କେରଳରେ ପ୍ରଳୟଙ୍କାରୀ ବନ୍ୟା । ‘ଜାତୀୟ ବିପର୍ଯ୍ୟୟ’ ଘୋଷଣା ପାଇଁ କେରଳବାସୀଙ୍କ ଦାବି, କିନ୍ତୁ କାହିଁକି ‘ଜାତୀୟ ବିପର୍ଯ୍ୟୟ’ ଘୋଷଣା କରୁନାହିଁ କେନ୍ଦ୍ର ?

113

କେରଳ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଦାବି କରୁଛନ୍ତି କେରଳ ବନ୍ୟା ପିଡିତ ଏବଂ ବିରୋଧୀ ଦଳ ।  କିନ୍ତୁ କେରଳରେ ପ୍ରଳୟଙ୍କାରୀ ବନ୍ୟାକୁ ‘ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ’ ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ବର୍ତମାନ ସୁଦ୍ଧା କେରଳରେ ଭୟଙ୍କର ବିପର୍ଯ୍ୟୟରେ ୨୩୯ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି । ଏବେ ବି ଅନେକ ଲୋକପାଣି ଘେରରେ ଅଛନ୍ତି । ୧୦ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ୧୩ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୦ ହଜାର କିଲୋମିଟର ରାସ୍ତା ଧୋଇ ହୋଇଯାଇଥିବାବେଳେ ପୋଲଗୁଡିକ ଭାଙ୍ଗିଯାଇଛି । ରେଳ ଓ ବିମାନସେବା ପ୍ରଭାବିତ ହୋଇଛି । ତେବେ ରିପୋର୍ଟ ମୁତାବକ ବର୍ଷା ଓ ବନ୍ୟା ଯୋଗୁଁ ପାଖାପାଖି ୨୦ ହଜାର କୋଟି କ୍ଷତିଗ୍ରସ୍ତ ହୋଇଛି ।

ବିପର୍ଯ୍ୟୟକୁ ବିଭିନ୍ନ କାଟାଗୋରୀରେ ବିଭାଗ କରାଯାଇଛି ।

୨୦୦୫ ମସିହାରେ ଦେଶରେ ଏକ ଆଇନ ଲାଗୁ ହେଲା । ବିପର୍ଯ୍ୟୟ ପ୍ରଶମନ ଅଧିନିୟମ ୨୦୦୫ । ଏହି ଅଧିନିୟମରେ ପ୍ରାକୃତିକ ବିପର୍ଯ୍ୟୟ ଯେମିତିକି ବନ୍ୟା, ଭୁମିକମ୍ପ, ସୁନାମି , ଘୂଣ୍ଣିଝଡ ଏବଂ ଲୁ ଭଳି ବିପର୍ଯ୍ୟୟକୁ ସାମିଲ କରାଯାଇଥିଲା । ଏହା ସହ ମନୁଷ୍ୟକୃତ କୌଣସି ଭୟଙ୍କର ଦୁର୍ଘଟଣା- ନ୍ୟୁକ୍ଲୀୟର ବମ, ଜୈବିକ ଏବଂ ରାସାୟନିକ ଦୁର୍ଘଟଣା ମଧ୍ୟ ସାମିଲ ଅଛି । କିନ୍ତୁ ଭାରତ ଇତିହାସରେ ଆଜି ପର୍ଯ୍ୟନ୍ତ କେବେ ଜାତୀୟ ବିପର୍ଯ୍ୟୟ କାଟାଗୋରୀରେ କୌଣସି ରାଜ୍ୟର ବିପର୍ଯ୍ୟୟକୁ ଆକଳନ କରାଯାଇ ନାହିଁ ।

