ସାନଭାଇ ରାଗିଲେ, ବଡଭାଇ ତାତିଲେ! ଦାମ କହିଲେ, ମୋ ବିରୋଧରେ ବାମଙ୍କୁ ଟିକେଟ ମିଳିବାର ସମ୍ଭାବନା ନାହିଁ

67

କନକ ବ୍ୟୁରୋ : ସାନଭାଇ ବାମଦେବ ରାଉତରାୟଙ୍କ ବିସ୍ଫୋରକ ବୟାନକୁ ୨୪ ଘଣ୍ଟା ନ ପୁରୁଣୁ ତାତି ଉଠିଛନ୍ତି ବଡଭାଇ ଦାମ ରାଉତ । ଦାମ କହିଛନ୍ତି, ମୁଁ ତାକୁ ପାଠ ପଢାଇଲି, ବାହାକଲି, ମଣିଷ କଲି, ଚାକିରି କରାଇଲି ସେ କେମିତି ଏମିତି କହିବେ । ଏହାଛଡା ମୋ ପରିବାର ଭିତରେ କଳି ଲଗାଇବାକୁ ଉଦ୍ୟମ କରୁଥିବା ଲୋକ କେବେ ସଫଳ ହେବେ ନାହିଁ ବୋଲି ରାଗିକି କହିଛନ୍ତି ଦାମ । ଏସବୁ ଭିତରେ ଦାମ କହିଛନ୍ତି, ସାନଭାଇ ବାମ ଅନ୍ୟ ଦଳରୁ ନିର୍ବାଚନ ଲଢିଲେ ସେଥିରେ ମନା ନାହିଁ କିନ୍ତୁ ମୋ ବିରୋଧରେ ତାଙ୍କୁ ଟିକେଟ ମିଳିବ ସେ ସମ୍ଭାବନା ମଧ୍ୟ ନାହିଁ ।

ତେବେ ଏହାର ଜବାବରେ ବାମ କହିଛନ୍ତି, ଦାମବାବୁଙ୍କ ପାଇଁ ଭାଇ ଓ ଝିଆରି ସମୟରେ ପାରିବାରିକ ରାଜନୀତି ପ୍ରସଙ୍ଗ ହୋଇଥିବା ବେଳେ ପୁଅ ଓ ଝିଅ ପାଇଁ ତାହା ନୁହେଁ । ଏହା ତାଙ୍କର ଭଣ୍ଡାମି ନୁହେଁ କି ବୋଲି ବାମ ବାବୁ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ମଧ୍ୟ ଦୁଇ ଭାଇ ମୁହାମୁହିଁ ହୋଇଛନ୍ତି । ତେବେ ବାମଦେବ ରାଉତରାୟ ଏହାପୂର୍ବରୁୂ ବଡଭାଇ ଦାମଙ୍କୁ ନେଇ କଣ କହିଥିଲେ ତାହା ଉପରେ ନଜର ପକାନ୍ତୁ ।

ଗୋଟିଏ ପଟେ ପାରାଦ୍ୱୀପରୁ ବିଜେଡିରୁ କିଏ ଲଢିବ ସେନେଇ ଏବେ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦାମଙ୍କ ଝିଆରୀଙ୍କ ନାଁ ସାମ୍ନାକୁ ଆସିଛି । କିନ୍ତୁ ଏହାକୁ ସହଜରେ ହଜମ କରିପାରିନାହାନ୍ତି ଦାମ । ତାଙ୍କ ପୁଅ ବଦଳରେ ଝିଆରୀକୁ କାହିଁକି ଟିକେଟ ଦିଆଯିବ ସେନେଇ ଗତକାଲି ବିଜେଡିକୁ ଟାର୍ଗେଟ କରିଥିଲେ ଦାମ । କିନ୍ତୁ ଏଭଳି ସମୟରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଦାମଙ୍କ ସାନଭାଇ ବାମ । ଏପରିକି ନବୀନ ଚାହିଁଲେ ସେ ବିଜେଡିରୁ ୨୦୧୯ରେ ପାରାଦୀପ ଆସନରେ ନିର୍ବାଚନ ଲଢିବେ ବୋଲି ସିଧାସଳଖ କହିଛନ୍ତି । ଆଉ ଏହିସବୁ ଭିତରେ ଦାମଙ୍କ ଅସଲି ଚରିତ୍ରକୁୁ ମଧ୍ୟ ସାମ୍ନାକୁ ଆଣିଛନ୍ତି ବାମ ।

