଜ୍ୟରେ ତୁମ୍ବି ତୋଫାନ ହେଲା ।

ଶେଷରେ ଗତକାଲି ଜଙ୍ଗଲ ବିଭାଗ ସଚିବ ସୁରେଶ ମହାପାତ୍ର ଏହି ଘଟଣାକୁ ନେଇ ସ୍ପଷ୍ଟ ଭାବେ କହିଛନ୍ତି, ଡେବ୍ରିଗଡ ଜଙ୍ଗଲରୁ ମିଳିଥିବା ବାଘର ମୃତଦେହ ହେଉଛି ମହାବଳର । ଏପରିକି ଶିକାରୀଙ୍କ ଠାରୁ ପଞ୍ଝା ଓ ନିଶ ମିଳିବା ପରେ ଏହା ମହାବଳ ବାଘର ବୋଲି ଆରସିସିଏଫ୍ ମଧ୍ୟ ସ୍ୱୀକାର କରି ସାରିଛନ୍ତି । କିନ୍ତୁ ଡେବ୍ରିଗଡ ଜଙ୍ଗଲରେ ମହାବଳ ମରିଛି ବୋଲି ବରଗଡ ଡିଏଫଓ ଅଭୟ ଦଳେଇ ମାନିବାକୁ ନାରାଜ । ପୂର୍ବଭଳି ଡିଏଫଓ ଦମ୍ଭ ଦେଖାଇ କହୁଛନ୍ତି ଡେରାଡୁନ ଓ ବେଙ୍ଗାଲୁରରୁ ରିପୋର୍ଟ ଆସିବା ପରେ ଏହି ଗଳିତ ଶବ କାହାର ଜଣାପଡିବ ।

ତେବେ ଯେଉଁଠି ବିଭାଗର ଉପରିସ୍ଥ୍ ଅଧିକାରୀଙ୍କ ଠାରୁ ଆରମ୍ଭ ତଳ ସ୍ତରର କର୍ମୀ ସମସ୍ତେ ଏହା ମହାବଳ ବାଘର ମୃତଦେହ ବୋଲି ସ୍ୱୀକାର କରୁଛନ୍ତି ସେଭଳି ସ୍ଥଳେ ଡିଏଫଓଙ୍କ ମନ୍ତବ୍ୟ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଏପରିକି ଘଟଣା ପଛରେ ଏକ ବଡ ରହସ୍ୟ ଲୁଚି ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । କାରଣ ଯେଉଁ ସ୍ଥାନରେ ବାଘର ମୃତଦେହ ମିଳିଥିଲା ସେଠାରୁ ପ୍ରାୟ କିଛି ଦୂରରେ ବନବିଭାଗର ପୋଷ୍ଟ ରହିଥିଲା । ଅଥାର୍ତ ବନବିଭାଗର ରାଡାରରେ ରହିଥିଲା ମହାବଳ । କିନ୍ତୁ ଏହାପରେ ମଧ୍ୟ ବାଘ ମୃତ୍ୟୁ ହେବା ଓ ବନବିଭାଗର କୌଣସି ଅଧିକାରୀଙ୍କ ପାଖରେ ଖବର ନ ରହିବା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହାଛଡା ବାଘକୁ ଗତିବିଧି ଉପରେ ନଜର ରଖିବାକୁ ଅଭୟାରଣ୍ୟରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ଗାୟବ ଅଛି । ଯାହାକୁ ମାଓବାଦୀ ମାନେ କାଢି ନେଇ ଥାଇପାରନ୍ତି ବୋଲି କହୁଛି ବନବିଭାଗ । କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ମାଓବାଦୀ ମାନେ ଏହି କ୍ୟାମେରା ଖୋଲି ନେଇଥିଲେ ତେବେ ବନବିଭାଗ ଜାଣି ପାରିଲା ନାହିଁ କେମିତି । ଯାହା ବନବିଭାଗର କାର୍ଯ୍ୟକଳାପକୁ ପ୍ରଶ୍ନ ଘେରରେ ଛିଡା କରିଛି । ଏହାଛଡା ମହାବଳର ମୃତ୍ୟୁ ପୂର୍ବରୁ ସେହି ଜଙ୍ଗଲରେ ହାତୀକୁ ହତ୍ୟା କରି ମଧ୍ୟ ଦାନ୍ତ କାଢି ନିଆଯାଇଛି । ଶିକାରୀ ମାନଙ୍କ ଠାରୁ ବଜ୍ରକାପ୍ତାର ଚମଡା ମଧ୍ୟ ଜବତ କରାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ହୋଇଛି । ଏତେସବୁ ଘଟଣା ପରେ ମଧ୍ୟ କିଭଳି ଅଭୟାରଣ୍ୟରେ ସୁରକ୍ଷା ପ୍ରତି ବନବିଭାଗ ଦୃଷ୍ଟି ଦେଇନଥିଲା ଯାହାଫଳରେ ମହାବଳ ବାଘର ମୃତ୍ୟୁ ହୋଇଥିଲା ତାହା ମଧ୍ୟ ଏକ ବଡ ରହସ୍ୟ ।