ଆକ୍ଟ ମୁତାବକ ଏ ପର୍ଯ୍ୟନ୍ତ ଦେଶରେ ଅନେକ ପ୍ରଳୟଙ୍କାରୀ ବିପର୍ଯ୍ୟୟ ହୋଇଛି । ଉଦାହରଣ ସ୍ୱରୁପ ୧୯୯୯ ସୁପର ସାଇକ୍ଲୋନକୁ କାଟଗୋରୀ-୫ରେ ରଖାଯାଇଥିଲା । ଯେଉଁଥିରେ ୧୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ଜୀବନ ଚାଲିଯାଇଥିଲା ତାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇ ନଥିଲା । ସେହିଭଳି ୨୦୦୧ ଗୁଜୁରାଟ ଭୁମିକମ୍ପର ଲୋମହର୍ଷଣକାରୀ ଚିତ୍ରକୁ ଆଜିବି ଲୋକଙ୍କୁ ଭୟବୀତ କରୁଛି ତାହା ମଧ୍ୟ ଜାତୀୟ ବିପର୍ଯ୍ୟୟ ଘୋଷଣା ହୋଇନଥିଲା । ଏପରିକି କେଦାରନାଥରେ ପ୍ରଳୟଙ୍କାରୀ ବନ୍ୟାର କରାଳ ରୂପକୁ ମଧ୍ୟ ଭୟଙ୍କର ପ୍ରାକୃତିକ ବିର୍ଯ୍ୟୟ ଘୋଷଣା କରାଯାଇଥିଲା । ଏ ପର୍ଯ୍ୟନ୍ତ ଜାତୀୟ ବିପର୍ଯ୍ୟୟ କୌଣସି ରାଜ୍ୟର ବିପର୍ଯ୍ୟୟକୁ ଘୋଷଣା କରାଯାଇନାହିଁ ।

Kerala floodତେବେ ୨୦୦୧ ଗୁଜୁରାଟ ଭୂମିକମ୍ପ ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଧ୍ୟକ୍ଷତାରେ ଏକ ନ୍ୟାସନାଲ କମିଟି ଅନ ଡିଜାଷ୍ଟର ମ୍ୟାନେଜମେଣ୍ଟ ବୈଠକ ହୋଇଥିଲା । ଯେଉଁଥିରେ ଜାତୀୟ ବିପର୍ଯ୍ୟୟ କାହାକୁ କୁହାଯିବ ତାର ମାପଦଣ୍ଡ ନିର୍ଣ୍ଣୟ କରିବା ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା । କିନ୍ତୁ ସେ ଆଲୋଚନାରେ କିଛି ନିଷ୍କର୍ଷ ବାହାରିଲା ନାହିଁ । ପୁଣି ଥରେ ୨୦୦୫ ବିପର୍ଯ୍ୟୟ ପ୍ରଶମନ ଅଧିନୟମ କରାଯାଇଥିଲେ ମଧ୍ୟ ସେଥିରେ ବି ଜାତୀୟ ବିପର୍ଯ୍ୟୟର କୌଣସି ଆଲୋଚନା କରାଗଲା ନାହିଁ ।

ଯେତେବେଳେ କୌଣସି ବିପର୍ଯ୍ୟୟ ହୁଏ । ତା’ର ତୀବ୍ରତା ଏବଂ କ୍ଷୟକ୍ଷତିକୁ ଆକଳନ କରି ତାକୁ କାଟାଗୋରୀ କରାଯିବାର ବ୍ୟବସ୍ଥା କରାଯାଏ । ଆର୍ଥିକ ସହାୟତା ପାଇଁ କ୍ଷୟକ୍ଷତିକୁ ଆକଳନ କରି ଅର୍ଥ ସହାୟତା ବ୍ୟବସ୍ଥା କେଲାମିଟୀ ରିଲିଫ୍ ଫଣ୍ଡ ନିର୍ଣ୍ଣୟ କରନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଏବଂ କେନ୍ଦ୍ରର ଯୋଗଦାନ ୩:୧ ଅନୁପାତରେ କରାଯାଇଥାଏ । ଉଦାହରଣ ୧୦୦ ଟଙ୍କାରୁ ୭୫ ଟଙ୍କା କେନ୍ଦ୍ର ଏବଂ ୨୫ଟଙ୍କାର ସହାୟତା ରାଜ୍ୟ କରିବ ବୋଲି ପୂର୍ବ ନିର୍ଦ୍ଧାରିତ ହୋଇଛି ।