ବାମଦେବ ରାଉତରାୟ । ବିଜେଡିରୁ ବିତାଡିତ ନେତା ଦାମୋଦର ରାଉତଙ୍କ ସାନଭାଇ । ଏହାଛଡା ବିଜେପି ନେତା ଭାବେ ମଧ୍ୟ ରାଜ୍ୟ ରାଜନୀତିର ଜଣେ ଜଣାଶୁଣା ଚେହେରା । ଛାତ୍ର ଜୀବନରୁ ରାଜନୀତି ସହ ସଂଶ୍ଲିଷ୍ଟ ଥିବା ବାମଦେବ ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଏପରିକି ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ କାମ କରିଛନ୍ତି । ଏପରିକି ନବନୀଙ୍କ ସହ ତାଙ୍କର ଘନିଷ୍ଠ ସର୍ମ୍ପକ ମଧ୍ୟ ରହିଥିଲା । ଯେଉଁଥିପାଇଁ ନବୀନ ନିଜେ ତାଙ୍କୁ ୨୦୦୪ରେ ଜଗତସିଂହପୁର ଲୋକସଭା ଆସନରେ ବିଜେଡି ପକ୍ଷରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ । ଏପରିକି ତାଙ୍କ ଟିକେଟ ମଧ୍ୟ ଫାଇନାଲ ହୋଇଯାଇଥିଲା । କିନ୍ତୁ ଟିକେଟ ଘୋଷଣା ପୂର୍ବରୁ ତାଙ୍କ ବିରୋଧରେ ହୋଇଥିଲା ସାଂଘାତିକ ଷଡ଼ଯନ୍ତ୍ର । ଏପରିକି ତାଙ୍କ ଟିକେଟ କାଟିବାକୁ ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ କିଛି ନେତା । ବାମଙ୍କ କହିବା ଅନୁଯାୟୀ, ତାଙ୍କୁ ଟିକେଟ ଦେବା ପ୍ରସଙ୍ଗରେ ଯେତେବେଳେ ବଡ଼ଭାଇ ଦାମଙ୍କୁ ନବୀନ ପଚାରିଲେ ସେତେବେଳେ ସେ କହିଥିଲେ ମୋର ଚାକିରି ଅଛି । ଆଉ ଏହିଭଳି କହି ୨୦୦୪ରେ ପ୍ରଥମ ଥର ପାଇଁ ଟିକେଟ କାଟି ଦିଆଯାଇଥିଲା ।

