ରାଜନୀତି କେଉଁଠି, କେମିତି? ପିପିଲି ପ୍ରସଙ୍ଗକୁ ନେଇ ହଟଚମଟ, ହେଲେ ଇତିଶ୍ରୀ ବେଳେ ଚୁପ୍ କାହିଁକି ?

352

କନକ ବ୍ୟୁରୋ : ପିପିଲି ପୀଡିତା ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀପଦ ହରାଇଛନ୍ତି ପ୍ରଦୀପ ମହାରଥୀ । ଆଉ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ପକାଇଥିଲା ବିଜେପି । ଗୋଟିଏ ପଟେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ପିପିଲି ପୀଡିତା ଘଟଣାରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ହଲାପଟା କରୁଥିବା ବେଳେ ଅନ୍ୟପଟେ ଗତକାଲି ବାରିପଦା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲି ପୀଡିତାଙ୍କୁ ନ୍ୟାୟ ନ ମିଳିବା କଥା ଉଠାଇ ପରୋକ୍ଷରେ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଥିଲେ । ମୋଦିଙ୍କ ପ୍ରତ୍ୟାବର୍ତନ ପରେ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ଆରମ୍ଭ ହୋଇଥିଲା କାଉଣ୍ଟଡାଉନ । ଆଉ ବିବାଦୀୟ ବୟାନ ପାଇଁ ଆଜି ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟିବାକୁ ପଡିଲା ।

ପିପିଲି ପୀଡିତାଙ୍କ ପାଇଁ ବିଜେପିର ଏହି ପ୍ରୟାସ ବେଶ ପ୍ରଂଶସାଯୋଗ୍ୟ । କିନ୍ତୁ ଯେତେବେଳେ ମହିଳାଙ୍କ ସୁରକ୍ଷା କଥା ଉଠାଇ ବିଜେପି ରାଜରାସ୍ତାକୁ ଓହ୍ଲାଉଛି ସେତେବେଳେ ସମୟ ବିତିବା ସହ ଟିକିରିର ଇତିଶ୍ରୀଙ୍କ କଥା ବିଜେପି ଭୁଲିଯାଇଛି କି ବୋଲି ପ୍ରଶ୍ନ ଉଠୁଛି । ପିପିଲି ପୀଡିତାଙ୍କ ଭଳି ଇତିଶ୍ରୀଙ୍କ ଘଟଣା ମଧ୍ୟ ରାଜ୍ୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା । ଏହି ଦୁଇ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ସ୍ୱର ଉତ୍ତୋଳନ କରି ସରକାରଙ୍କୁ ପୂର୍ବରୁ ଅଡୁଆରେ ପକାଇଛି । କିନ୍ତୁ ଏବେ ପିପିଲି ପୀଡିତାଙ୍କ ପାଇଁ ବିଜେପି ଯେଉଁଭଳି ରାଜ୍ୟ ସରକାରଙ୍କୁ ଆଟାକ କରୁଛି ସେହିଭଳି ତତ୍ପରତା ଇତିଶ୍ରୀଙ୍କ ପାଇଁ କାହିଁକି ଦେଖାଉନାହିଁ । ସିବିଆଇ କ୍ଲୋଜର ରିପୋର୍ଟ ଦେବା ପରେ ସୁପ୍ରିମକୋର୍ଟ ଇତିଶ୍ରୀ ମାମଲାକୁ ବନ୍ଦ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ କଣ ସତରେ ଇତିଶ୍ରୀକୁ ନ୍ୟାୟ ମିଳିଛି ।

ITISHREEସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଇତିଶ୍ରୀ ମୃତ୍ୟୁକୁ ନେଇ ବିଜେପି ପୂର୍ବରୁ ବିଜେଡିରେ ଥିବା ଜୟରାମ ପାଙ୍ଗୀଙ୍କୁ ଟାର୍ଗେଟ କରି ଆସୁଥିଲା । ଯାହାଙ୍କୁ ବିରୋଧ କରି ରାଜ୍ୟପାଳଙ୍କ ନିକଟରେ ବିଜେପି ଫେରାଦ ହୋଇଥିଲା । ସେହି ବ୍ୟକ୍ତିଙ୍କୁ ସମୟ ବିତିବା ସହ ବିଜେପି ନିଜ ଦଳକୁ କୋଳେଇ ନେଇଥିଲା । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ହତ୍ୟା ଘଟଣାରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀକୁ ବିରୋଧ କରି କାଠଗଡାରେ ଠିଆ କରାଇଥିଲା ବିଜେପି । କିନ୍ତୁ ଏବେ ତାଙ୍କୁ ପାଛୋଟି ନେଇଛି ନିଜ ଦଳକୁ । ସମୟଚକ୍ରରେ ଶତ୍ରୁ ବନିଯାଇଛି ମିତ୍ର । ସମୟ ସହ ବଦଳିଯାଇଛି ଚରିତ୍ରର ଚିତ୍ର । କିନ୍ତୁ ଏହି ରାଜନୈତିକ ମିତ୍ରତା ଭିତରେ କଣ ବିଜେପି ଭୁଲିଯାଇଛି ଇତିଶ୍ରୀଙ୍କ କଥା ।

jayaram pangi୨୦୧୩ ମସିହାରେ ଟିକିରିର ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲା ବିଜେପି । ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲା ଦଳ । ଏବେ ବିଜେଡିରୁ ବିଦା ହୋଇଥିବା ସେହି ନେତାକୁ ଆପଣେଇ ନେଇଛି ବିଜେପି । ଏହା ସହ ବଦଳିଛି ଦଳର ଆଭିମୁଖ୍ୟ । ଆଜି ଯିଏ ଶତ୍ରୁ, କାଲି ସେ ମିତ୍ର । ଏହା ରାଜନୀତିର ଏକ ମହାମନ୍ତ୍ରା ଏହା ପୁଣି ପ୍ରମାଣିତ ହୋଇଛି ।ଆଉ ଏସବୁ ଭିତରେ ବିଜେପି ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ଦଳୀୟ ବନ୍ଧୁଙ୍କ ପାଇଁ ଇତିଶ୍ରୀଙ୍କୁ ଭୁଲି ଯାଇନି ତ ତାହା ଏବେ ସବୁଠୁ ପ୍ରଶ୍ନ ଭାବେ ଉଭା ହୋଇଛି ।