କାହିଁକି ଭାସୁଛି ରାଜଧାନୀ ? କାହିଁକି ଅସରାଏ ବର୍ଷାରେ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା , କାରଣ ଜାଣିଲେ ଆପଣ ହୋଇଯିବେ ତାଜୁବ ।

171

ରାଜଧାନୀ ଭୁବନେଶ୍ୱରରେ ବର୍ଷା ପାଣି ଜମିବା ଏକ ସାଧାରଣ ପ୍ରସଙ୍ଗ ପାଲଟି ଗଲାଣି । କାରଣ ଅସରାଏ ବର୍ଷା ହେବା କ୍ଷଣି ଦେଶର ପ୍ରଥମ ସ୍ମାର୍ଟସିଟି ଆଖ୍ୟା ପାଇଥିବା ଭୁବନେଶ୍ୱରରେ ଦେଖିବାକୁ ମିଳୁଛି କୃତ୍ରିମ ବନ୍ୟା । ସହରର ପ୍ରମୂଖ ସ୍ଥାନ ଏପରିକି ସହରକୁ ଲାଗି ଯାଇଥିବା ଜାତୀୟ ରାଜପଥରେରେ ବନ୍ୟାର ବିଭିଷୀକା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଯାହାଦ୍ୱାରା ରାଜଧାନୀବାସୀଙ୍କ ଜୀବନଯାପନ ଅସଢାଏ ବର୍ଷାରେ ଦୁର୍ବିସହ ହୋଇପଡୁଛି । ତେବେ ଭୁବନେଶ୍ୱର ସହରର ଜଳ ନିଷ୍କାସନ ପାଇଁ ମୋଟ ୧୧ଟି ଜଳ ନିଷ୍କାସନ ଏବଂ ଚିହ୍ନଟ ହୋଇଥିବା ଅତିରିକ୍ତ ଏକ ପ୍ରାକୃତିକ ଚାନେଲ୍ସ ଅବସ୍ଥିତ ଅଛି । ତାହାପୁଣି ସ୍ମାର୍ଟସିଟିର ପଶ୍ଚିମରୁ ପୂର୍ବ ପରିଧି ମଧ୍ୟରେ ସହରରେ ଜମୁଥିବା ବର୍ଷାଜଳକୁ ନିଷ୍କାସିତ କରିବା ପାଇଁ ରହିଛି । ହେଲେ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଏବଂ ବିଡିଏ ଓ ବିଏମସି ପ୍ଲାନ ମୁତାବକ ହୋଇଥିବା ଡ୍ରେନେଜ ଗୁଡିକର ସଫେଇ ଠିକ ସମୟରେ ନହେବା ବର୍ଷାପାଣି ଜମିବାର ପ୍ରମୂଖ କାରଣ ବୋଲି ଆଶଙ୍କା କରାଯାଉଛି ।

ପ୍ରାକୃତିକ ଜଳ ନିଷ୍କାସନ ଚାନେଲ୍ସ ମଧ୍ୟରୁ ୩ଟିକୁ ବାଦଦେଲେ ବାକିଚାନେଲ୍ସର ପରିସ୍ଥିତି ଜଟୀଳ !

ଭୁବନେଶରର ପଶ୍ଚିମର ପୂର୍ବ ପରିଧି ମଧ୍ୟରେ ଜମୁଥିବା ବର୍ଷାପାଣିକୁ ନିଷ୍କାସନ କରିବା ପାଇଁ ୧୧ଟି ପ୍ରମୂଖ ପ୍ରାକୃତିକ ଜଳ ନିଷ୍କାସନ ଚାନେଲ୍ସ ସହ ଅତିରିକ୍ତ ଆଉ ଗୋଟିଏ ଜଳନ ନିଷ୍କାସନ ଚାନେଲ୍ସ ସ୍ଥାପିତ ରହିଛି ।

ସେଗୁଡିକ ମଧ୍ୟରେ ରହିଛି:

୧.ଏକାମ୍ରକାନନ

୨.ଜୟଦେବ ବିହାର

୩.ଗଜପତି ନଗର

୪.ସୈନିକ ସ୍କୁଲ

୫.ବାଣୀବିହାର

୬. ମଞ୍ଚେଶ୍ୱର (ପଶ୍ଚିମ)

୭.ଆଚାର୍ଯ୍ୟ ବିହାର

୮.ଇସ୍କନ ମନ୍ଦିର ଅଞ୍ଚଳ

୯.ଆଇଗିଣିଆ

୧୦. ପୋଖରିପୁଟ

୧୧. ଜାଗମରା

୧୨. ବୁଢୀ ନାଳ ( ଚିହ୍ନଟ ହୋଇଥିବା)