ଟିକେଟ କଟିବା ପରେ ୨୦୦୯ରେ ଦାମ ଜିତି ଆସୁଥିବା ଏରସମା ନିର୍ବାଚନମଣ୍ଡଳୀ ଦୁଇଭାଗ ହୋଇଥିଲା । ବାଲିକୁଦା ସହ ଏରସମାର କିଛି ଅଂଶ ମିଶାଇ ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା । ଏରସମା ନିର୍ବାଚନମଣ୍ଡଳୀ ଭଙ୍ଗ ହେବା ପରେ ମୋତେ ସେଠାରେ ବିଜେଡିରୁ ପ୍ରାର୍ଥୀ କରିବାକୁ ସ୍ଥିର କରାଯାଇଥିଲା ।ଏପରିକି ସର୍ଭେରୁ ଯେଉଁ ରିପୋର୍ଟ ଆସିଥିଲା ସେଥିରେ ମୋର ଜିତିବା ସମ୍ଭାବନା ୯୫ ପ୍ରତିଶତ ରହିଥିଲା । କିନ୍ତୁ ସେଥିରେ ମଧ୍ୟ ବଡଭାଇ ଦାମ କେଁ ପୂରାଇଥିଲେ ବୋଲି କହିଛନ୍ତି ବାମ । ତାଙ୍କ କହିବା ଅନୁଯାୟୀ, ଜଗତସିଂହପୁର ପାଇଁ ବିଷ୍ଣୁ ଦାସ, ପାରାଦୀପ ପାଇଁ ଦାମୋଦର ରାଉତ ଓ ବାରବାଟୀ ଆସନ ପାଇଁ ଦେବାଶିଷ ସାମନ୍ତରାୟଙ୍କ ଟିକେଟ ଫାଇନାଲ ହେବା ପରେ ଏରସମାରେ କାହାକୁ ଟିକେଟ ଦିଆଯିବ ସେନେଇ ଆଲୋଚନା ହୋଇଥିଲା । ସେହି ସମୟରେ ଜିଲ୍ଲା ସଭାପତି ଥିବା ବିଷ୍ଣୁ ଦାସ ରଘୁନନ୍ଦନ ଦାସଙ୍କ ନାଁ ନେଇଥିବା ବେଳେ ଦାମ ବାବୁ କହିଥିଲେ ଏରସମା ଆସନରେ ପ୍ରାର୍ଥୀ ପାଇଁ ସେ ତାଙ୍କ ଲୋକଙ୍କୁ ଠିକ୍ କରି ସାରିଛି । ସମସ୍ତେ ଭାବିଥିଲେ ଦାମ ବାବୁ ସାନଭାଇ ବାମଙ୍କ ନାଁ ନେବେ । କିନ୍ତୁ ଏରସମାରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଶାନ୍ତ ମୁଦୁଲିଙ୍କ ନାଁ କହିଥିଲେ ଦାମ । ଏପରିକି ତାଙ୍କୁ ବିଜୟୀ କରାଇବେ ବୋଲି ଦାମ କହିଥିଲେ । କିନ୍ତୁ ନବୀନ ଯେତେବେଳେ ମୋ ଟିକେଟ କଥା ପଚାରିଲେ ସେତେବେଳେ ଦାମ ପରିବାରବାଦର ଉଦାହରଣ ରଖିଥିଲେ । ଏପରିକି ବିଜୁ ପଟ୍ଟନାୟକଙ୍କ ସମୟରେ ଆପଣ ଆସିଥିଲେ କି ବୋଲି ପ୍ରଶ୍ନ କରିଥିଲେ । ତେଣୁ ଗୋଟିଏ ପରିବାରରୁ ଦୁଇ ଜଣ କିପରି ଟିକେଟ ପାଇବେ ତାହା କହି ମୋର ଟିକେଟ କାଟି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲେ । ସେତେବେଳେ ମଧ୍ୟ ମୁଁ ଚୁପ୍ ରହିଥିଲି ।