ଗତକାଲି କେରଳରେ ପ୍ରଳୟଙ୍କାରୀ ବନ୍ୟାକୁ ‘ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ’ ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। କିନ୍ତୁ ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବିକୁ ଅଗ୍ରାହ୍ୟ କରିଛି କେନ୍ଦ୍ର। ବନ୍ୟାର ପ୍ରଳୟଙ୍କରୀ ରୂପ, ଧନଜୀବନ ହାନି ଏବଂ ଭୂସ୍ଖଳନର ପ୍ରକୋପ ଦେଖି ଏହାକୁ ‘ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ’ ବର୍ଗରେ ରଖାଯାଇଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବିଶେଷକରି ଗତ ଏକ ସପ୍ତାହ ମଧ୍ୟରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ବନ୍ୟା ଯୋଗୁ ଅଗଷ୍ଟ ୮ରୁ ଏପର୍ୟ୍ୟନ୍ତ ୨୧୬ ଜଣ ପ୍ରାଣ ହରାଇଥିବାବେଳେ ସାଢ଼େ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସହରା ହୋଇ ପଡ଼ିଛନ୍ତି। ୫,୬୪୫ ସରକାରୀ ଆଶ୍ରୟସ୍ଥଳୀ ସେମାନଙ୍କ ସାହାରା ପାଲଟିଛି ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ଭୟଙ୍କର ବୋଲି ଘୋଷଣା କରାଯାଏ, ସେତେବେଳେ ରାଜ୍ୟକୁ କେନ୍ଦ୍ର ସ୍ତରରୁ ସହାୟତା ମିଳିଥାଏ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ରାଜ୍ୟକୁ ଅତିରିକ୍ତ ସହଯୋଗ ଯୋଗାଇଦେବା ଲାଗି କେନ୍ଦ୍ର ସରକାର ଚିନ୍ତା କରୁଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଏ.ଭି. ଧର୍ମା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଅଗଷ୍ଟ ୮ରେ କେରଳ ଗସ୍ତକରି ବନ୍ୟା କ୍ଷୟକ୍ଷତି ଆକଳନ କରିଥିଲେ। ତେବେ ଏଭଳି ଆନ୍ତଃ ମନ୍ତ୍ରଣାଳୟ ଟିମ୍ କୌଣସି ପ୍ରାକୃତିକ ବିପର୍ୟ୍ୟୟ ସ୍ଥଳକୁ ଗସ୍ତକଲେ ଏହାକୁ ଆପେ ଆପେ ଭୟଙ୍କର ବୋଲି ବିବେଚନା କରାଯାଇଥାଏ।

ସେପଟେ କେରଳ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ନେଇ ହୋଇଥିବା ଦାବିକୁ କେନ୍ଦ୍ର ସରକାର ଅସ୍ବୀକାର କରିଛନ୍ତି। ଏଥିଲାଗି କୌଣସି ବ୍ୟବସ୍ଥା ନାହିଁ ବୋଲି ସୋମବାର କେରଳ ହାଇକୋର୍ଟରେ କେନ୍ଦ୍ର ସରକାର ପକ୍ଷ ରଖିଛନ୍ତି। ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବିରେ କେରଳ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ଏହାର ଜବାବରେ ସତ୍ୟପାଠ ଜରିଆରେ ହାଇକୋର୍ଟ ଆଗରେ କେନ୍ଦ୍ର ସରକାର କହିଛନ୍ତି ଯେ, କେରଳ ବନ୍ୟା ସ୍ଥିତିକୁ ଜଟିଳ ପ୍ରାକୃତିକ ବିପର୍ୟ୍ୟୟ ଭାବେ ଦେଖାଯାଉଛି। ଏହାକୁ ଜାତୀୟ ବିପର୍ୟ୍ୟୟ ପରିଚାଳନା ନିୟମାବଳୀରେ ‘ତୃତୀୟ ସ୍ତରୀୟ ବିପର୍ଯ୍ୟୟ’ ବର୍ଗ (ଲେଭେଲ୍ ୩ କାଲାମିଟି)ରେ ରଖାଯାଇଛି। ବିପର୍ଯ୍ୟୟ ଯେତେ ବଡ଼ ହେଉ ନା କାହିଁକି, ବ୍ୟକ୍ତିବିଶେଷଙ୍କ ଦାବିରେ କୌଣସି ବିପର୍ୟ୍ୟୟକୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।