ବିଏମସି କମିଶନର କ୍ରିଶନ କୁମାରଙ୍କ ସୁଚନା ମୁତାବକ ଏହି ସବୁ ପ୍ରାକୃତିକ ଜଳ ନିଷ୍କାସନ ଚାନେଲ୍ସ ମଧ୍ୟରୁ ୩ଟିକୁ ବାଦଦେଲେ ବାକି ଅନ୍ୟ ସବୁ ଚାନେଲ୍ସର ଅବସ୍ଥା ସମ୍ପୂର୍ଣ୍ଣ ଜଟିଳ । ଏହାର ପ୍ରମୂଖ କାରଣ ହେଉଛି ଯେ ଏଗୁଡିକ ସବୁ ପ୍ରାଇଭେଟ ଜମି ଅଧିନରେଥିବାରୁ ଡ୍ରେନେଜ ବ୍ୟବସ୍ଥାରେ ସମସ୍ୟା ଦେଖାଯାଉଛି ବୋଲି ବିଏମସି କମିଶନର କ୍ରିଶନ କୁମାର କହିଛନ୍ତି  । ସେଥିମଧ୍ୟରେ ରହିଛି ଆଚାର୍ଯ୍ୟ ବିହାର, ଏକାମ୍ରକାନନ, ଇସ୍କନ ମନ୍ଦିର ଅଞ୍ଚଳ ଏବଂ ମଞ୍ଚେଶ୍ୱରର ପଶ୍ଚିମ ଭାଭରେ ଥିବା ପ୍ରାକୃତିକ ଜଳ ନିଷ୍କାସନ ଚାନେଲ୍ସରେ ବର୍ଷାଜଳ ନିଷ୍କାସନ ପାଇଁ ବାଧା ସୃଷ୍ଟି ହେଉଛି । ସ୍ମାର୍ଟସିଟିର ଜଳନିଷ୍କାସନ ପାଇଁ ଏକ ବିକଳ୍ପ ଯୋଜନା ନେଇ ଆସନ୍ତାକାଲି ବିଏମସି କମିଶନର ଏବଂ ଅଗ୍ନିଶମ ବିଭାଗ ଏବଂ ଅନ୍ୟାନ୍ୟ ବିଭାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ବସିବ ବିଏମସି କମିଶନର କ୍ରିଶନ କୁମାର କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ବର୍ଷାଜଳ ନିଷ୍କାସନ ପାଇଁ ସହରର ୪୫ଟି ଅସ୍ଥାୟୀ ଜଳ ନିଷ୍କାଷନ ସ୍ଥାନ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ବିଏମସି କମିଶନର କ୍ରୀଶନ କୁମାର । ତେବେ ଆଚାର୍ଯ୍ୟ ବିହାର ପରିସର ଦେଇ ଯାଉଥିବା ପ୍ରାକୃତିକ ଜଳ ନିଷ୍କାସ ଚାନେଲ୍ସର ପୁର୍ନରୁଦ୍ଧାର ପାଇଁ ଏବଂ କିଭଳି ବର୍ଷାଜଳ ନିଷ୍କାସନ ହେବ ସେନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ତରଫରୁ ଗତ ନଭେମ୍ବର ମାସରେ ୬ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି । ଏହାଦ୍ୱାରା ମଧୁସୁଦନ ନଗର, ନୟାପଲ୍ଲୀ, ବାଣୀବିହାର, ପାଣ୍ଡରା, ଗାଢ଼କଣ ଏବଂ ଭୋଇ ନଗରର ଡ୍ରେନେଜ ବର୍ଷାଜଳ ନିଷ୍କାସନ ଆଚାର୍ଯ୍ୟ ବିହାରଠାରେ ବିନା ସମସ୍ୟାରେ ହୋଇପାରିବ ବୋଲି ଲକ୍ଷ ରାଖାଯାଇଛି ।ଏନଡିଏମର ନିୟମାବଳୀ ପରିବର୍ତ୍ତେ ସ୍ୱତନ୍ତ୍ର ଯୋଜନା ?