dama rout vs bama routଆଉ ଏସବୁ ଭିତରେ ୨୦୧୨ରେ ବିଜେପିରେ ଯୋଗଦେବାକୁ ତାଙ୍କୁ ଅଫର ଆସିଥିଲା । ଏନେଇ ବଡଭାଇ ଦାମଙ୍କୁ କହିବାରୁ ସେ କହିଥିଲେ ପୂର୍ବ ଥର ଏରସମାରେ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଥିଲି । କିନ୍ତୁ ୨୦୧୪ ନିର୍ବାଚନରେ ତୁ ପ୍ରାର୍ଥୀ ହେବୁ ବୋଲି ବଡ଼ଭାଇ ଦାମ କହିଥିଲେ । ଏରସମାରେ ପଞ୍ଚାୟତ ନିର୍ବାଚନ କଥା ତୁ ବୁଝ । ପ୍ରଶାନ୍ତ ମୁଦୁଲି ଦେଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହରା ବୋଲି ଦାମ ତାଙ୍କୁ କହିଥିଲେ । ତେବେ ଏଥିରେ ରାଜି ହୋଇନଥିଲି ଓ ବିଜେଡି ପ୍ରାର୍ଥୀଙ୍କୁ କିପରି ହରାଇବି ବୋଲି ପ୍ରଶ୍ନ କରିଥିଲି । କିନ୍ତୁ ପରେ ମୋ ହାତରେ ୫୦ ହଜାର ଟଙ୍କା ଦେଇ ତାଙ୍କର ଦୁଇ ସହଯୋଗୀଙ୍କ ସହ ମୋତେ ଏରସମା ପଠାଇଥିଲେ । ସେମାନେ ଯେଉଁ କର୍ମୀ ସମ୍ମିଳନୀକୁ ମୋତେ ନେଇଗଲେ ସେଠାରେ ମୁଁ ଭାଷଣ ଦେବାରୁ ମୋତେ ସନ୍ଧ୍ୟାରେ ବହିଷ୍କାର କରାଗଲା ବୋଲି ଜାଣିଲି । ପରେ ଜାଣିଲି ଯେଉଁ ପ୍ରାର୍ଥୀଙ୍କ କର୍ମୀ ସମ୍ମିଳନୀରେ ମୁଁ ଭାଷଣ ଦେଇଥିଲି ତାଙ୍କୁ ପ୍ରଶାନ୍ତ ମୁଦୁଲି ହରାଇବାକୁ ଚେଷ୍ଟା କରୁଥିଲେ ବୋଲି ଜାଣିଲି । ତେଣୁ ପ୍ରଶାନ୍ତଙ୍କ କଥାରେ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଖବର ପାଇଲି । ଦୁଇ ଦିନ ପରେ ବଡଭାଇଙ୍କ ଘରକୁ ଯାଇଥିବା ବେଳେ କିଛି କର୍ମୀ ମାନେ ମୋତେ ଦଳରୁ କାହିଁକି ବହିଷ୍କାର କରାଗଲା ବୋଲି ଦାମଙ୍କୁ ପ୍ରଶ୍ନ ପଚାରିଥିଲେ । ସେତେବେଳେ ସେ କହିଥିଲେ, ମୁଁ ତ ଦଳରେ ଉପସଭାପତି ଅଛି । ସେ କେତେବେଳେ ଦଳକୁ ଆସିଲା । ଏହାଛଡା ସେ ଦଳରେ କଣ କେଞ୍ଚି ପକାଉଥିଲା କି ବୋଲି ଦାମ କହିଥିଲେ । ତେବେ ପରେ ଖବର ପାଇଲି ଯେ, ପୁଅର ରାଜନୈତିକ କ୍ୟାରିୟର ଗଢିବା ପାଇଁ ମୋ ବିରୋଧରେ ଚକ୍ରାନ୍ତ କରାଯାଇଥିଲା ।