କେବଳ ଏତିକି ନୁହେଁ ମହାବଳ ମୃତ୍ୟୁ ପରେ ପରେ ଏହି ଘଟଣାକୁ ଚାପି ଦେବାକୁ ମଧ୍ୟ ଜୋରଦାର ପ୍ରୟାସ କରାଯାଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ମହାବଳ ବାଘର ମୃତ୍ୟୁକୁ ନେଇ ମିଛ କୁହାଗଲା । ଏପରିକି ଘଟଣାର ଯାଞ୍ଚ ପାଇଁ ମଧ୍ୟ ବନବିଭାଗ ସେଭଳି କୌଣସି ତତ୍ପରତା ଦେଖାଇଲା ନାହିଁ । କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ରାତି ଅଧିଆ ସବୁକିଛି ବଦଳିଗଲା । ମହାବଳ ବାଘର ମୃତ୍ୟୁ ପରେ ନିଦାବିଷ୍ଣୁ ସାଜିଥିବା ଜଙ୍ଗଲବିଭାଗ ଓ ସ୍ଥାନୀୟ ଡିଏଫଓ ରାତି ଅଧିଆ ୪ ଜଣ ଶିକାରୀଙ୍କୁ ଗିରଫ କରିବା ସହ ନିଶ ଓ ପଞ୍ଝା ମଧ୍ୟ ଜବତ କରିଥିଲା । ଏପରିକି ଶିକାରୀ ମାନେ ମଧ୍ୟ ନିଜେ ଶିକାର କରିଥିବା ସ୍ୱୀକାର କରିଛନ୍ତି । ତେବେ ଏହି ମାମଲାରେ ଶିକାରୀଙ୍କୁ ଢାଲ କରି ବଡ ବଡିଆ ମାନେ ଖସିଯିବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଗିରଫ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ଗତମାସ ୧୩ ତାରିଖ ସେମାନେ ବାରହା ଶିକାର କରିବା ପାଇଁ କ୍ଷେତ ପାଖରେ ବିଦ୍ୟୁତ ତାର ଲଗାଇ ଫାଶ ପକାଇଥିଲେ। ସକାଳୁ ଦେଖିବା ବେଳକୁ ଫାଶରେ ମହାବଳ ଫସି ଥିଲା। ସେମାନେ ବାଘର ପଞ୍ଝା ଏବଂ ନିଶ କାଢ଼ି ନେବା ପରେ ଶବକୁ ଖଜୁରିଆ ଗାଁ ପାଖ ଜଂଗଲ ଭିତରେ ପୋତି ଦେଇଥିଲେ। ପଞ୍ଝାକୁ ନିକଟସ୍ଥ ଜଂଗଲରେ ଲୁଚାଇ ଦେଇଥିଲେ। ବନବିଭାଗର ପୋଷ୍ଟ ଠାରୁ ଅଳ୍ପ ଦୂରରେ ଶିକାରୀ ମାନେ ବିଦ୍ୟୁତ ତାର ଲଗାଇ ଫାଶ ପକାଉଥିଲେ ଆଉ ବନବିଭାଗର କର୍ମଚାରୀ ଏ ବାବଦରେ ଜାଣିନଥିଲେ କେମିତି । ତାହା ପୂରା ଘଟଣାକୁ ନୂଆ ମୋଡ ଦେଇପାରେ । ତେବେ ମାମଲାର ଖୋଳତାଡ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଦୁଇ ଜଣିଆ ଟିମ୍ ସରଜମିନ ତଦନ୍ତ କରିବ। ଏମାନଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ଆସିବେ ବୋଲି ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି। ଆଉ ତଦନ୍ତ ପରେ ହିଁ ଜଣାପଡିବ ମହାବଳ ବାଘ ମୃତ୍ୟୁ ପଛରେ କିଏ ପ୍ରକୃତ ମାଷ୍ଟରମାଇଣ୍ଡ ।