ଦେଶର ଅଧିକାଂଶ ସହରରେ ଡ୍ରେନ ସମସ୍ୟା, କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ଏବଂ ଜଳ ନିଷ୍କାସନ ସ୍ଥାନକୁ ଜବରଦଖଲ କରିଥିବା ସ୍ଥାନ ଓ ସହରାଞ୍ଚଳରେ ବିଭିନ୍ନ ନିର୍ମାଣରେ ଖାମଖିଆଲି ଯୋଗୁଁ ସହରାଞ୍ଚଳରେ ଅସରାଏ ବର୍ଷାପାଣିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ସୁଚନା ଦେଇଥିଲେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗ (ଏନଡିଏଏମ) । ପୂର୍ବରୁ ଏନେଇ ଏନଡିଏଏମ ତରଫରୁ ପ୍ରତ୍ୟେକ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ତିନିଟି ପର୍ୟ୍ୟାୟରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏଥିରେ ୨୦୧୬-୨୦୨୦ ପର୍ୟ୍ୟନ୍ତ ସ୍ୱଳ୍ପକାଳୀନ, ୨୦୨୦-୨୦୨୫ ପର୍ୟ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଏବଂ ୨୦୨୫-୨୦୩୦ ପର୍ୟ୍ୟନ୍ତ ଦୀର୍ଘକାଳୀନ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ବିଏମ୍ସି କର୍ତ୍ତୃପକ୍ଷଙ୍କ ସୁଚନା ମୁତାବକ ଯେପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ନ ହେବ, ଲୋକ ଜଳବନ୍ଦୀ ନ ହେବେ, ସେଥିପାଇଁ ନ୍ୟାସନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍ଡିଏମ୍ଏ)ଙ୍କ ଗାଇଡଲାଇନ୍ ପାଳନ କରିବାକୁ କୁହାଯାଇଥିଲା । ହେଲେ ବିଏମସି ଅଧିକାରୀଙ୍କ କହିବା ଅନୁସାରେ ସିଟି ଡିଜାଷ୍ଟର ମ୍ୟାନେଜମେଣ୍ଟ ମାଧ୍ୟମରେ ଜଣେ ଏର୍ମଜେନ୍ସୀ ଅଫିସର ନିଯୁକ୍ତ ହୋଇଛନ୍ତି । ଗତବର୍ଷ ଲଲାଟେନ୍ଦୁ ସାହୁଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି ବୋଲି କହିଛନ୍ତି ବିଏମସି ଅଧିାକରୀ । ପୂର୍ବରୁ ଗାଇଡଲାଇନ୍ ତୁରନ୍ତ ମାନିବାକୁ ରାଜ୍ୟ ସରକାରଙ୍କୁ ଗତ ଦୁଇ ବର୍ଷ ହେଲା ନିର୍ଦ୍ଦେଶନାମା ଜାରି ହେବାରେ ଶେଷରେ ନିଜ ଇଚ୍ଛାରେ ସିଟି ଡିଜାଷ୍ଟର ମ୍ୟାନେଜମେଣ୍ଟ ପାଇଁ ଏକ ଯୋଜନା କରିଲା ବିଏମସି । କିନ୍ତୁ ଆଜି ପର୍ୟ୍ୟନ୍ତ ଏନେଇ ଗୋଟିଏ ବି ଯୋଜନା ଆରମ୍ଭ ହୋଇପାରିଲାନି। ଲୋକ ହନ୍ତସନ୍ତ ହେଲେ ଆଶ୍ୱାସନା ଦେବାକୁ ଅଧିକାରୀ ଓ ନେତାମାନେ ସୁଯୋଗକୁ ଅପେକ୍ଷା କରିଛନ୍ତି। ନିଜ ସହରାଞ୍ଚଳରେ ବନ୍ୟା କାହିଁକି ହେଉଛି, ଏହାର ନିରାକରଣ କିପରି ହେବା ଦରକାର, ସେନେଇ ମହାନଗର ନିଗମ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ବର୍ଷା ହେଲେ ଯେପରି ସହରବାସୀ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, ଧନଜୀବନ କ୍ଷୟକ୍ଷତି ନ ହେବ, ସେଥିପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ଉତ୍ତରଦାୟୀ ହେବେ। ଏପରିକି ସହରାଞ୍ଚଳ ବନ୍ୟା ମୁକାବିଲା କରିବା ପୌରସଂସ୍ଥା କର୍ତ୍ତୃପକ୍ଷଙ୍କ ମୁଖ୍ୟ ଦାୟିତ୍ୱ ହେବ ବୋଲି ଏନ୍ଡିଏମ୍ଏ ପକ୍ଷରୁ କୁହାଯାଇଥିଲା, ହେଲେ ବର୍ଷାଦିନେ କୁତ୍ରିମ ବନ୍ୟା ସମସ୍ୟା ଘେରରେ ରହୁଥିବା ସ୍ମାର୍ଟସିଟି ଭୁବନେଶ୍ୱରର ସ୍ଥିତି କେବେ ସୁଧୁରିବ ତାହା ଏବେ ପ୍ରଶ୍ନ ବାଚୀ ହୋଇ ରହିଛି ।