ବହିଷ୍କାର ବାବଦରେ ଯେତେବେଳେ ନବୀନଙ୍କୁ ପଚାରିଲି ସେତେବେଳେ ସେ କହିଥିଲେ, ଆପଣଙ୍କୁ କିଏ ଦଳରୁ ବହିଷ୍କାର କରିଛି । ଆଉ ଏହାପରେ ବିଜେଡି ଓ ନବୀନଙ୍କ ସହ ମୁଁ ଯୋଗାଯୋଗରେ ଥିଲି । ଯେତେବେଳେ ୨୦୧୪ ନିର୍ବାଚନ ଆସିଲା । ସେତେବେଳେ ମଧ୍ୟ ମୋତେ ଟିକେଟ ଦେବାକୁ ଫାଇନାଲ କରାଯାଇଥିଲା । ଏପରିକି ସର୍ଭେରେ ମୋର ଜିତିବା ସମ୍ଭାବନା ମଧ୍ୟ ଅଧିକ ଥିଲା । କିନ୍ତୁ ଟିକେଟ ଘୋଷଣା ଦିନ ଦାମ ବାବୁଙ୍କର ଜଣେ ଖାସ୍ ଅନୁଗତ ଆସି ମୋତେ କହିଲେ, ଦାମ ବାବୁ କଥା ହୋଇଛନ୍ତି ତେଣୁ ଆପଣ ଯାଇ ସଙ୍ଗେ ସଙ୍ଗେ ନବୀନ ପଟ୍ଟନାୟକଙ୍କ ସହ କଥା ହୁଅନ୍ତୁ । ଏକଥା ଶୁଣିବା ପରେ ମୁଁ ନବୀନଙ୍କୁ ଦେଖା କରିବାକୁ ନବୀନ ନିବାସ ଯାଇଥିଲି । ତେବେ ସେଠାରେ ମୋତେ ଦୁଇଘଣ୍ଟା ଧରି ବସାଇ ରଖାଗଲା । ଏପରିକି ନବୀନଙ୍କ ସହ ଭେଟ କରାଗଲା ନାହିଁ । ଯେଉଁଥିପାଇଁ ମୁଁ ରାଗିକି ନବୀନ ନିବାସରୁ ଫେରି ଆସିଥିଲି ।ଆଉ ଏହାପରେ ନବୀନ ନିବାସର ମାଟି ମଧ୍ୟ ମାଡିନାହିଁ । ତେବେ ନିର୍ବାଚନ ପରେ ଖବର ପାଇଲି ଯେ, ସତକୁ ସତ ଦାମ ଭାଇ ସେଦିନ ନବୀନ ନିବାସ ଯାଇଥିଲେ । ନବୀନଙ୍କୁ କହିଥିଲେ, ମୋ ପୁଅ ମୋତେ ନ ପଚାରିକି ଆବେଦନ କରିଛି ।ତାକୁ ଟିକେଟ ଦେଲେ ସେ ମୋଟେ ଭୋଟ ପାଇବନି । ଆଉ ସାନଭାଇ ମଧ୍ୟ ଟିକେଟ ପାଇଁ ଆବେଦନ କରିଛି । ସେ ମଧ୍ୟ ସେଠାରେ ବେଶ ଲୋକପ୍ରିୟ । ତାକୁ ଟିକେଟ ଦେଲେ ବହୁ ଭୋଟରେ ଜିତିବ । କିନ୍ତୁ ତାକୁ ଟିକେଟ ଦେଲେ ଘରେ ବିଶୃଙ୍ଖଳା ହେବ । ଯେଉଁଥିପାଇଁ ମୋ ଟିକେଟ କଟିଥିଲା । କିନ୍ତୁ ସେହିଦିନ ଯଦି ମୋତେ ନବୀନଙ୍କ ସହ ମୋର ଭେଟ ହୋଇଥାନ୍ତା ତେବେ ମୁଁ ଟିକେଟ ନିଶ୍ଚିତ ପାଇଥାନ୍ତି ।

ଏପରିକି ଏରସମା ଓ ପାରାଦୀପ ଅଂଚଳରେ ସେ ହିଁ ସଂଗଠନ ତିଆରି କରିଥିବା ବାମଦେବ କହିଛନ୍ତି । ପଶୁଡାକ୍ତର ଚାକିରି କରିଥିବା ନିଜ ବଡଭାଇ ଦାମୋଦର ରାଉତ ରାଜନୀତିକୁ ଆସିବା ପାଇଁ ଇଚ୍ଚା ବ୍ୟକ୍ତି କରିବା ପରେ ସେ ହିଁ ତାଙ୍କୁ ପ୍ରଥମେ ରାଜନୀତିକୁ ଆଣିଥିବା କହିଛନ୍ତି । କିନ୍ତୁ ପରେ ଦାମଙ୍କ ଯୋଗୁଁ ହିଁ ତାଙ୍କୁ ଟିକେଟ ମିଳିନଥିଲା ଓ ସେ ରାଜନୀତିରେ ସଫଳ ହୋଇପାରିନଥିଲେ ବୋଲି କହିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଉତମ ସଂପର୍କ ସତ୍ୱେ ତାଙ୍କୁ ବିଜେଡି ଛାଡି ବିଜେପିକୁ ଯିବାକୁ ପଡିଥିଲା । କିନ୍ତୁ ଏବେ ଯଦି ମୁଖ୍ୟମନ୍ତ୍ରୀ ଚାହାଁନ୍ତି ତେବେ ସେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।